ଭାରତ ବିପକ୍ଷ ୱେଷ୍ଟଇଣ୍ଡିଜ୍ ଟିମ୍ : ଆସନ୍ତୁ ଜାଣିବା କେଉଁ ଖେଳାଳିଙ୍କ କେତେ ଦମ୍

ଏମିତି ସମୟ ଥିଲା ଯେତେବେଳେ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତ ଭ୍ରମଣରେ ଆସିବା ପୂର୍ବରୁ ଭାରତୀୟ ଖେଳାଳି ଏବଂ କର୍ମକର୍ତ୍ତାଙ୍କ ମନରେ ସଂଶୟ ଯାତ ହେଉଥିଲା । ଏହାର କାରଣ ଥିଲା ୱେଷ୍ଟଇଣ୍ଡିଜ୍ ଦଳର ଶକ୍ତି ଏବଂ ଦକ୍ଷତା । ୯୦ ଦଶକ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟିମ୍କୁ ହରାଇବା ବିଶ୍ୱରେ କ୍ରିକେଟ ଖେଳୁଥିବା ଦେଶଙ୍କ ଲାଗି ସ୍ୱପ୍ନ ଥିଲା । ଏବେ ୱେଷ୍ଟଇଣ୍ଡିଜକୁ ନ ହରାଇ ପାରିଲେ ଏହା ଅନ୍ୟ ଦଳଗୁଡିକୁ ବାଧୁଛି । ଏଭଳି ସ୍ଥିତିରେ ଭାରତ ସହ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ଜାସନ ହୋଲ୍ଡରଙ୍କ ନେତୃତ୍ୱରେ ଭାରତରେ ଆସି ଅଭ୍ୟାସ ମ୍ୟାଚ ଖେଳିସାରିଲାଣି । କିନ୍ତୁ ସିରିଜ ନେଇ କୌଣସି ଚର୍ଚ୍ଚା ହେଉନାହିଁ ।
ଜାସନ ହୋଲ୍ଡର (ଅଧିନାୟକ-ବୟସ-୨୬): ମାତ୍ର ୨୩ ବର୍ଷରେ ୱେଷ୍ଟଇଣ୍ଡିଜ ଦଳର ନେତୃତ୍ୱ ନେଇଥିବା ଏହି ଅଲରାଉଣ୍ଡରଙ୍କ ଉପରେ ଭ୍ରମଣକାରୀ ଦଳର ସଫଳତା ନିର୍ଭର କରେ । ଫାଷ୍ଟ ବୋଲିଂ ସହ ଲୋୟର ଅର୍ଡରରେ ବ୍ୟାଟିଂ କରୁଥିବା ଏହି ଖେଳାଳିଙ୍କ ଉଚ୍ଚତା ହେଉଛି ୬ଫୁଟ ୭ ଇଂଚ । ଏଯାଏ ସେ ୩୪ ଟେଷ୍ଟ ଖେଳି ୩୦.୨୬ ହାରରେ ୧୪୮୩ ରନ କରିଥିଲାବେଳେ ୮୧ଟି ୱିକେଟ ନେଇଛନ୍ତି ।
ସୁନିଲ ଅମ୍ବ୍ରିସ୍ (ବ୍ୟାଟ୍ସମ୍ୟାନ-୨୫): ଭାରତୀୟ ବଂଶୋଦ୍ଭବ ଏହି ଓପନର ଡେବ୍ୟୁ ଟେଷ୍ଟର ପ୍ରଥମ ବଲରେ ହିଟ ୱିକେଟ ଆଉଟ ହୋଇ ନିରାଶ କରିଥିଲେ । ଏବେ ବୋର୍ଡ ସଭାପତି ଏକାଦଶ ବିପକ୍ଷ ମ୍ୟାଚରେ ଧୂଆଁଧାର ଶତକ ହାସଲ କରି ୱେଷ୍ଟଇଣ୍ଡିଜ୍ ଲାଗି ଆଶା ସଞ୍ଚାର କରିଛନ୍ତି । ୨ଟି ଟେଷ୍ଟ ଖେଳିଥିବା ଅମ୍ବ୍ରିସ ମାତ୍ର ୨୫ ରନ କରିବାରେ ସମର୍ଥ ହୋଇଛନ୍ତି ।
ଦେବେନ୍ଦ୍ର ବିଶୁ (ଲେଗ୍ ସ୍ପିନର-୩୨): ୨୦୧୧ ଟେଷ୍ଟ ଡେବ୍ୟୁ ସିଜନରେ ଆଇସିସି ଏମର୍ଜିଂ ପ୍ଲେୟର ଅଫ ଦି ଇୟର ବିବେଚିତ ହୋଇଥିବା ଲେଗ୍ ସ୍ପିନର ଦେବେନ୍ଦ୍ର ବିଶୁ ଏହା ପରେ ଆଉ ଭଲ ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି । ଗୋଟିଏ ଟେଷ୍ଟରେ ୪୯ରନରେ ୮ୱିକେଟ ନେବା ଫଳରେ ପାକିସ୍ତାନ ୧୨୩ରେ ଅଲଆଉଟ ହୋଇଥିଲା । ଏଯାଏ ୩୨ ଟେଷ୍ଟ ଖେଳିଥିବା ବିଶୁ ୬୪୭ ରନ କରିଥିବାବେଳେ ୧୦୬ଟି ୱିକେଟ ନେଇଛନ୍ତି ।
କ୍ରେଗ୍ ବ୍ରେଥୱେଟ୍ (ଓପନର-୨୫): ରାଜକୋଟରେ କ୍ୟାରିଅରର ୫୦ତମ ଟେଷ୍ଟ ଖେଳିବାକୁ ଯାଉଥିବା ଏହି ଓପନର ଜଣଙ୍କ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସ୍ଥିର ପ୍ରଦର୍ଶନ ଦେଇଆସିଛନ୍ତି । ୨୦୧୧ ଡେବ୍ୟୁ ପରେ ବ୍ରେଥ୍ୱେଟ ୩୭.୯୪ ହାରରେ ୩୨୬୩ ରନ କରିଥିଲାବେଳେ ୧୪ଟି ୱିକେଟ ଅକ୍ତିଆର କରିଛନ୍ତି ।
ରୋଷ୍ଟୋନ ଚେଜ୍ (ଅଲରାଉଣ୍ଡର-୨୬): ଦୁଇ ବର୍ଷ ତଳେ ଟେଷ୍ଟ ଡେବ୍ୟୁ କରିବା ପରେ ଚେଜ୍ ୱେଷ୍ଟଇଣ୍ଡିଜ୍ର ପ୍ରଥମ ଏକାଦଶରେ ନିୟମିତ ସ୍ଥାନ ପାଇଆସୁଛନ୍ତି । ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ଅଫ ସ୍ପିନର ଭାବେ ବେଶ ପ୍ରଭାବଶାଳୀ । ଭାରତ ବିପକ୍ଷ ସାବିନା ପାର୍କ ଟେଷ୍ଟରେ ୧୨୧ ରନେ ଦଇ ୫ ୱିକେଟ ନେବା ସହ ୧୩୭ ରନ କରି ଭାରତ ବିପକ୍ଷରେ ମ୍ୟାଚ ଡ୍ର କରିବାରେ ସମର୍ଥ ହୋଇଥିଲେ । ଏଯାଏ ୨୨ ଟେଷ୍ଟ ଖେଳି ୩୩.୫୬ ହାରରେ ୧୨୪୨ ରନ
କରିବା ସହ ୩୭ଟି ୱିକେଟ ନେଇଛନ୍ତି ।
ସେନ୍ ଡାୱରିଚ୍ (ୱିକେଟକିପର/ବ୍ୟାଟ୍ସମ୍ୟାନ-୨୬): ବାର୍ବାଡୋସ୍ର ଅତ୍ୟନ୍ତ ପ୍ରତିଭାବାନ ଖେଳାଳି ଭାବେ ଜଣାଶୁଣା ହୋଇଥିଲେ ମଧ୍ୟ ସେହି ପ୍ରତିଭାକୁ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିଫଳନ କରିବାରେ ଅସମର୍ଥ ହୋଇଛନ୍ତି । ୨୩ ଟେଷ୍ଟରେ ୨୭.୯୪ ହାରରେ ୧୦୩୪ ରନ କରିଛନ୍ତି ।
ସାନନ ଗାବ୍ରିଏଲ: ଜଣେ ଫାଷ୍ଟ ବୋଲର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମଧ୍ୟ ଏଯାଏ ସ୍ଥିର ପ୍ରଦର୍ଶନ ଦେବାରେ ସମର୍ଥ ହୋଇନାହାନ୍ତି । ୩୭ ଟେଷ୍ଟ ଖେଳି ୧୧୧ ୱିକେଟ ନେଇଥିଲାବେଳେ ଦଳର ପ୍ରମୁଖ ବୋଲୀ ସାବ୍ୟସ୍ତ ହୋଇଛନ୍ତି ।
ଜାମର ହାମିଲଟନ: (ୱିକେଟକିପର-୨୭): ୧୧ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଥିବା ଏହି ୱିକେଟକିପର ଏଯାଏ ଟେଷ୍ଟ ଡେବ୍ୟୁ ଅପେକ୍ଷାରେ ରହିଛନ୍ତି ।
ସିମରନ ହେଟମାୟେର (ବ୍ୟାଟ୍ସମ୍ୟାନ-୨୧): ଗତବର୍ଷ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବା ପରେ ୨ଟି ଅର୍ଦ୍ଧଶତକ ହାସଲ କରି ଆସିଛନ୍ତି ସିମରନ୍ । ୧୯ ବର୍ଷରୁ
କମ୍ ବିଶ୍ୱକପ୍ ଚାମ୍ପିଅନ ୱେଷ୍ଟଇଣ୍ଡିଜ୍ ଟିମ୍ର ଏହି ଖେଳାଳିଙ୍କଠାରୁ ଅନେକ କିଛି ଆଶା କରାଯାଉଛି । ସେ ୬ ଟେଷ୍ଟରୁ ୨୬.୬୩ ହାରରେ ୩୨୨ ରନ ସଂଗ୍ରହ କରିଛନ୍ତି ।
ସାଇ ହୋପ୍ (ବ୍ୟାଟ୍ସମ୍ୟାନ୍-୨୪): ଇଣ୍ଟରନ୍ୟାସନାଲ କ୍ରିକେଟରେ ଜଣେ ପ୍ରତିଷ୍ଠିତ ବ୍ୟାଟ୍ସମ୍ୟାନ ହେବାକୁ ସାଇଙ୍କର ଦକ୍ଷତା ରହିଛି । ୨୨ଟି ଟେଷ୍ଟରୁ ୩୧.୦୨ ହାରରେ ୧୨୧୦ ରନ କରିଥିବା ସାଇଙ୍କ ସଫଳତା ଉପରେ ଦଳର ଭାଗ୍ୟ ନିର୍ଭର କରୁଛି ।
କୀମୋ ପଲ (ଅଲରାଉଣ୍ଡର-୨୦): ଅତ୍ୟନ୍ତ ପ୍ରତିଭାବାନ ଅଲରାଉଣ୍ଡର ଭାବେ ବିବେଚିତ ପଲ ଗୋଟିଏ ଟେଷ୍ଟ ଖେଳିଛନ୍ତି । ତାଙ୍କ ଉପରେ ଭରସା ରହିଛି ।
କାଇରନ ପାୱେଲ (ଓପନର-୨୮): ୭ବର୍ଷ ହେଲା ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳୁଥିଲେ ମଧ୍ୟ ପ୍ରତିଷ୍ଠା ଲାଭ କରିନାହାନ୍ତି । ୩୬ ଟେଷ୍ଟରୁ ୨୮.୦୩ ହାରରେ ମାତ୍ର ୧୮୮୧ ରନ କରିଛନ୍ତି ।
କେମାର ରୋଚ (ଫାଷ୍ଟ ବୋଲର-୩୦): ୪୮ ଟେଷ୍ଟ ଖେଳି୧୬୩ ୱିକେଟ ଅକ୍ତିଆର କରିସାରିଥିଲେ ମଧ୍ୟ ରୋଚଙ୍କଠାରୁ ସ୍ଥିର ପ୍ରଦର୍ଶନ ମିଳିପାରି ନାହିଁ । ଦେ ଦଳର ପ୍ରମୁଖ ବୋଲର ।
ଜୋମେଲ ୱାରିକାନ (ବାମହାତୀ ସ୍ପିନର-୨୬): ୱାରିକାନଙ୍କ ପ୍ରଦର୍ଶନ ଉପରେ ୱେଷ୍ଟଇଣ୍ଡିଜର ଭାଗ୍ୟ ଅନେକାଂଶରେ ନିର୍ଭର କରୁଛି । କିନ୍ତୁ ସେ ନିଜକୁ ମ୍ୟାଚ୍ ୱିନର ଭାବେ ପ୍ରତିଷ୍ଠିତ କରାଇପାରି ନାହାନ୍ତି ।
ସେରମାନ ଲୁଇସ (ଫାଷ୍ଟ ବୋଲର-୨୨): ଆହତ ଫାଷ୍ଟ ବୋଲର ଆଲଜରୀ ଯୋଶେଫଙ୍କ ସ୍ଥାନରେ ସାମିଲ ହୋଇଥିବା ଏହି ଯୁବ ଫାଷ୍ଟ ବୋଲରଙ୍କ ଡେବ୍ୟୁ କରିବା ନେଇ ସନ୍ଦେହ ରହିଛି ।

Loading...
>