ଖୁବଶୀଘ୍ର ଏକାଦଶରେ ସାମିଲ ହେବେ ପନ୍ଥ : ପଣ୍ଟିଂ

ମେଲବୋର୍ଣ୍ଣ : ଭାରତର ଅନ୍ୟତମ ଯୁବ କ୍ରିକେଟର ରିଷଭ ପନ୍ଥଙ୍କ ସାମର୍ଥ୍ୟ ନେଇ ରିକି ପଣ୍ଟିଂ ଗଭୀର ଆସ୍ଥା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ପନ୍ଥ ଏଭଳି ଜଣେ ଖେଳାଳି, ଯିଏ ମ୍ୟାଚ୍ ଜିତାଇବାର ସାମର୍ଥ୍ୟ ରଖିଛନ୍ତି । ସେ ଜଣେ ଅତି ପ୍ରତିଭାସମ୍ପନ୍ନ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ । ସେ ଭାରତ ଏକାଦଶ ଟିମ୍‌କୁ ଫେରିବା ନିଶ୍ଚିତ । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଳେ ପନ୍ଥ ଆହତ ହୋଇଥିଲେ । ତାହାକୁ ନେଇ ନାନା ଚର୍ଚ୍ଚା ହୋଇଥିଲା । ଏବେ ରିକି ପଣ୍ଟିଂ ତାଙ୍କ ସାମର୍ଥ୍ୟ ନେଇ ପୁରା ଭରସା ପ୍ରକଟ କରୁଛନ୍ତି । ସେ କହିଛନ୍ତି ଯେ, ପନ୍ଥ ନିଶ୍ଚିତ ଭାବରେ ଭାରତ ଏକାଦଶ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିବେ । ତାଙ୍କ ପାଖରେ ଉଭୟ ୱିକେଟ୍ କିପିଂ ଓ ବ୍ୟାଟିଂ ସାମର୍ଥ୍ୟ ରହିଥିବାରୁ ସେ ଦଳ ପାଇଁ ନିଶ୍ଚିତ ଭାବରେ ସହାୟକ ହେବେ । ପଣ୍ଟିଂ କହିଛନ୍ତି ଯେ, ପନ୍ଥ ଜଣେ ଯୁବ ଦକ୍ଷ କ୍ରିକେଟର । ତାଙ୍କ ପାଖରେ ପ୍ରଚୁର ପ୍ରତିଭା ରହିଛି । ମୁଁ ତାଙ୍କର ଅଧିକାଂଶ ମ୍ୟାଚ୍‌କୁ ନିରୀକ୍ଷଣ କରିଛି । ତାଙ୍କ ସହିତ କାମ ମଧ୍ୟ କରିଛି । ଆଇପିଏଲ୍ ବେଳେ ତାଙ୍କର ପ୍ରଦର୍ଶନକୁ ମୁଁ ଭଲ ଭାବରେ ଅନୁଧ୍ୟାନ କରିଛି । ସେ ଯେକୌଣସି ପ୍ରତିପକ୍ଷ ଦଳ ପାଇଁ ଚ୍ୟାଲେଞ୍ଜ୍ ସୃଷ୍ଟି କରିପାରିବେ । ଏହି ଭରସା ମୋର ରହିଛି ବୋଲି ପଣ୍ଟିଂ କହିଛନ୍ତି । ପ୍ରକାଶଥାଉକି, ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ଦାୟିତ୍ୱରେ ଅଛନ୍ତି ପଣ୍ଟିଂ । ୨୨ବର୍ଷୀୟ ପନ୍ଥ ବର୍ତ୍ତମାନ ସୁଦ୍ଧା ୧୧ଟି ଟେଷ୍ଟ ଖେଳିଥିବା ବେଳେ ୧୬ଟି ଦିନିକିଆ ଓ ୨୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଭାରତ ପାଇଁ ଖେଳିଛନ୍ତି ।

Loading...
>