ଶାସ୍ତ୍ରୀ ଓ କୋହଲିଙ୍କୁ ପରାଜୟର କୈଫତ୍ ମାଗିବ ସିଓଏ

ନୂଆଦିଲ୍ଲୀ : ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ସହ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବା ଘଟଣାକୁ ସୁପ୍ରିମ୍କୋର୍ଟ ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ଅତି ଗୁରୁତ୍ୱର ସହ ନେଇଛି । ପର ବର୍ଷରେ ଟି-୨୦ ବିଶ୍ୱକପ୍ ଥିବାରୁ ବିଶ୍ୱକପ୍ରେ ଭାରତର ସମଗ୍ର ପ୍ରଦର୍ଶନ ନେଇ କମିଟି ଏକ ଆମୁଳଚୂଳ ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି । ଏହି ସମୀକ୍ଷା ବେଳେ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଉପସ୍ଥିତ ରହିବେ । ସେମାନଙ୍କଠାରୁ ବିଭିନ୍ନ ବିଷୟ ଉପରେ ଜବାବ ମଗାଯିବ । ବିଶ୍ୱକପ୍ର ସେମିଫାଇନାଲ୍ ଓ ଅନ୍ୟ କେତେକ ମ୍ୟାଚ୍ରେ ଦଳର ପ୍ରଦର୍ଶନ କାହିଁକି ଅଶାନୁରୂପ ହୋଇପାରିଲା ନାହିଁ, ସେ ନେଇ କମିଟି କୋହଲିଙ୍କୁ ପ୍ରଶ୍ନ କରିବ । ସେହିପରି ଭାରତର ଫିଲ୍ଡିଂ ବିଭାଗ ପ୍ରଦର୍ଶନକୁ ନେଇ କମିଟି ଭୀଷଣ କ୍ଷୁବ୍ଧ ଥିବା ଜଣାପଡ଼ିଛି । ଏବେ ବିନୋଦ ରାୟ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି । ଡାଏନା ଏଦୁଲଜି ଓ ଲେଫ୍ଟେନାଣ୍ଟ ଜେନେରାଲ୍ ରବି ଖୋଡଗେ ମଧ୍ୟ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ସେହିପରି, ଚୟନ କମିଟି ଅଧ୍ୟକ୍ଷ ଏମ୍ଏସ୍କେ ପ୍ରସାଦଙ୍କ ସମେତ କମିଟି ବିସ୍ତୃତ ଆଲୋଚନା କରିବ । ବିନୋଦ ରାୟ କହିଛନ୍ତି ଯେ, କୋହଲି, ରବିଶାସ୍ତ୍ରୀ ଓ ପ୍ରସାଦଙ୍କ ସହ ବିଶ୍ୱକପ୍ ପ୍ରଦଶନକୁ ନେଇ ଗଭୀର ଭାବରେ ସମୀକ୍ଷା କରାଯିବ । ପ୍ରତ୍ୟେକଟି ଦିଗ ଉପରେ ସେମାନଙ୍କ ଠାରୁ ଜବାବ ମଗାଯିବ । ଏହି ସମୀକ୍ଷା ପରେ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ଚୟନ କମିଟିକୁ କୁହାଯିବ ବୋଲି ସେ କହିଛନ୍ତି ।

Loading...
>