ବାଂଲା ବିପକ୍ଷ ଦଳ ଘୋଷଣା ଆଜି : ପନ୍ତଙ୍କ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ : ଆସନ୍ତା ୩ ତାରିଖଠାରୁ ଭାରତର ବାଂଲାଦେଶ ବିପକ୍ଷ ସିରିଜ୍ ଆରମ୍ଭ ହେଉଛି । ଏହି ଘରୋଇ ସିରିଜ୍ ପାଇଁ ଦଳ ଚୟନ ସକାଶେ ଗୁରୁବାର ଏଠାରେ ବିସିସିଆଇ ଚୟନ କମିଟି ବୈଠକ ବସିବ । ତିନିଟିଯାକ ଫର୍ମାଟ୍ ପାଇଁ ଦଳ ଘୋଷଣା କରାଯିବ । ତେବେ ଏହି ସିରିଜ୍ ପାଇଁ ଚୟନ କମିଟି ଟିମ୍ ଇଣ୍ଡିଆରେ କୌଣସି ବିଶେଷ ପରିବର୍ତ୍ତନ କରିବାର ସମ୍ଭାବନା କ୍ଷୀଣ ରହିଛି । ଟି-୨୦ ଫର୍ମାଟ୍ରେ ଗତ କେତୋଟି ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ତଥା ୱିକେଟକିପର୍ ଋଷଭ ପନ୍ତ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ ଚୟନକର୍ତ୍ତା ପୁଣି ଏକ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏପରିକି ଚଳିତ ବିଜୟ ହଜାରେ ଟ୍ରଫି ରେକର୍ଡ ଦ୍ୱିଶତକୀୟ ଇନିଂସ ଖେଳିବା ସତ୍ତେ୍ୱ କେରଳ ୱିକେଟ୍କିପର୍ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍ସନ୍ଙ୍କ ସପକ୍ଷରେ ଚୟନ କମିଟି ନିଷ୍ପତ୍ତି ନେବାର ସମ୍ଭାବନା କମ୍ ରହିଛି । ବିଶେଷକରି ଆଗାମୀ ସିରିଜ୍ ପାଇଁ ଅଭିଜ୍ଞ ୱିକେଟ୍କିପର୍ ମହେନ୍ଦ୍ର ସିଂହ ଧୋନି ଓ ଦଳର ଅଧିନାୟକ ବିରାଟ କୋହଲି ଉପଲବ୍ଧ ନ ଥିବାରୁ ପନ୍ତଙ୍କୁ ଆଉ ଏକ ସୁଯୋଗ ଦିଆଯିବା ସପକ୍ଷରେ ନିଷ୍ପତ୍ତି ହୋଇପାରେ । ଗତ କେତୋଟି ଟି-୨୦ରେ ପନ୍ତ୍ ଭଲ ଖେଳି ନ ଥିବାରୁ ତାଙ୍କ ସହ ଟିମ୍ ମ୍ୟାନେଜ୍ମେଣ୍ଟ୍ର ପ୍ରମୁଖ କର୍ମକର୍ତ୍ତା ଆଲୋଚନା କରି ସେ ନିର୍ଦ୍ଦିଷ୍ଟ କେତୋଟି କ୍ଷେତ୍ର ଉପରେ ଦୃଷ୍ଟିନିବଦ୍ଧ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ନିକଟରେ ଅସ୍ତ୍ରୋପଚାର କରାଇଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଚୟନ କମିଟି ସଦସ୍ୟମାନେ ଶିବମ୍ ଦୁବେଙ୍କୁ ଚୟନ କରିପାରନ୍ତି ବୋଲି ଆଲୋଚନା ହେଉଛି । କିନ୍ତୁ ବର୍ତ୍ତମାନ ସମୟରେ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ତାଙ୍କୁ ସୁଯୋଗ ନ ଦେଇ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଇବା ସପକ୍ଷରେ ନିଷ୍ପତ୍ତି ହେବାରେ ସନ୍ଦେହ ରହିଛି । ତା\’ଛଡ଼ା ବାଂଲାଦେଶ ପରି ଦୁର୍ବଳ ଦଳ ବିପକ୍ଷରେ ଅଲ୍ରାଉଣ୍ଡର୍ର ଆବଶ୍ୟକତା ମଧ୍ୟ କମ୍ ଅନୁଭବ ହୋଇପାରେ । ସେହିପରି ବୋଲର୍ଙ୍କ ମଧ୍ୟରେ ମହମ୍ମଦ ଶାମୀ, ଉମେଶ ଯାଦବ, ଈଶାନ୍ତ ଶର୍ମା ଓ ନବଦୀପ ସୈନୀଙ୍କ ଉପରେ ପୁଣିଥରେ ଭରସ କରାଯିବା ନିଶ୍ଚିତ । ୱିକେଟ୍କିପର୍ ଭାବେ ଟେଷ୍ଟ୍ ସିରିଜ୍ ପାଇଁ ଋଦ୍ଧିମାନ୍ ସାହାଙ୍କ ଚୟନ ନିଶ୍ଚିତ ହୋଇଥିବା ବେଳେ ଗତ ସାଉଥ୍ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟ୍ରେ ସେ ପାଇଥିବା ଆଘାତ ଆଦୌ ଚିନ୍ତାଜନକ ନୁହେଁ ବୋଲି କୁହାଯାଇଛି ।

Loading...
>