କୋହଲି-ରୋହିତଙ୍କ ସଂପର୍କକୁ ନେଇ ପୁଣି ଚର୍ଚ୍ଚା

ନୂଆଦିଲ୍ଲୀ: ଭାରତୀୟ ସ୍କିପର ବିରାଟ କୋହଲି ଓ ଉପ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଗୁରୁତର ମତଭେଦ ଦେଖାଦେଇଛି । ଏଭଳି ଖବର ସୋଶିଆଲ୍ ମିଡ଼ିଆରେ ଏବେ ଜୋରସୋରରେ ପ୍ରଚାର ହୋଇଛି । ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ପରାସ୍ତ ହେବା ପରଠାରୁ ଦୁଇଜଣଙ୍କ ମଧ୍ୟରେ ଆଉ ଭଲ ସଂପର୍କ ନାହିଁ ବୋଲି ଖବର ପ୍ରକାଶ ପାଇଛି । ଯାହାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ବେଶ୍ ଚର୍ଚ୍ଚା ଚାଲିଛି । ତେବେ ଏଭଳି ଖବର ଉପରେ କୋହଲି କିମ୍ବା ରୋହିତ ଶର୍ମା କେହି ବି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି । ଏକ ସୋଶିଆଲ ମିଡ଼ିଆ ଜରିଆରେ କୁହାଯାଇଛି ଯେ, ବିଶ୍ୱକପ୍ ସେମିଫାଇନାଲରେ ଭାରତ ପରାସ୍ତ ହେବା ପରଠାରୁ କୋହଲି ଓ ରୋହିତ କେହି କାହା ସହିତ କଥାବାର୍ତ୍ତା କରୁନାହାଁନ୍ତି । ବିଶେଷ କରି ରୋହିତ ଅଧିନାୟକ ବିରାଟ କୋହଲିଙ୍କ ସହ ପୂର୍ବଭଳି ସଂପର୍କ ରଖୁନାହାଁନ୍ତି । ଔପଚାରିକତା ଦୃଷ୍ଟିରୁ ଯେତିକି କଥାବାର୍ତ୍ତା କରିବା ଦରକାର ସେତିକି ହିଁ କରୁଛନ୍ତି । ସୁପ୍ରିମ୍କୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) କହିଛି ଯେ, ଏପର୍ଯ୍ୟନ୍ତ କୌଣସି ଖେଳଳି ଏ ନେଇ ଆମ ନିକଟରେ ଅଭିଯୋଗ କରିନାହାଁନ୍ତି । ଯଦି ଅଭିଯୋଗ ଆସେ, ତା’ହେଲେ ଆମେ ଏ ବିଷୟକୁ ବିଚାରକୁ ନେବୁ । ଏଭଳି ଚର୍ଚ୍ଚା ଭିତରକୁ ଅନୁଷ୍କା ଶର୍ମା ଓ ରୋହିତ ଶର୍ମାଙ୍କ ପତ୍ନୀ ରୀତିକା ମଧ୍ୟ ଆସିଛନ୍ତି । ରୀତିକା ଓ ଅନୁଷ୍କା ମଧ୍ୟ ପରସ୍ପର ସହିତ ପୂର୍ବଭଳି ଚାଟିଂ କରୁନାହାଁନ୍ତି । ସୋଶିଆଲ୍ ମିଡ଼ିଆରେ ରୀତିକା ଅନୁଷ୍କାଙ୍କ ସହିତ କୌଣସି କଥାବର୍ତ୍ତା ସେୟାର କରୁନାହଁନ୍ତି କି ଅନୁଷ୍ଠା ମଧ୍ୟ ରୀତିକାଙ୍କୁ ଫେସ୍ବୁକ୍ କିମ୍ବା ଅନ୍ୟ ସୋଶିଆଲ୍ ମିଡ଼ିଆ ବ୍ୟବସ୍ଥାରେ କିଛି ବି ବାର୍ତ୍ତା ଦେଉନାହାଁନ୍ତି । ଏଥିରୁ ଅନୁମାନ କରାଯାଉଛି ଯେ, ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ କିଛି ନା କିଛି ତିକ୍ତତା ସୃଷ୍ଟି ହୋଇଛି । ଆଗକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ଦୁଇ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ତିକ୍ତତା ଦଳକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରାଯାଉଛି । ।

Loading...
>