ଆସନ୍ତାକାଲି ଶେଷ ଟି-୨୦ :ସିରିଜ୍ କବଜା ଲକ୍ଷ୍ୟରେ ଉଭୟ ଦଳ

ମୁମ୍ବାଇ୨: ଆସନ୍ତାକାଲି ଭାରତ-ଇଣ୍ଡିଜ୍ ମଧ୍ୟରେ ଅନ୍ତିମ ତଥା ତୃତୀୟ ଟି-୨୦ ମ୍ୟାଚ୍ ଏଠାକାର ୱାଙ୍ଖେଡେ ଷ୍ଟାଡ଼ିୟମରେ ଖେଳାଯିବ । ବିଗତ ଦୁଇଟି ମ୍ୟାଚ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତି ବର୍ତ୍ତମାନ ସିରିଜ୍ ୧-୧ରେ ବରାବର ଥିବାବେଳେ ଆସନ୍ତାକାଲିର ମ୍ୟାଚ୍ ନିର୍ଣ୍ଣାୟକ ହେବ । ଆସନ୍ତାକାଲି ଯିଏ ଜିତିବ ସେ ସିରିଜ୍ ବିଜୟୀ ହେବ । ସେପଟେ ଭ୍ରମଣକାରୀ ଦଳ ଦ୍ୱିତୀୟ ଟି-୨୦ରେ ସିମନ୍ସଙ୍କ ଏକତରଫା ଖେଳ ଯୋଗୁଁ ଭାରତୀୟ ବୋଲରଙ୍କୁ ଧୁଲେଇ କରି ଦୁଇ ଓଭର ବାକିଥାଇ ମାତ୍ର ୨ଟି ୱିକେଟ୍ ହରାଇ ଜିତି ନେଇଥିଲା । ଆସନ୍ତାକାଲିର ମ୍ୟାଚ୍ ମଧ୍ୟ ସେହିଭଳି ଖେଳିବେ ବୋଲି ସିମନ୍ସ ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେପଟେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଅଧିନାୟକ ବିରାଟ କୋହଲି ଫିଲ୍ଡକୁ ଦୋଷ ଦେଇଥିଲା ବେଳେ ଆସନ୍ତାକାଲିର ମ୍ୟାଚ୍ରେ ଭୁଲ୍କୁ ନିଶ୍ଚୟ ସୁଧାରି ସିରିଜ୍ ବିଜୟଲାଭ କରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି । ସୂଚନାଯୋଗ୍ୟ, ନିକଟରେ ଥିରୁଅନନ୍ତପୁରମ୍ରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତର ବିପର୍ଯ୍ୟୟକୁ ନେଇ ବିରାଟ କୋହଲି ମୁହଁ ଖୋଲିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୌଣସି ବିଭାଗରେ ଦଳର ପ୍ରଦର୍ଶନ ଆଶାନୁରୂପ ହୋଇପାରିଲା ନାହିଁ । ଅତିକମ୍ରେ ବୋଲିଂ ଓ ବ୍ୟାଟିଂରେ ଆମେ ସଂପୂର୍ଣ୍ଣ ସଫଳ ହେବୁ ବୋଲି ଦୃଢ଼ ଆଶା ରଖିଥିଲୁ । ତାହା ହେଲା ନାହିଁ । ସେହିପରି, ପୂର୍ବ ମ୍ୟାଚ୍ଗୁଡ଼ିକ ଭଳି ଫିଲ୍ଡିଂରେ କମାଲ୍ ଦେଖାଇବୁ ବୋଲି ବିଶ୍ୱାସ ରଖିଥିଲୁ । କିନ୍ତୁ ଫିଲ୍ଡିଂ ଏତେ ଖରାପ ହେବ ବୋଲି ମୁଁ ଚିନ୍ତା କରି ନଥିଲି । ଫିଲ୍ଡିଂ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ଏହା ପରାଜୟର ଅନ୍ୟତମ ବଡ଼ କାରଣ ବୋଲି ସେ କହିଛନ୍ତି ।

Loading...
>