ମୁଁ ଶ୍ରେଷ୍ଠ ନୁହେଁ: କୋହଲି

ବିଶାଖାପାଟଣା: ଦେଶ ଲାଗି ସଫଳତା ହାସଲ କରିବା ଅର୍ଥ କାହା ପ୍ରତି ଅନୁଗ୍ରହ କରିବା ନୁହେଁ । ଗତ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିବା ଏବଂ ଦିନିକିଆ କ୍ରିକେଟରେ ଦ୍ରୁତଗତିରେ ୧୦,୦୦୦ ରନ ସଂଗ୍ରହ କରି ମଧ୍ୟ ଏଥିଲାଗି ସେ କୌଣସି ଶ୍ରେୟର ହକ୍ଦାର ନୁହନ୍ତି ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି । ତାଙ୍କ ଆଦର୍ଶର ଖେଳାଳି ସଚିନ ତେନ୍ଦୁଲକରଙ୍କଠାରୁ ୫୪ଟି କମ୍ ଇନିଂସରେ ସେ ଏହି ସଫଳତା ହାସଲ କରିଛନ୍ତି । କିନ୍ତୁ ଏହାର ଅର୍ଥ ସେ ଶ୍ରେଷ୍ଠ ନୁହନ୍ତି ବୋଲି କୋହଲି କହିଛନ୍ତି । ତାଙ୍କ ମତରେ ‘ଗତ ୧୦ବର୍ଷ ଧରି ଦେଶ ଲାଗି ଖେଳିଆସୁଛି, କିନ୍ତୁ ଏହି ସମୟରେ ଯାହା କିଛି ସଫଳତା ପାଇଛି ସେଥିଲାଗି ମୁଁ ହକ୍ଦାର ବୋଲି ଅନୁଭବ କରୁନାହିଁ । ଇଣ୍ଟରନ୍ୟାସନାଲ କ୍ରିକେଟରେ ଏବେ ମଧ୍ୟ ମୁଁ ଗୋଟିଏ ରନ ସଂଗ୍ରହ କରିବା ଲାଗି ସଂଘର୍ଷ କରୁଛି । ଏହା ଆଦୌ ସହଜ କଥା ନୁହେଁ । ଅନେକ ଖେଳାଳି ଅଛନ୍ତି, ଯେଉଁମାନେ କିଛି ସଫଳତା ପାଇବା ପରେ ଅନ୍ୟସବୁ କଥାକୁ ସହଜରେ ନେଇଥାନ୍ତି । କିନ୍ତୁ ମୋ ପକ୍ଷେ ତାହା କରିବା ଅସମ୍ଭବ । ଜଣେ ଖେଳାଳିଙ୍କ ପ୍ରତିଶ୍ରୁତି ବଦ୍ଧତା ହିଁ ତାଙ୍କ ସଫଳତା ।ଦେଶ ଲାଗି ଖେଳିବା ବେଳେ କୌଣସି ଖାମଖିଆଲି ମନୋଭାବ ରଖିବା ଅନୁଚିତ ବୋଲି କହିଛନ୍ତି ବିଶ୍ୱ କ୍ରିକେଟ୍ର ଏହି ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ ।

Loading...
>