“ଚତୁର୍ଥ ସ୍ଥାନରେ ବ୍ୟାଟିଂ ଜାରି ରଖିବେ ପନ୍ତ୍’

ଏଜବାଷ୍ଟନ୍ : ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତ ପକ୍ଷରୁ ବିଶ୍ୱକପ୍ରେ ନିଜର ପ୍ରଥମ ମ୍ୟାଚ୍ ଖେଳିଥିଲେ ଯୁବ ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ । ତେବେ ଏହି ଖେଳାଳି ଜଣକ ୨୯ ବଲ୍ ଖେଳି ୪ ଚୌକା ସହ ୩୨ ରନ୍ କରିଥିଲେ । ସେ ତାଙ୍କ ଦକ୍ଷତାନୁସାରେ ଦମ୍ଦାର ଇନିଂସ ଖେଳିବାରେ ବିଫଳ ହେବାରୁ ଭାରତ ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କରିଥିଲା । କିନ୍ତୁ ଏହା ସତ୍ତେ୍ୱ ବି ପନ୍ତଙ୍କୁ ମଙ୍ଗଳବାର ଚୂଡ଼ାନ୍ତ ଏକାଦଶରେ ରଖାଯିବ ଓ ସେ ୪ ନମ୍ବର ସ୍ଥାନରେ ବ୍ୟାଟିଂ ଜାରି ରଖିବେ ବୋଲି କହିଛନ୍ତି ଭାରତୀୟ ଦଳର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ବାଙ୍ଗର କହିଛନ୍ତି ଯେ ଶିଖର ଧୱନ୍ ଟୁର୍ଣ୍ଣାମେଣ୍ଟ୍ରୁ ବାଦ୍ ପଡ଼ିବା ଫଳରେ ଦଳ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ଙ୍କ ଆବଶ୍ୟକ କରୁଥିଲା । ପନ୍ତ୍ ଉକ୍ତ ଆବଶ୍ୟକତାକୁ ପୂରଣ କରିଛନ୍ତି । ତା’ଛଡ଼ା ପ୍ରଥମ ବିଶ୍ୱକପ୍ ମ୍ୟାଚରେ ସେ ଆଦୌ ଖରାପ ଖେଳିନାହାନ୍ତି । ସେ ୩୨ ରନ୍ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଆଭରେଜ୍ ପାର୍ଟନରଶିପ୍ ମଧ୍ୟ କରିଛନ୍ତି । ତା’ଛଡ଼ା ଏକାଧିକ ଭଲ ଶଟ୍ ମଧ୍ୟ ଖେଳିଛନ୍ତି । ତେଣୁ ଚତୁର୍ଥ ସ୍ଥାନରେ ସେ ହିଁ ବ୍ୟାଟିଂ ଜାରି ରଖିବେ ବୋଲି ବାଙ୍ଗର କହିଛନ୍ତି । ହାର୍ଦ୍ଦିକଙ୍କ ପୂର୍ବରୁ ପନ୍ତଙ୍କୁ ବ୍ୟାଟିଂ ଦେବା ସମ୍ପର୍କରେ ବାଙ୍ଗର କହିଛନ୍ତି ଯେ ପଡ଼ିଆରେ ବାମ-ଡାହାଣହାତୀ ବ୍ୟାଟ୍ସ ମ୍ୟାନ୍ଙ୍କ ମହଜୁଦ ପ୍ରତିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିପାରିବ ବୋଲି ମନେ କରି ଏପରି ନିଷ୍ପତ୍ତି ନିଆଯାଇଥିଲା । ପନ୍ତ୍ଙ୍କ ଉପସ୍ଥିତି କାରଣରୁ ଇଂଲିଶ୍ ସ୍ପିନର୍ ଆଦିଲ୍ ରଶିଦଙ୍କୁ ମଧ୍ୟ ରୋକିବା ସକାଶେ ତାଙ୍କୁ ଆଗୁଆ ବ୍ୟାଟିଂ ସୁଯୋଗ ଦିଆଯାଇଥିଲା ବୋଲି ବାଙ୍ଗର କହିଛନ୍ତି ।

Loading...
>