ଗାଭାସ୍କରଙ୍କ ମନ୍ତବ୍ୟକୁ ନାପସନ୍ଦ କଲେ ମଞ୍ଜେରକର

ନୂଆଦିଲ୍ଲୀ: ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ସ୍କିପର ଭାବେ ବିରାଟ କୋହଲିଙ୍କ ପୁନଃ ନିଯୁକ୍ତିକୁ ନେଇ କିମ୍ବଦନ୍ତୀ କ୍ରିକେଟର ସୁନୀଲ୍ ଗାଭାସ୍କର ଯେଉଁ ମନ୍ତବ୍ୟ ରଖିଛନ୍ତି ତାହାକୁ ଅନ୍ୟତମ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଂଜୟ ମଞ୍ଜେରକର ନାପସନ୍ଦ କରିଛନ୍ତି । ସେ କହିଛନ୍ତି ଯେ, ଗାଭାସ୍କରଙ୍କ ଯୁକ୍ତି ଓ ମତାମତ ସହ ମୁଁ ଆଦୌ ଏକମତ ନୁହେଁ । ତାଙ୍କର ସମୀକ୍ଷା ସନ୍ତୁଳିତ ନୁହେଁ । ଏହା ଏକ ଉଦ୍ଦେଶ୍ୟପ୍ରଣୋଦିତ ସମୀକ୍ଷା ବୋଲି ଧାରଣା ଜାତ ହେଉଛି । ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବ କି ନାହିଁ ତାହା ବିସିସିଆଇର ଚୟନ କମିଟି ନିର୍ଦ୍ଧାରଣ କରିବ । କମିଟି ଯାହା ଉଚିତ୍ ମନେ କରିବ, ତାହାହିଁ ନିଷ୍ପତ୍ତି ନେବ । ତେଣୁ ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରିବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଭାରତୀୟ ଦଳର ପ୍ରଦର୍ଶନ ପ୍ରଭାବିତ ହୋଇପାରେ ।ସୂଚନାଯୋଗ୍ୟ, ବିଶ୍ୱକପ୍ରେ ଭାରତ ସେମିଫାଇନାଲରେ ପରାସ୍ତ ହେବା ପରେ ପୁନର୍ବାର ବିରାଟ କୋହଲିଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି । ମାତ୍ର ତାଙ୍କର ଏହି ନିଯୁକ୍ତି ନିୟମ ବାହାରେ ହୋଇଛି ବୋଲି ପୂର୍ବତନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ସୁନିଲ ଗାଭାସ୍କର ପ୍ରକାଶ କରିଛନ୍ତି । ଗାଭାସ୍କର କହିଛନ୍ତି କି, ଜଣେ ଅଧିନାୟକଙ୍କ ନିଯୁକ୍ତି ବିଶ୍ୱକପ୍ ପର୍ଯ୍ୟନ୍ତ ହୋଇଥାଏ । ବିଶ୍ୱକପ୍ ପରେ ବୈଠକ ଅନୁଷ୍ଠିତ କରାଯାଇ ନୂଆ ଅଧିନାୟକ ନିଯୁକ୍ତ କରାଯାଏ କିମ୍ବା ପୁରୁଣା ଅଧିନାୟକଙ୍କୁ ପୁଣିଥରେ ଦାୟିତ୍ୱରେ ରଖାଯାଏ । କିନ୍ତୁ ଏବେ ବିସିସିଆଇ ଏହି ନିୟମ ଉଲ୍ଲଂଘନ କରିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରାଯିବା ପୂର୍ବରୁ ମାତ୍ର ୫ ମିନିଟ୍ରେ କୋହଲିଙ୍କୁ ଦଳର ଅଧିନାୟକ ଭାବେ ଘୋଷଣା କରାଯାଇଥିଲା । କୋହଲିଙ୍କୁ ଏହି ଦାୟିତ୍ୱରେ ପୁଣିଥରେ ରଖିବା ପାଇଁ କୌଣସି ନୀତିନିୟମକୁ ଆଧାର କରାଯାଇନାହିଁ । ଯାହା ଏମ୍ଏସ୍କେ ପ୍ରସାଦଙ୍କ ନେତୃତ୍ୱରେ ରହିଥିବା ଚୟନକମିଟିର ଏକ ମନମୁଖି ପଦକ୍ଷେପ । ବିଶ୍ୱକପ୍ରେ ଖରାପ ପ୍ରଦର୍ଶନ ପାଇଁ କେଦାର ଯାଦବ ଓ ଦୀନେଶ କାର୍ତ୍ତିକଙ୍କୁ ଦଳରୁ ବାଦ ଦିଆଯାଇଥିବା ବେଳେ ବ୍ୟକ୍ତିଗତ ଖରାପ ପ୍ରଦର୍ଶନ ଓ ଦଳଗତ ଖରାପ ପ୍ରଦର୍ଶନ ସତ୍ତେ୍ୱ କୋହଲିଙ୍କ ଉପରେ କୌଣସି ପଦକ୍ଷେପ ଚୟନ କମିଟି ନେଇନାହିଁ । ଚୟନ କମିଟିର ଏସବୁ କାର୍ଯ୍ୟ ଭାରତୀୟ କ୍ରିକେଟ ପାଇଁ ଖରାପ ସମୟ ଆଣିବାର ସମ୍ଭାବନା ସୃଷ୍ଟି କରିଛି ବୋଲି ଗାଭାସ୍କର ପ୍ରକାଶ କରିଛନ୍ତି ।

Loading...
>