୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ବାଂଲାଦେଶକୁ ପ୍ରଥମ ଟାଇଟଲ

ପୋଚେଫ୍ସଟ୍ରୁମ୍‌: ଅଣ୍ଡରଡଗ୍‌ କୁହାଯାଉଥିବା ବାଂଲାଦେଶ ଏଥର ୧୯ ବର୍ଷରୁ କମ୍‌ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ସ୍ଥାନୀୟ ସେନଓ୍ବେଜ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍‌ରେ ବାଂଲାଦେଶ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ଗତଥରର ଚାମ୍ପିୟନ ଭାରତକୁ ୨୩ଟି ବଲ୍‌ ବାକି ରଖି ୩ ଉଇକେଟରେ ପରାସ୍ତ କରିଛି। ଏଥିସହିତ ପ୍ରଥମଥର ପାଇଁ ବାଂଲାଦେଶ ବିଶ୍ୱକପ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ ଓଭରରେ ୧୭୭ ରନକରି ଅଲଆଉଟ ହୋଇଥିଲା। ମ୍ୟାଚ୍‌ର ଶେଷ ଆଡକୁ ବର୍ଷା ହେବା କାରଣରୁ ବାଂଲାଦେଶ ସମ୍ମୁଖରେ ଡକ୍‌ଓ୍ବର୍ଥ ଲୁଇସ୍‌ ନିୟମରେ ୪୬ ଓଭରରେ ପରିବର୍ତ୍ତିତ ୧୭୦ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ବାଂଲାଦେଶ ଏହାକୁ ୪୨.୧ ଓଭରରେ ହାସଲ କରିନେଇଥିଲା। ୧୭୮ ରନ ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ଭଲ ଆରମ୍ଭ କରିଥିଲା। ପ୍ରଥମ ଉଇକେଟରେ ଦୁଇ ଓପନର ପରଭେଜ ହୋସେନ ଇମୋନ ଓ ତାନ୍‌ଜିଦ୍‌ ହାସନ ୫୦ ରନ ସଂଗ୍ରହ କରିଥିଲେ। ତେବେ ତାନଜିଦ ୧୭ ରନ କରି ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ବିଷ୍ଣୋଇଙ୍କୁ ସମ୍ମୁଖୀନ ହୋଇ ନ ପାରି ବାଂଲାଦେଶ କେତୋଟି ଉଇକେଟ ହରାଇଥିଲା। ଇମୋନ ୪୭ ରନକରି ଆଉଟ ହୋଇଥିବା ବେଳେ ଅଧିନାୟକ ଆକବର ଅଲି ଧୈର୍ଯ୍ୟର ସହ ବ୍ୟାଟିଂ କରି ୪୩ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ବିଷ୍ଣୋଇ ସର୍ବାଧିକ ୪, ସୁଶାନ୍ତ ମିଶ୍ରା ୨ ଓ ଜୈସୁଆଲ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Loading...
>