କୋହଲିଙ୍କୁ ଦୁନିଆର ଶ୍ରେଷ୍ଠ ଅଧିନାୟକ କହିଲେ ଏହି ଯୁବ ସ୍ପିନର

ନୂଆଦିଲ୍ଲୀ: ବିରାଟ କୋହଲି ଜଣେ ଅତ୍ୟନ୍ତ ଆମୋଦଦାୟକ ଅଧିନାୟକ । ମୁଁ ଏକଥା ସମ୍ପୂର୍ଣ୍ଣ ବିଶ୍ୱାସର ସହ କହିବାକୁ ଚାହେଁ ଯେ, ବର୍ତ୍ତମାନ ସମୟରେ ସେ ବିଶ୍ୱର ଶ୍ରେଷ୍ଠ ଅଧିନାୟକ । ଗୋଟିଏ ପରେ ଗୋଟିଏ ଚମତ୍କାର ଦୃଷ୍ଟାନ୍ତ ସୃଷ୍ଟି କରି ସେ ନେତୃତ୍ୱ ସ୍ଥାନୀୟ ସ୍ତରକୁ ଯାଇପାରିଛନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କ ଯୋଗୁଁ ମୁଁ ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ପାଇଛି । ଯାହା ମୋ ପାଇଁ ଅବିସ୍ମରଣୀୟ । ଝାଡ଼ଖଣ୍ଡର ୩୦-ବର୍ଷୀୟ ବୋଲର ସେହୱାଜ ନଦିମ୍ ଏକ ବିଶେଷ ସାକ୍ଷାତକାର ଅବସରରେ କୋହଲିଙ୍କ ସଂପର୍କରେ ଏପରି ଟିପ୍ପଣୀ କରିଛନ୍ତି । ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭର କିଛି ସମୟ ପୂର୍ବରୁ ତାଙ୍କୁ ଡକରା ଆସିଥିଲା । ଫୋନ୍ରେ ଏହି ବାର୍ତ୍ତା ପାଇ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ଡକରା ପାଇବା ମାତ୍ରେ ସେ ଜିନିଷପତ୍ର ବାନ୍ଧି କାର୍ରେ ରାଞ୍ଚି ଯାତ୍ରା କରିଥିଲେ । ୨୪ ଘଣ୍ଟାର ଏହି ଯାତ୍ରା ଆନନ୍ଦଦାୟକ ଥିଲା ବୋଲି ସେ କୁହନ୍ତି । ସେ କହିଛନ୍ତି ଯେ, କୋହଲିଙ୍କ ଯୋଗୁଁ ମୋର ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସ୍ୱପ୍ନ ସାକାର ହୋଇଛି । ମୁଁ ଅନେକ ଘରୋଇ ମ୍ୟାଚ୍ ଖେଳିଛି ଏବଂ ପ୍ରଚୁର ଅଭିଜ୍ଞତା ମଧ୍ୟ ଅର୍ଜନ କରିଛି । ଏହି ଅଭିଜ୍ଞତାକୁ ଅନ୍ତର୍ଜାତୀୟ କ୍ରିକେଟରେ ସଦୁପଯୋଗ କରିବା ପାଇଁ ଉଦ୍ୟମ କରିବି । ପଦାର୍ପଣ ମ୍ୟାଚରେ ମୋ ପ୍ରଦର୍ଶନକୁ ନେଇ ମୁଁ ଶତ ପ୍ରତିଶତ ସନ୍ତୁଷ୍ଟ । କୁଲଦୀପ ଯାଦବ ଆହତ ହେବା ମୋ ପାଇଁ ଆଶୀର୍ବାଦ ଥିଲା । କାରଣ କୋହଲି ତାଙ୍କ ସ୍ଥାନରେ ମୋତେ ବିକଳ୍ପ ଭାବେ ବାଛିଥିଲେ । ଯେକୌଣସି ଜଣେ କ୍ରିକେଟରଙ୍କ ପାଇଁ ପଦାର୍ପଣ ମ୍ୟାଚ୍ ସବୁବେଳେ ଐତିହାସିକ ଓ ଅବିସ୍ମରଣୀୟ ହୋଇଥାଏ ବୋଲି ନଦିମ୍ କହିଛନ୍ତି ।

Loading...
>