ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ଧୋନି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଗତ ପାଞ୍ଚମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏଭଳି ସ୍ଥିତିରେ ଧୋନି ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟକୁ କେବେ ଫେରିବେ, ତାହା ବଡ଼ ପ୍ରଶ୍ନ ହୋଇ ରହିଛି। କିନ୍ତୁ ମିଳିଥିବା ଖବର ଅନୁଯାୟୀ, ଧୋନି ଆସନ୍ତାବର୍ଷ ମାର୍ଚ୍ଚ ମାସରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ମଧ୍ୟରେ ଦୁଇଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଆୟୋଜନ କରିବ। ଏଥିପାଇଁ ବିସିବି ଭାରତର ୭ଜଣ ଖେଳାଳିଙ୍କୁ ନେବା ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ଠାରୁ ଅନୁମତି ମାଗିଛି। ଏହି ଦୁଇଟି ଯାକ ମ୍ୟାଚ୍ ଯଥାକ୍ରମେ ମାର୍ଚ୍ଚ ୧୮ ଓ ୨୧ ତାରିଖରେ ଖେଳାଯିବ ଏବଂ ଏହାକୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ସ୍ୱୀକୃତି ମଧ୍ୟ ମିଳିଛି।

ଏହି ସାତଜଣ ଖେଳାଳିଙ୍କ ମଧ୍ୟରେ ଧୋନି ସାମିଲ୍ ଅଛନ୍ତି। ଧୋନିଙ୍କ ବ୍ୟତୀତ ବିରାଟ୍ କୋହଲି, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ରବୀନ୍ଦ୍ର ଜାଡେଜାଙ୍କୁ ନେବା ପାଇଁ ବିସିବି ଅନୁରୋଧ କରିଛି। ଏ ନେଇ ବିସିବିର ମୁଖ୍ୟ କାର୍ଯ୍ୟକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି, “ଆସନ୍ତାବର୍ଷ ମାର୍ଚ୍ଚରେ ବାଂଲାଦେଶ ଏସିଆ ଏକାଦଶ ଓ ରେଷ୍ଟ ଅଫ୍ ୱାର୍ଲ୍ଡ ମଧ୍ୟରେ ଦୁଇ ଟି-୨୦ ମ୍ୟାଚ୍ ଆୟୋଜନ କରିବ। ଏହି ଦୁଇଟି ମ୍ୟାଚରେ ସାମିଲ୍ ହେବା ପାଇଁ ଆମେ ବିସିସିଆଇ ଏବଂ ଏସିଆର ଅନ୍ୟ ବୋର୍ଡ ସହ ଯୋଗାଯୋଗ କରିଛୁ।” ସୂଚନାଯୋଗ୍ୟ, ଧୋନି ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ସେମିଫାଇନାଲ୍ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନାହାନ୍ତି। ବିଶ୍ୱକପ୍ ପରେ ଧୋନି କୌଣସି ସିରିଜ୍ ପାଇଁ ଉପଲବ୍ଧ ହୋଇନଥିଲେ। ଏପରିକି ତାଙ୍କର ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ନେଇ ମଧ୍ୟ କୌଣସି ସଙ୍କେତ ମିଳିପାରି ନାହିଁ। ବିଶ୍ୱକପ୍ ପରେ ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ ସମୟରେ ଧୋନି କଶ୍ମୀରରେ ଭାରତୀୟ ସେନା ସହ ଯୋଗ ଦେଇଥିଲେ। ଏହା ପରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ୍ ଏବଂ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ଖେଳିନଥିଲେ। ଏପରିକି ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ମଧ୍ୟ ଧୋନିଙ୍କ ନାଁ ବିଚାରକୁ ନିଆଯାଇନଥିଲା। ତେଣୁ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବେ ନା ସନ୍ନ୍ୟାସ ନେବେ, ତାହା ସ୍ପଷ୍ଟ ହୋଇନାହିଁ।

Loading...
>