ଲିଷ୍ଟ ଏ’ କ୍ରିକେଟରେ ଦ୍ୱିଶତକ କରିବାରେ ସର୍ବକନିଷ୍ଠ ଖେଳାଳି ହେଲେ ଯଶଶ୍ୱୀ

ବେଙ୍ଗାଲୁରୁ : ମୁମ୍ବାଇର ଟିନଏଜ୍ ଖେଳାଳି ଯଶଶ୍ୱୀ ଜୟସ୍ୱାଲ ଏଠାରେ ଚାଲିଥିବା ଝାଡଖଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫି ଲିଷ୍ଟ-ଏ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଡବଲ ସେଞ୍ଚୁରି ହାସଲ କରିଛନ୍ତି । ସେ ମାତ୍ର ୧୭ ବର୍ଷ ୨୯୨ ଦିନରେ ଏହି ସଫଳତା ହାସଲ କରି ବିଶ୍ୱ ଲିଷ୍ଟ-ଏ’ କ୍ରିକେଟରେ ସବକନିଷ୍ଠ ଡବଲ ସେଞ୍ଚୁରିଆନ୍ ହେବାର ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ରେକର୍ଡ ସହାୟତାରେ ମୁମ୍ବାଇ ୩୯ରନ୍‌ରେ ଝାଡଖଣ୍ଡକୁ ପରାସ୍ତ କରି ନକ୍‌ଆଉଟ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଚଳିତ ସିଜନରେ ପ୍ରଥମଥର ବିଜୟ ହଜାରେ ଟ୍ରଫି ଖେଳୁଥିବା ଏହି ୧୮ ବର୍ଷୀୟ ଖେଳାଳି ଝାଡଖଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୫୪ ବଲ୍‌ରୁ ୨୦୩ ରନ୍ କରିଥିଲେ । ଏହା ମଧ୍ୟରେ ୧୨ ଛକା ଏବଂ ୧୭ ଚୌକା ସାମିଲ ରହିଥିଲା । ଝାଡଖଣ୍ଡ ଦଳରେ ଭାରତୀୟ ଦଳର ପୂର୍ବତନ ଫାଷ୍ଟ ବୋଲର ବରୁଣ ଆରୋନ୍‌, ବର୍ତ୍ତମାନ ବିଭିନ୍ନ ଭାରତୀୟ ଦଳ ପକ୍ଷରୁ ଖେଳୁଥିବା ଦୁଇ ବାମହାତୀ ସ୍ପିନର ଶାହବାଜ ନଦୀମ ଏବଂ ଅନୁକୂଳ ରୟ ପ୍ରମୁଖ ବୋଲର ରହିଥିଲେ । ଏମାନେ ଯଶସ୍ୱୀଙ୍କ ବ୍ୟାଟିଂ ଉପରେ କୌଣସି ପ୍ରଭାବ ପକାଇବାରେ ସମର୍ଥ ହୋଇ ପାରି ନଥିଲେ । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଯଶସ୍ୱୀଙ୍କର ଏହା ହେଉଛି ତୃତୀୟ ଶତକ । ପୂର୍ବରୁ ସେ କେରଳ ବିପକ୍ଷରେ ୧୧୩ ଓ ଗୋଆ ବିପକ୍ଷରେ ୧୨୨ ରନ୍ କରି ତାଙ୍କ ପ୍ରତିଭା ପ୍ରଦର୍ଶନ କରିସାରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣରେ ଯଶସ୍ୱୀ ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଡବଲ ସେଞ୍ଚୁରୀ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କେରଳର ସଞ୍ଜୁ ସାମସନ ଗୋଆ ବିପକ୍ଷରେ ୨୧୨ ରନ୍ କରି ଲିଷ୍ଟଏ’ରେ ସର୍ବାଧିକ ସ୍କୋରର ରେକର୍ଡ କରିଥିଲେ । ସେ ଭାରତର ୭ମ ବ୍ୟାଟ୍ସମ୍ୟାନ୍ ଯିଏକି ସମସ୍ତ ପ୍ରକାର ଦିନିକିଆ କ୍ରିକେଟରେ ଡବଲ ସେଞ୍ଚୁରୀ କରିଛନ୍ତି । ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ହେଲେ ସଚିନ ତେନ୍ଦୁଲକର, ରୋହିତ ଶର୍ମା (୩ଥର), ଶିଖର ଧୱନ, ବୀରେନ୍ଦ୍ର ସେହ୍ୱାଗ, ସଞ୍ଜୁ ସାମସନ ଓ କରଣବୀର କୌଶଲ । ଏହି ସ୍କୋର ସହ ଚଳିତ ବିଜୟ ହଜାରେ ଟ୍ରଫିରେ ମଧ୍ୟ ଯଶସ୍ୱୀ ସର୍ବାଧିକ ରନ୍ ସଂଗ୍ରହ କରିବାରେ ତାମିଲନାଡୁର ବାବା ଅପରାଜିତ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ୫ଟି ମ୍ୟାଚ୍ ଖେଳି ୫୮୫ ରନ୍ ସଂଗ୍ରହ କରିସାରିଲେଣି । ଉତ୍ତରପ୍ରଦେଶର ମୂଳ ବାସିନ୍ଦା କ୍ରିକେଟ ଖେଳିବାକୁ ମୁମ୍ବାଇ ଆସିଛନ୍ତି । ମୁମ୍ବାଇ ଆସିବା ପରେ ସେ ନିଜର ରହିବା ଓ ଖାଇବାକୁ ନେଇ ସଂଘର୍ଷ କରୁଥିଲେ । ପ୍ରାଥମିକ ପର୍ଯ୍ୟାୟରେ ସେ ରାତିରେ ଏକ ଡାଏରୀ ଶପ୍‌ରେ ଶୋଇଥିଲେ । ସେଠାରୁ ତାଙ୍କୁ ତଡା ଖାଇବାକୁ ପଡ଼ିଥିଲା । ଏହା ପରେ ଆଜାଜ୍ ମୈଦାନରେ ମୁସ୍‌ଲିମ୍ ୟୁନାଇଟେଡ୍ କ୍ଳବ୍ ଟେଣ୍ଟରେ ରହୁଥିବା ଗ୍ରାଉଣ୍ଡସମ୍ୟାନ୍‌ଙ୍କ ସହ ରହୁଥିଲେ । ଏହି ଖେଳାଳିଙ୍କ ପ୍ରତିଭା ଜାଣିବା ପରେ ସ୍ଥାନୀୟ କୋଚ୍ ଜ୍ୱାଲା ସିଂ ତାଙ୍କୁ ବାହାରେ ରଖିବାର ବ୍ୟବସ୍ଥା କରିଥିଲେ । ଏବେ ସେ ସାନ୍ତାକ୍ରୁଜ୍‌ରେ ରହୁଛନ୍ତି । ଯଶସ୍ୱୀଙ୍କ ବ୍ୟାଟ ଯଦି ଏପରି କଥା କହିବ ତେବେ ସେ ନିଶ୍ଚିତଭାବେ ଭଲ ସ୍ଥାନରେ ରହିବାକୁ ସୁଯୋଗ ପାଇବେ ।

Loading...
>