ଦିଲ୍ଲୀ ରଣଜୀ ଅଧିନାୟକ ପଦ ଛାଡ଼ିଲେ ଗମ୍ଭୀର

ନୂଆଦିଲ୍ଲୀ: ଦିଲ୍ଲୀ ରଣଜୀ ଟିମ୍ର ଅଧିନାୟକ ପଦରୁ ଗୌତମ ଗମ୍ଭୀର ଅବ୍ୟାହତି ନେଇଛନ୍ତି । ନୂଆ ପିଲାଙ୍କୁ ସୁଯୋଗ ଦେବା ପାଇଁ ପଥ ପରିଷ୍କାର କରିବା ନିମନ୍ତେ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ନୀତିଶ ରାଣାଙ୍କୁ ନିଯୁକ୍ତ କରାଯାଇଛି । ଦିଲ୍ଲୀ ଓ ଜିଲ୍ଳା କ୍ରିକେଟ୍ ଆସୋସିଏସନ୍ (ଡିଡ଼ିସିଏ) ଦ୍ୱାରା ସୋମବାର ଜାରି ଏକ ବିବୃତିରେ କୁହାଯାଇଛି ଯେ, ଗୌତମ ନିକଟରେ ତାଭ୍କର ଏହି ଇଚ୍ଛା ସମ୍ପର୍କରେ ଚୟନ କମିଟିର ମୁଖ୍ୟ ଅମିତ୍ ଭଣ୍ଡାରୀଙ୍କୁ ଜଣାଇଥିଲେ । ଜଣେ ଯୁବ କ୍ରିକେଟରଙ୍କୁ ଏହି ଦାୟିତ୍ୱ ଦିଆଯାଉ ବୋଲି ସେ ଚାହୁଁଥିଲେ । ଯାହାଫଳରେ ସେହି ଯୁବ ଖେଳାଳିଜଣକ ଜଣେ ପରିପକ୍ୱ କ୍ରିକେଟର ଭାବେ ଗଢ଼ି ତୋଳିବା ପାଇଁ ସୁଯୋଗ ପାଇପାରିବେ । ନୀତିଶ ରାଣାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ଅତ୍ୟନ୍ତ ଖୁସି । ସେ ଦଳକୁ ଉପଯୁକ୍ତ ନେତୃତ୍ୱ ଦେଇପାରିବେ । ତାଙ୍କୁ ସହାୟତା କରିବେ ଧ୍ରୁବ ସୋରେ । ୨୪-ବର୍ଷୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ରାଣା ବର୍ତ୍ତମାନ ସୁଦ୍ଧା ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ପଦାର୍ପଣ କରିସାରିଛନ୍ତି । ସେହିପରି, ଧ୍ରୁବ ୨୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଶୀର୍ଷ କ୍ରମରେ ଖେଳୁଥିବା ଧ୍ରୁବଙ୍କଠାରେ ନେତୃତ୍ୱ ନେବାର କ୍ଷମତା ଓ ଗୁଣ ରହିଛି । ସେ ନୀତିଶଙ୍କୁ ଉପଯୁକ୍ତ ସହାୟତା ଦେଇପାରିବେ ବୋଲି ବିବୃତିରେ କୁହାଯାଇଛି । ନଭେମ୍ବର ୧୨ରେ ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍ ଖେଳିବ । ଫିରୋଜ୍ସାହା କୋଟଲାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଖେଳାଳି ଚୟନ ଚୂଡ଼ାନ୍ତ ହୋଇସାରିଛି । କେବଳ ଘୋଷଣା ବାକି ଅଛି । ସିଜିନ୍ ଆରମ୍ଭରୁ ଗମ୍ଭୀର ଅଧିନାୟକ ଦାୟିତ୍ୱ ନେଇ ଦିଲ୍ଲୀକୁ ବିଜୟ ହଜାରେ ଫାଇନାଲରେ ପହଞ୍ଚାଇଥିଲେ । ତା’ସହିତ ଜାତୀୟ ଏକଦିବସୀୟରେ ୫୦୦ ରନ୍ ସଂଗ୍ରହ କରିଥିଲେ । ୩୭-ବର୍ଷୀୟ ଗମ୍ଭୀର ଚାରି ମ୍ୟାଚ୍ ବିଶିଷ୍ଟ ଏହି ରଣଜୀ ସିଜିନ୍ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Loading...
>