ଆଜିଠୁ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ହକି ମ୍ୟାଚ୍‌

ଭୁବନେଶ୍ୱର : ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ହକିର ମେଗା ଇଭେଣ୍ଟ ଆରମ୍ଭ ହେବ। ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ହକି ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଗହଳି ଲାଗି ରହିବ। ସହରରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବିଦ୍ୟୁତ୍‌ ମାର୍ଗର ଶାସ୍ତ୍ରୀନଗର ଛକରୁ ଜୟଦେବ ବିହାର ଛକ ମଧ୍ୟରେ କୌଣସି ଅନଧିକୃତ ଗାଡ଼ି ଚଳାଚଳ ଉପରେ ରୋକ୍‌ ଲଗାଯାଇଛି। ସେହିଭଳି ୧୨୦ ବାଟାଲିୟନରୁ ଆସୁଥିବା ଗାଡ଼ିଗୁଡିକୁ ଶାସ୍ତ୍ରୀନଗର ଛକଠାରୁ ସଚିବାଳୟ ରାସ୍ତାଦେଇ ଛଡ଼ାଯିବ। କଳିଙ୍ଗ ଷ୍ଟାଡିୟମ ପଟୁ ଆସୁଥିବା ଗାଡ଼ିକୁ ଜୟଦେବ ବିହାର ଛକଠାରୁ ଆଚାର୍ଯ୍ୟ ବିହାର ପଟକୁ ଛଡ଼ାଯିବ। ସେହିଭଳି ବାଣୀବିହାର ପଟୁ ଆସୁଥିବା ଗାଡିଗୁଡିକ ଆଚାର୍ଯ୍ୟ ବିହାର-ଜୟଦେବ ବିହାର ମଧ୍ୟରେ ଥିବା ରାସ୍ତା ଦେଇ ଯିବାକୁ ପଡିବ। ଏହି ଗାଡ଼ିଗୁଡିକୁ କଳିଙ୍ଗ ଷ୍ଟାଡିୟମ୍‌ ଆଡ଼କୁ ଛଡାଯିବ ନାହିଁ। ସେହିପରି ଖେଳ ଦେଖିବାକୁ ଆସୁଥିବା ଦର୍ଶକମାନେ ୩ ନମ୍ବର ଗେଟ ଦେଇ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବେ ଓ ସେଠାରେ ସ୍କାଇଡିଂ ଗେଟ୍‌ ଇ ବ୍ୟବହାର କରି ଗାଡି ପାର୍କିଂ କରିପାରିବେ। ଏଜି କଲୋନୀ ପଟୁ ଆସୁଥିବା ଦର୍ଶକମାନେ ଫୁଟ୍‌ ଓଭରବ୍ରିଜ ବ୍ୟବହାର କରି ଷ୍ଟାଡିୟମ୍‌ରେ ପ୍ରବେଶ କରିପାରିବେ। ଏହି କଟକଣା ୧ ଓ ୨ ତାରିଖ ଦୁଇଦିନ ରହିବ ବୋଲି କମିଶନରେଟ ପୋଲିସ ବିଜ୍ଞପ୍ତି ପ୍ରକାଶ କରିଛି।

Loading...
>