ସାଥୀ ଖେଳାଳିଙ୍କ ଉପରେ ରାଗିଲେ କୋହଲି, ଠିକରେ ଯଦି ବ୍ୟାଟିଂ କରିହେଉନି, ତା’ହେଲେ ଶିଖିବା ପାଇଁ ଉଦ୍ୟମ କର

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ପରେ ଅଧିନାୟକ ବିରାଟ କୋହଲି ଅପ୍ରତ୍ୟାଶିତ ଭାବେ ନିଜର ବିରକ୍ତି ଭାବ ଉଦ୍ଗାର କରିଛନ୍ତି । ବିଶେଷ କରି ବ୍ୟାଟ୍ସମ୍ୟାନ୍ମାନଙ୍କ ଉପରେ ସେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ତାଙ୍କର କ୍ରୋଧ ଓ ଅସନ୍ତୋଷ ଏତେ ତୀବ୍ର ଥିଲା ଯେ, ସେ ପ୍ରତିକ୍ରିୟାରେ କହିଥିଲେ ଆମେ ହାରିବା ପାଇଁ ଯୋଗ୍ୟ । ମ୍ୟାଚ୍ରେ ଆମେ ଅନେକ ଭୁଲ୍ କରିଛୁ । ଭୁଲ୍କୁ ଘୋଡ଼ାଇବା ପରିବର୍ତ୍ତେ ସ୍ୱୀକାର କରିବା ଉଚିତ୍ । ଠିକ୍ରେ ଯଦି ବ୍ୟାଟିଂଂ କରିହେଉନି, ତା’ହେଲେ ଶିଖିବା ପାଇଁ ଉଦ୍ୟମ କର । ସାଥୀ ଖେଳାଳିଙ୍କୁ ଏଭଳି ବାଣୀ ଶୁଣାଇଛନ୍ତି କୋହଲି । ସେ କହିଛନ୍ତି ଯେ, ଆମେ ଆଦୌ ଭଲ ଖେଳିଲୁ ନାହିଁ । ଆରମ୍ଭରେ ବୋଲିଂ ଭଲ ଥିଲା; କିନ୍ତୁ ବ୍ୟାଟିଂରେ ଆଶାନୁରୂପ ଭାବେ ହିଟ୍ କରିପାରିଲୁ ନାହିଁ । ଉଭୟ ବ୍ୟାଟିଂ ଓ ବୋଲିଂରେ ଆମେ ଆହୁରି ଅଧିକ ଭଲ ପ୍ରଦର୍ଶନ କରିପାରିଥାନ୍ତୁ । କିନ୍ତୁ ବେପରୁଆ ମନୋଭାବ ଯୋଗୁଁ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଲା । କୋହଲି ଏକଥା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ୱାନ୍ ମ୍ୟାନ୍ ଆର୍ମି ନୁହଁନ୍ତି । ଅନ୍ୟମାନେ ନଖେଳିଲେ ସେ ଏକୁଟିଆ କ’ଣ କରିବେ? ସେ ଭଲ ବ୍ୟାଟିଂ କରୁଛନ୍ତି ବୋଲି ତାଙ୍କୁ ୱାନ୍ ମ୍ୟାନ୍ ଆର୍ମିର୍ କୁହାଯିବା ବା ବିବେଚନା କରାଯିବା ଉଚିତ୍ ହେବ ନାହିଁ । ଯାହା ଭୁଲ୍ ହୋଇଛି, ତାକୁ ମୁଣ୍ଡ ଭିତରେ ଅଧିକ ସମୟ ରଖିବା ପରିବର୍ତ୍ତେ ସେଗୁଡ଼ିକୁ ମୁଣ୍ଡରୁ ଫୋଫାଡ଼ି ସୁଧାରିବା ପାଇଁ ଚେଷ୍ଟା କରାଯିବା ହିଁ ଠିକ୍ ହେବ । ବିପକ୍ଷ ଦଳ ଠାରୁ ମଧ୍ୟ କିଛି ଶିଖିବାର ଅଛି । ଏହାକୁ ହେୟଜ୍ଞାନ କରିବା ନିଜ ପାଇଁ ବିପଦ ଆଣିଦେବ ବୋଲି ସେ କହିଥିଲେ ।

Loading...
>