ଦାୟିତ୍ୱ ମିଳିବା ସମ୍ମାନର ବିଷୟ : ରୋହିତ

ନୂଆଦିଲ୍ଲୀ : କିଏ କେତେ ମ୍ୟାଚ୍ ଖେଳିଛି ତାହା ବଡ଼ କଥା ନୁହେଁ । କିଏ ଦାୟିତ୍ୱକୁ ଠିକ୍ ଭାବରେ ତୁଲାଇ ପାରିଛି, ତାହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ମୁଁ ଗୋଟିଏ ମ୍ୟାଚ୍ ଖେଳେ କି ଶହେଟି । ସେଥିରେ କିଛି ଫରକ ନାହିଁ । ଅଧିନାୟକ ଦାୟିତ୍ୱ ଅର୍ପଣ କରାଯିବା ଏକ ମହତ୍ୱପୂର୍ଣ୍ଣ ଘଟଣା । ମୋତେ ଏହି ଦାୟିତ୍ୱ ମିଳିବା ମୋ ପାଇଁ ଏକ ବଡ଼ ସମ୍ମାନ ବୋଲି କହିଛନ୍ତି ରୋହିତ ଶର୍ମା । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ରେ ରୋହିତ ଅଧିନାୟକତ୍ୱ କରୁଥିବା ବେଳେ କ୍ରିକେଟ୍ ମହଲରେ ଅନେକ ପ୍ରଶ୍ନ ଉଠିଛି । ଏଥର ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଦଳକୁ ଠିକ୍କଣା ଦିଗରେ ପରିଚାଳିତ କରିବାରେ ସକ୍ଷମ ହେବେ କି ନାହିଁ କେତେକ ପୂର୍ବତନ କ୍ରିକେଟର ଚର୍ଚ୍ଚା କରିଛନ୍ତି । ରୋହିତ କହିଛନ୍ତି ଯେ, କାହାକୁ ଅଧିନାୟକତ୍ୱ ଦୟିତ୍ୱ ମିଳିବ ତାହା ଆମ ହାତରେ ନାହିଁ । ଚୟନ କମିଟି ଯେତେବେଳେ ଯାହାକୁ ଉଚିତ୍ ମନେ କରିବ ଦାୟିତ୍ୱ ଦେବେ । ବର୍ତ୍ତମାନ ମୋତେ ସେମାନେ ଏହି ପଦ ପାଇଁ ଉପଯୁକ୍ତ ବିବେଚନା କରିଛନ୍ତି । ମୋର ଦାୟିତ୍ୱ ହେଉଛି ମୁଁ ଏହାକୁ କିପରି ଠିକ୍ ଭାବରେ ତୁଲାଇବି । ଅତୀତରେ ଖେଳାଳିମାନଙ୍କ ଠାରୁ ଭଲ ସହଯୋଗ ପାଇଥିଲି । ଏଥର ମଧ୍ୟ ଅନୁରୂପ ସହଯୋଗ ମିଳିବ ବୋଲି ଆଶା କରୁଛି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ । ଘରୋଇ ମାଟିରେ ଖେଳାଯାଉଛି । ଆଗକୁ ମଧ୍ୟ ଆଉ କେତୋଟି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ରହିଛି । ତା\’ସହିତ ସୌରଭ ଗାଙ୍ଗୁଲିର ବିସିସିଆଇର ନୂଆ ସଭାପତି ହୋଇଛନ୍ତି । ଏଭଳି ଏକ ସମୟରେ ମୋତେ ଅଧିନାୟକତ୍ୱ ଦାୟିତ୍ୱ ମିଳିବା ନିଶ୍ଚିତ ଭାବରେ ଏକ ମହତ୍ୱପୂର୍ଣ୍ଣ ଘଟଣା । ମୋ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ୍ ଓ ସମ୍ମାନର ବିଷୟ ହେବ ବୋଲି ରୋହିତ କହିଛନ୍ତି ।

Loading...
>