ଦ୍ଵିତୀୟ ଦିନିକିଆ : ନ୍ୟୁଜିଲାଣ୍ଡକୁ ୩୨୫ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ମାଉଣ୍ଟ ମାଉନଗଉନି:ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ ବଳରେ ଏଠାରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ୍ ହରାଇ ୩୨୪ ରନ କରିଛି। ସିରିଜରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ କ୍ଵିଓ୍ଵି ସାମ୍ନାରେ ୩୨୫ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତ ପକ୍ଷରୁ ରୋହିତ ଶର୍ମା ୮୭ ଓ ଶିଖର ଧାଓ୍ଵନ ୬୬ ରନର ମହତ୍ଵପୂର୍ଣ୍ଣ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା ସହିତ ଅଧିନାୟକ ବିରାଟ କୋହଲି  ୪୩, ଅମ୍ବତି ରାୟୁଡ ୪୭ ଓ ଧୋନୀ ୪୮ରନର ପାଳି ଖେଳିଛନ୍ତି। ଖାସ୍ କରି ଶେଷ ଓଭରରେ ୨୧ ରନ ହେବାରୁ ଭାରତ ଏହି ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ବୋଲ୍ଟ ଓ  ଲୋକିଏ ଫର୍ଗ୍ୟୁସନ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଏହା ପୂର୍ବରୁ ଟସ୍ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତୀୟ ଓପନର ଭାରତକୁ ଯେମିତି ଦମଦାର ଆରମ୍ଭ ଦେଇଥିଲେ ଲାଗୁଥିଲା ଯେ ଦଳ ପାଖାପାଖି ୩୫୦ ରନ କରିବ। ମାତ୍ର ଶେଷ ୧୦ ଓଭରରେ ଧିମା ବ୍ୟାଟିଂ କାରଣରୁ ଦଳ ଏହି ଲକ୍ଷ୍ୟ ପର୍ୟ୍ୟାନ୍ତ ପହଞ୍ଚି ପାରିନଥିଲା। ଦୁଇ ଓପନର ରୋହିତ ଓ ଧାଓ୍ଵନ ନିଜର ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଭାରତକୁ ମବୁତ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟରେ ଶତକୀୟ ଭାଗିଦାରୀ କରିଥିଲେ। ଏହି କ୍ରମରେ ରୋହିତ ଦିନିକିଆ କ୍ୟାରିୟରରେ ୩୮ ତମ  ଓ ଧାଓ୍ଵନ ୨୭ ତମ ଅର୍ଦ୍ଧଶତକ ହାସଲ କରିଥିଲେ। ପ୍ରଥମ ଓ୍ଵିକେଟ୍ ପାଇଁ ୧୬୭ ରନ ଯୋଡିଥିଲେ ଉଭୟ ଓପନର।

ଏହି ସ୍କୋରରେ ଭାରତ ଧାଓ୍ଵନଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ନ୍ୟୁଜିଲାଣ୍ଡକୁ ଲମ୍ବା ଅପେକ୍ଷା ପରେ ୨୬ ତମ ଓଭରରେ ପ୍ରଥମ ସଫଳତା ମିଳିଥିଲା। ଧାଓ୍ଵନ ୬୭ ବଲରୁ  ୯ ଚୌକା ଜରିଆରେ ୬୬ ରନ କରି ବୋଲ୍ଡଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ପରେ ରୋହିତ ୧୭୨ ରନ  ସ୍କୋରରେ ପାଭିଲିୟନ ଫେରିଥିଲେ। ସେ  ୯୬ ବଲରୁ ୯ ଚୌକା ଓ ୩ ଛକା  ଜରିଆରେ ୮୭ ରନ କରିଥିଲେ।

Loading...
>