“ଜଣେ ଭିନ୍ନ ମୟଙ୍କଙ୍କୁ ଦେଖିବାକୁ ପାଇଲି’

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିଶାଖାପାଟଣାର ଷ୍ଟାଡିୟମରେ ଜଣେ ଭିନ୍ନ ମୟଙ୍କ ଅଗ୍ରୱାଲଙ୍କୁ ଦେଖିବାକୁ ପାଇଲି । ମୋତେ ଲାଗୁଥିଲା, ମୁଁ ଏହି ଯୁବକଙ୍କୁ କେବେବି ଦେଖିନାହିଁ । ମୁଁ ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ ଯେ, ଏ କ’ଣ ସେହି ମୟଙ୍କ । ଯିଏ ଅଷ୍ଟ୍ରେଲିଆରେ ଭାରତକୁ ନିରାଶ କରିଥିଲେ । ପ୍ରଥମ ଇଂନିସରେ ଶତକକୁ ଦ୍ୱିଶତକରେ ପରିଣତ କରିଥିବା ଏହି ମୟଙ୍କଙ୍କ ବ୍ୟାଟିଂ ବାସ୍ତବରେ ଅତି ଚମତ୍କାର ଥିଲା । ଏଭଳି ରୋଚକ ପ୍ରତିକ୍ରିୟା ରଖିଛନ୍ତି କୋଚ୍ ମୁରଲୀଧର । ମୟଙ୍କ ଦ୍ୱିଶତକ କରିବା ପରେ ପାଭିଲିୟନକୁ ଫେରି ଆସି ପ୍ରଥମେ ମୁରଲୀଧରଙ୍କୁ ଭେଟିଥିଲେ । ତାଙ୍କୁ ଅତି ଉତ୍ସୁକତାର ସହ ପଚାରିଥିଲେ, ସାର୍ ଆପଣ ଟିଭିରେ ମୋ ବ୍ୟାଟିଂ ଦେଖିଛନ୍ତି କି? ଏହାର ଉତ୍ତରରେ ମୁରଲୀଧର କହିଥିଲେ, ଦେଖିଛି; କିନ୍ତୁ ଏ ଜଣେ ଭିନ୍ନ ମୟଙ୍କ ଥିଲେ । ଅଷ୍ଟ୍ରେଲିଆରେ ଯାହାଙ୍କୁ ଦେଖିଥିଲି ଏ ସେହି ମୟଙ୍କ ବୋଲି ବିଶ୍ୱାସ କରିପାରୁ ନାହିଁ । ଏହାଥିଲା ମୟଙ୍କଙ୍କ ପଞ୍ଚମ ଟେଷ୍ଟ ମ୍ୟାଚ୍ । ମୟଙ୍କ ପ୍ରଥମ ଇଂନିସରେ ୨୧୫ ରନ୍ କରିଥିଲେ । ସେଥିରେ ଥିଲା ୨୩ଟି ଚୌକା ଓ ୬ଟି ଚମତ୍କାର ଛକ୍କା । ସେହିପରି, ଗୋଟିଏ ଇଂନିସରେ ଶତକକୁ ଦ୍ୱିଶତକ ପରିଣତ କରିବାରେ ସେ ଚତୁର୍ଥ ଭାରତୀୟ । ରୋହିତଙ୍କ ପ୍ରସ୍ଥାନ ପରେ ମୟଙ୍କ ଚମତ୍କାର ପ୍ରଦର୍ଶନ କରି ଦର୍ଶକମାନଙ୍କୁ ଅଭିଭୂତ କରିଥିଲେ । ସେ ୨୦୪ ବଲରୁ ପ୍ରଥମ ଶତକ କରିଥିଲେ ଏବଂ ୧୫୪ ବଲରେ ତାହା ଦ୍ୱିତୀୟ ଶତକରେ ପରିଣତ ହୋଇଥିଲା । ମୂରଲୀଧର କହିଛନ୍ତି ଯେ, ପଡ଼ିଆରେ ରୋହିତ ଶର୍ମାଙ୍କ ପରାମର୍ଶ ମୟଙ୍କଙ୍କ କାମରେ ଆସିଥିଲା । ଖେଳୁଥିଲା ବେଳେ ସେ ତାଙ୍କୁ କେତେକ ଟିପ୍ସ ଦେଇଥିଲେ । ଯାହାକୁ ମୟଙ୍କ ଗ୍ରହଣ କରି କାମରେ ଲଗାଇଥିଲେ ଏବଂ ସେଥିରୁ ସୁଫଳ ମଧ୍ୟ ମିଳିଥିଲା । ଏକଥା ମୟଙ୍କ ନିଜେ ସ୍ୱୀକାର କରିଛନ୍ତି ।

Loading...
>