ଶ୍ରୀଲଙ୍କା ସିରିଏଲ ବିସ୍ଫୋରଣ : ୬ ଭାରତୀୟ ସମେତ ୨୯୦ ମୃତ

କଲମ୍ବୋ : ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ରବିବାର ହୋଇଥିବା ୩ଟି ଚର୍ଚ୍ଚ ଏବଂ ବିଳାସପୂର୍ଣ୍ଣ ହୋଟେଲ ଉପରେ ହୋଇଥିବା ଆତ୍ମଘାତୀ ୮ଟି ବୋମା ବିସ୍ଫୋରଣରେ ୬ ଜଣ ଭାରତୀୟ ସମେତ ୨୯୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବୋମା ବିସ୍ଫୋରଣ ଘଟଣାରେ ୫୦୦ ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ୧୦ ବର୍ଷ ପୂର୍ବରୁ ଶ୍ରୀଲଙ୍କାରେ ଦେଖାଯାଇଥିବା ଶାନ୍ତି ବିସ୍ଫୋରଣ ପରେ ଶେଷ ହୋଇଯାଇଛି । ବିସ୍ଫୋରଣ ନେଇ କଲୋମ୍ବାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ଗୁଡ଼ିକ ହେଲା +୯୪୭୭୭୯୦୩୦୮୨, +୯୪୧୧୨୪୨୨୭୮୮, +୯୪୧୧୨୪୨୨୭୮୯, +୯୪୭୭୭୯୦୨୦୮୨ ଏବଂ ୯୪୭୭୨୨୩୪୧୭୬ । ଏଥି ସହିତ ଭାରତୀୟ ଉଚ୍ଚାୟୋଗ ଆବଶ୍ୟକ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ଗଣମାଧ୍ୟମକୁ ପୋଲିସ ମୁଖପାତ୍ର ରୁଭନ ଗୁନାସେକରା କହିଛନ୍ତି, ଦ୍ୱୀପର ଦେଶ ଶ୍ରୀଲଙ୍କାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ସ୍ଥାନୀୟ ସକାଳ ୮ଟା ୪୫ରେ ହୋଇଥିଲା । ଏହି ସମୟରେ ଇଷ୍ଟର ସଣ୍ଡେ ପାଇଁ ପ୍ରାର୍ଥନା ଚାଲିଥିଲା । କଲମ୍ବୋସ୍ଥିତ ସେଣ୍ଟ ଆଥନୀ ଚର୍ଚ୍ଚ, ପଶ୍ଚିମ ଉପକୂଳ ସହର ନେଗୋମ୍ବେର ସେଣ୍ଟ ସେବେଷ୍ଟିୟାନ ଚର୍ଚ୍ଚ ଏବଂ ବଟ୍ଟିକଲୋଭାର ଅନ୍ୟ ଏକ ଚର୍ଚ୍ଚରେ ବିସ୍ଫୋରଣ ଘଟିଥିଲା । ସେହିପରି ଅନ୍ୟ ୩ଟି ବିସ୍ଫୋରଣ ୫ ତାରକା ହୋଟେଲ-ସଙ୍ଗରିଲା ଓ ସିନାମୋନ ଗ୍ରାଣ୍ଡ ଏବଂ ଦ କିଙ୍ଗସବରୀରେ ହୋଇଥିଲା । ଅଧିକାରୀଙ୍କ ମତରେ ସିନାମୋନ ଗ୍ରାଣ୍ଡ ହୋଟେଲର ରେସ୍ତୋରାରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ଆକ୍ରମାଣକାରୀ ନିଜକୁ ନିଜେ ଶେଷ କରିଦେଇଥିଲା । ଶ୍ରୀଲଙ୍କାର ପର୍ଯ୍ୟଟନ ବିଭାଗର ଅଧ୍ୟକ୍ଷ କିଶୁ ଗୋମ୍ସ କହିଛନ୍ତି, କ୍ରମାଗତ ବିସ୍ଫୋରଣରେ ୩୩ ଜଣ ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ, ଗୋଟିଏ ସଂଗଠନ ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି । ଏଯାଏଁ ୧୨ ଜଣ ବିଦେଶୀ ନାଗରିକଙ୍କ ପରିଚୟ ମିଳି ପାରିଛି । ଏଥିରେ ୬ ଜଣ ଭାରତୀୟ ଥିବା ବେଳେ, ୨-୨ ଜଣ ଚୀନ ଓ ପୋଲାଣ୍ଡର ଅଛନ୍ତି । ଡେନମାର୍କ, ଜାପାନ, ପାକିସ୍ତାନ, ଆମେରିକା, ମୋରକ୍କୋ ଏବଂ ବାଂଲାଦେଶର ଜଣେ ଲେଖାଏଁ ନାଗରିକ ଅଛନ୍ତି । ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଟୁଇଟ କରି ୩ ଜଣ ଭାରତୀୟଙ୍କୁ ଲକ୍ଷ୍ମୀ, ନାରାୟଣ ଚନ୍ଦ୍ରଶେଖର ଓ ରମେଶ ବୋଲି କହିଛନ୍ତି ।

Loading...
>