ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଏହି ଦୁଇ ବାଂଲାଦେଶ କ୍ରିକେଟର

ଢାକା : ଗତ ସପ୍ତାହରେ ନ୍ୟୁଜିଲାଣ୍ଡ୍ର କ୍ରାଏଷ୍ଟ୍ଚର୍ଚ୍ଚସ୍ଥିତ ଦୁଇଟି ମସଜିଦ୍ ଉପରେ ଜଣେ ଆତଙ୍କବାଦୀ ଗୁଳିବର୍ଷା କରିବା ଫଳରେ ୫୦ରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁଙ୍କୁ ଜୀବନ ହରାଇବାକୁ ପଡ଼ିଛି । ତେବେ ଉକ୍ତ ଗୁଳିକାଣ୍ଡ ଘଟଣା ନିଜ ଆଖିରେ ଦେଖିଥିବା ବାଂଲାଦେଶ କ୍ରିକେଟ୍ ଦଳର ସଦସ୍ୟମାନେ ବେଶ୍ ଭୟଭୀତ ହୋଇପଡ଼ିଥିଲେ । ସେମାନେ ମସଜିଦ୍ରେ ପହଞ୍ଚିବାର ୫ ମିନିଟ୍ ପୂର୍ବରୁ ଏହି ନରସଂହାର ଆରମ୍ଭ ହୋଇଯାଇଥିଲା । ସେମାନେ ବସ୍ରେ ଥାଇ ଏସବୁ ଅଘଟଣର ମୂକସାକ୍ଷୀ ହୋଇଥିଲେ । ଫଳରେ ଖେଳାଳିମାନେ ଏତେ ମାତ୍ରାରେ ଭୀତତ୍ରସ୍ତ ହୋଇପଡ଼ିଥିଲେ ଯେ ସେମାନଙ୍କୁ ଶେଷରେକ୍ରାଏଷ୍ଟ୍ଚର୍ଚ୍ଚଠାରେ ଖେଳାଯିବାକୁ ଥିବା ଶେଷ ଟେଷ୍ଟ୍ ବାତିଲ୍ କରି ସ୍ୱଦେଶ ବାହୁଡ଼ିବାକୁ ପଡ଼ିଥିଲା । ଖେଳାଳିଙ୍କ ମାନସିକ ସ୍ଥିତି ଅନୁଭବ କରି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏପରି ନିଷ୍ପତ୍ତି ନେଇଥିଲା ।

ତେବେ ସ୍ୱଦେଶ ଫେରିବା ପରେ ନିଜର ମାନସିକ ସ୍ଥିତିକୁ ସୁଧାରିବା ସକାଶେ ଦୁଇ ଜଣ କ୍ରିକେଟର୍ ସେମାନଙ୍କ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ସେମାନେ ହେଲେ ବାମହାତୀ ଦ୍ରୁତ ବୋଲର୍ ମୁସ୍ତାଫିଜୁର୍ ରହମାନ୍ ଓ ସ୍ପିନର୍ ମେହଦୀ ହସନ୍ ମିରାଜ୍ । ମୁସ୍ତାଫିଜୁର୍ ଢାକା ୟୁନିଭର୍ସିଟିର ମନସ୍ତତ୍ତ୍ୱ ବିଭାଗ ଛାତ୍ରୀ ସମିଆ ପରବିନ୍ଙ୍କୁ ବିବାହ କରିଛନ୍ତି । ଶୁକ୍ରବାର ସାତଖିରାର ହାଦିପୁରଠାରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ଅଚାନକ ବିବାହ ସମ୍ପର୍କରେ ମୁସ୍ତାଫିଜୁର୍ଙ୍କ ବଡ଼ ଭାଇ ମହଫୁଜୁର୍ ରହମାନ୍ ମିଠୁ କହିଛନ୍ତି ଯେ ନ୍ୟୁଜିଲାଣ୍ଡ୍ରୁ ଫେରିବା ପରେ ସେ ବେଶ୍ ଉଦାସ ରହୁଥିଲେ । ତେଣୁ ମା’ ତାଙ୍କର ବିବାହ ସ୍ଥିର କରିଥିଲେ । ମାତ୍ର ୨/୩ ଦିନ ମଧ୍ୟରେ
ବିବାହ ସ୍ଥିର ହୋଇଥିବା ବେଳେ ଆଗାମୀ ବିଶ୍ୱକପ୍ ପରେ ରିସେପ୍ସନ୍ ଅନୁଷ୍ଠିତ ହେବ ବୋଲି ମିଠୁ କହିଛନ୍ତି । ସେହିପରି ୨୧ ବର୍ଷୀୟ ମିରାଜ୍ ତାଙ୍କ ବାସଭବନରେ ରାବେୟା ଅଖ୍ତର୍ ପ୍ରୀତି ନାମ୍ନୀ କନ୍ୟା ସହ ବିବାହ କରିଛନ୍ତି । ଏନେଇ ମିରାଜ୍ ଫେସ୍ବୁକ୍ରେ ସୂଚନା ଦେବା ସହ ତାଙ୍କ ପ୍ରଶଂସକଙ୍କ ଆଶୀର୍ବାଦ କାମନା କରିଛନ୍ତି ।

Loading...
>