ପିତାଙ୍କ ନିଧନ ହେବା ପରେ ବସ କଣ୍ଡକ୍ଟର ମାଆ ଏମିତି ବନାଇଲେ ଭାରତୀୟ ଟିମର ଷ୍ଟାର

ମୁମ୍ବାଇ: ପ୍ରତିକୂଳ ପରିସ୍ଥିତିରେ ଥାଇ ମଧ୍ୟ ଦୃଢ଼ ସଂକଳ୍ପ ଓ ନିଷ୍ଠା ବଳରେ ସଫଳ ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନ୍ୟାନ୍ୟ କ୍ଷେତ୍ର ଭଳି କ୍ରିକେଟରେ ମଧ୍ୟ ଏଭଳି ବ୍ୟକ୍ତିଙ୍କ ଉଦାହରଣ ରହିଛି । ଏକ ଅତି ଗରିବ ପରିବାରରୁ ଆସିଥିବା ଜଣେ ଯୁବକ ପରବର୍ତ୍ତୀ ସମୟରେ ସଫଳତାର ସୋପାନରେ ପହଞ୍ଚିଥିବାର ନଜିର ରହିଛି । ତା’ ମଧ୍ୟରେ ଜଣେ ହେଲେ ମୁମ୍ବାଇର ଅଥର୍ବ ଆଙ୍କୋଲେକର । ଅଥର୍ବଙ୍କ ପିତା ଜଣେ ବସ୍ କଣ୍ଡକ୍ଟର ଭାବେ ଚାକିରି କରୁଥିଲେ । ପୁଅକୁ ଜଣେ ଭଲ କ୍ରିକେଟର କରାଇବା ତାଙ୍କର ଇଚ୍ଛା ଥିଲା । ତେବେ ଅଥର୍ବଙ୍କୁ ୧୦ ବର୍ଷ ହୋଇଥିବା ବେଳେ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ତାଙ୍କ ମା’ଙ୍କୁ କଣ୍ଡକ୍ଟର ଚାକରି ମିଳିଥିଲା । ଆର୍ଥିକ ଅନାଟନ ସତ୍ତେ୍ୱ ଅଥର୍ବଙ୍କୁ ତାଙ୍କ ମା’ କ୍ରିକେଟର କରାଇବା ଲାଗି ସବୁ ପ୍ରକାର ଚେଷ୍ଟା କରିଥିଲେ । ଅଭ୍ୟାସ ଠାରୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା କରାଇବାରେ ସେ ଲାଗି ପଡ଼ିଥିଲେ । ଶେଷରେ ଅଥର୍ବ ତାଙ୍କ ମା’ଙ୍କ ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୋଇଥିଲେ । ଜିଲ୍ଲାସ୍ତରରୁ ଧିରେ ଧିରେ ସେ ଜାତୀୟ ସ୍ତରକୁ ଉଠିଥିଲେ । ସଦ୍ୟ ସମାପ୍ତ ୧୯ବର୍ଷରୁ କମ୍ ଏସିଆ କପ୍ର ଫାଇନାଲରେ ଭାରତ ବାଂଲାଦେଶକୁ ପରାସ୍ତ କରି ଟାଇଟଲ୍ ଅର୍ଜନ କରିଛି । ଭାରତର ଏହି ବିଜୟରେ ଅଥର୍ବଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଏକ ଅତି କଷ୍ଟକର ସ୍ଥିତିରେ ଭାରତକୁ ଜିତାଇବାରେ ସେ ସାହାଯ୍ୟ କରିଥିଲେ । ୧୮-ବର୍ଷୀୟ ଅଥର୍ବ ଆଠ ଓଭରରେ ୨୮ ରନ୍ ବିନିମୟରେ ୫ଟି ୱିକେଟ୍ ନେଇଥିଲେ । ଯାହା ଭାରତ ପାଇଁ ଏକ ଆଶୀର୍ବାଦ ଥିଲା । ୩୩ ଓଭରରେ ଭାରତ ବାଂଲାଦେଶକୁ ୧୦୧ରେ ଅଲଆଉଟ୍ କରିଦେଇଥିଲା । ବର୍ତ୍ତମାନ ଅଥର୍ବ ଏକ କଲେଜରେ କମର୍ସ ପଢ଼ୁଛନ୍ତି । ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସେ ଆହୁରି ଅଧିକ କ୍ରିକେଟ୍ ଖେଳିବେ ବୋଲି କହିଛନ୍ତି ।

Loading...
>