ପର୍ଯ୍ୟଟକଙ୍କୁ କୋହଲିଙ୍କ ପରାମର୍ଶ : କେରଳ ଆସନ୍ତୁ ଏବଂ ସୌନ୍ଦର୍ଯ୍ୟ ଉପଭୋଗ କରନ୍ତୁ

ଥିରୁବନନ୍ତପୁରମ୍ : କେରଳ ଦେବଭୂମୀ । ଏଠାରେ ସୌନ୍ଦର୍ଯ୍ୟ ଓ ପ୍ରାକୃତିକ ସମ୍ପଦ ଭରପୁର । କିଛି ଦିନ ପାଇଁ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଏହା କ୍ଷତିଗ୍ରସ୍ତ ହୋଇଥିଲା; କିନ୍ତୁ ବର୍ତ୍ତମାନ ସ୍ଥିତି ସଂପୂର୍ଣ୍ଣ ଭାବରେ ବଦଳି ଯାଇଛି ଏବଂ ଏହା ସ୍ୱାଭାବିକ ସ୍ଥିତିକୁ ଫେରିଆସିଛି । ସବୁ ଦୃଷ୍ଟିରୁ ଏହା ବର୍ତ୍ତମାନ ନିରାପଦ । ତେଣୁ ପର୍ଯ୍ୟଟକମାନେ ବିନା ଦ୍ୱନ୍ଦ୍ୱରେ ଏବେ ପରିଭ୍ରମଣ ପାଇଁ କେରଳ ଆସିବାରେ କୌଣସି ଅସୁବିଧା ନାହିଁ । ଏଭଳି ପରାମର୍ଶ ଦେଇଛନ୍ତି ବିରାଟ କୋହଲି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପଞ୍ଚମ ଓ ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ଲାଗି ବର୍ତ୍ତମାନ ଭାରତୀୟ ଟିମ୍ ଥିରୁବନନ୍ତପୁରମ୍ରେ ଅବସ୍ଥାନ କରୁଛନ୍ତି । ସେମାନେ ଯେଉଁ ରିସର୍ଟରେ ରହୁଛନ୍ତି ତାହାର ଭିଜିଟର୍ସ ଡାଏରୀରେ କୋହଲି ଏଭଳି ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ, କେରଳ ଆସିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ଏହା ଇଶ୍ୱରଙ୍କ ଆଶୀର୍ବାଦ । କେରଳର ସୌନ୍ଦର୍ଯ୍ୟ ଅନନ୍ୟ ଏବଂ ଏହାକୁ ଉପଭୋଗ କରିବାର ସୌଭାଗ୍ୟ ମିଳିପାରିଛି । ଏହି ଅବସରରେ ମୁଁ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରିବାକୁ ଚାହେଁ ଯେ, ସେମାନେ କେରଳ ଆସନ୍ତୁ ଏବଂ ଏହି ଦେବଭୂମୀର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ । କାରଣ କେରଳରେ ବର୍ତ୍ତମାନ ଆଉ କୌଣସି ବିପଦ ନାହିଁ । ବନ୍ୟା ପ୍ରଭାବିତ ଅଞ୍ଚଳଗୁନିକ ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ସ୍ୱାଭାବିକ ସ୍ଥିତିକୁ ଫେରି ଆସିଛି । ତେଣୁ ଏହି ରାଜ୍ୟକୁ ପରିଦର୍ଶନରେ ଆସିବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।
ଟିମ୍ ଇଣ୍ଡିଆ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳୁଛି । ବିରାଟ ସେନା ଗତ ସୋମବାର ଚତୁର୍ଥ ଦିନିକିଆରେ ଇଣ୍ଡିଜ୍କୁ ୨୨୪ରନ୍ରେ ପରାସ୍ତ କରିବା ସହିତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ଲାଭ କରିଛି । ଆସନ୍ତାକାଲିର ଅନ୍ତିମ ମ୍ୟାଚ୍ ଜିତି ଘରୋଇ ଦଳ ସିରିଜ୍ ଜିତିବା ଲକ୍ଷରେ ଥିବା ବେଳେ ଭ୍ରମଣ କାରୀ ଇଣ୍ଡିଜ୍ ଦଳ ଆଉ ଏକ ମ୍ୟାଚ୍ ଜିତି ସିରିଜକୁ ଅମୀମାଂସିତ କରିବାକୁ ଲକ୍ଷ୍ୟରେ ରହିଛି । କାରଣ ଦ୍ୱିତୀୟ ଦିନିକିଆଟି ଟାଇରେ ଶେଷ ହୋଇଥିଲା ।

Loading...
>