ରୋହିତ୍‌ଙ୍କୁ ବିଶ୍ରାମ

ନୂଆଦିଲ୍ଲୀ- ବ୍ୟସ୍ତବହୁଳ କ୍ରିକେଟ ଓ କାର୍ଯ୍ୟଭାରକୁ ଦୃଷ୍ଟିରେ ରଖି ଭାରତୀୟ ତାରକା ଓପନର ରୋହିତ ଶର୍ମାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଅନଅଫିସିଆଲ ଟେଷ୍ଟ ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ଯଦିଓ ତାଙ୍କୁ ଏହି ମ୍ୟାଚ୍‌ ପାଇଁ ପୂର୍ବରୁ ଦଳରେ ସାମିଲ କରାଯାଇଥିଲା। ରୋହିତ ଇତିମଧ୍ୟରେ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫଳରେ ସେ ଭାରତୀୟ ଟି୨୦ ଦଳ ସହ ଶୁକ୍ରବାର ସିଧା ଅଷ୍ଟ୍ରେଲିଆ ଯିବେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମେଡିକାଲ ଟିମ୍‌ ରୋହିତଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛି। ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନ କମିଟି ସହ ଆଲୋଚନା କରି ମେଡିକାଲ ଟିମ୍‌ ଏହି ପରାମର୍ଶ ଦେଇଛି। ରୋହିତ୍‌ଙ୍କ ଉପରୁ କାର୍ଯ୍ୟଭାର କମାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ବିସିସିଆଇ ତରଫରୁ କୁହାଯାଇଛି। ସୀମିତ ଓଭର କ୍ରିକେଟରେ ଦମ୍‌ଦାର ପ୍ରଦର୍ଶନ କରି ରୋହିତ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ୪ ଦିନିଆ ମ୍ୟାଚ୍‌ ପାଇଁ ରୋହିତ ଆଜିଙ୍କ୍ୟ ରାହାନେ, ମୁରଲୀ ବିଜୟ, ହନୁମା ବିହାରୀ, ପାର୍ଥତ୍ବ ପଟେଲ ଓ ପୃଥ୍ବୀ ଶଙ୍କ ଦଳରେ ସାମିଲ ହୋଇଥିଲେ। ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ଭାରତୀୟ ବ୍ୟାଟ୍ସମ୍ୟାନ ପାଇଁ ବେଶ୍‌ ଲାଭଦାୟକ ହେବ ବୋଲି ଭାରତ ଏ’ କୋଚ୍‌ ରାହୁଲ ଡ୍ରାଭିଡ କହିଛନ୍ତି। ଭାରତ ଏ’ ଦଳରେ ରୋହିତ୍‌ଙ୍କ ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯାଇ ନାହିଁ। ଡିସେମ୍ବର ୬’ ତାରିଖରେ ଆଡିଲେଡରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ରୋହିତ ଏବେ ମାତ୍ର ଗୋଟିଏ ଅଭ୍ୟାସ ମ୍ୟାଚ୍‌ ଖେଳିବେ। ତେବେ ଏହା ପୂବରୁ ସେ ୩ଟି ଟି୨୦ ମ୍ୟାଚ୍‌ ଖେଳିବେ। ଆସନ୍ତା ୨୧ ତାରିଖରେ ଗାବାରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ସିରିଜରେ ରାହାନେ ଭାରତ ଏ’ର ନେତୃତ୍ୱ ନେବେ।

Loading...
>