ଦ୍ୱିତୀୟ ଟେଷ୍ଟ ଖେଳିବେନି ରୋହିତ, ଅଶ୍ୱିନ : ସାମିଲ ହେଲେ ଏହି ଦୁଇ ଖେଳାଳି

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ହୋଇଥିବା ୧୩ଜଣ ଖେଳାଳିଙ୍କ ମଧ୍ୟରେ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ସାମିଲ୍ ହୋଇଛନ୍ତି । ଆହତ ସମସ୍ୟା ଯୋଗୁଁ ରୋହିତ ଶର୍ମା ଓ ରବିଚନ୍ଦ୍ରନ୍ ଅଶ୍ୱିନ ବିଦା ହେବା ପରେ ତାଙ୍କୁ ଦଳରେ ଗ୍ରହଣ କରାଯାଇଛି । ଚୟନ କମିଟିର ଆଶା ପୂରଣ କରିବାରେ ସେ ସମର୍ଥ ହେବେ ବୋଲି ଅନୁମାନ କରାଯାଉଛି । ପର୍ଥ ଟେଷ୍ଟରେ ଜାଡ଼େଜା ସନ୍ତୋଷଜନକ ପ୍ରଦର୍ଶନ କରିବେ ବୋଲି ରଣଜୀ ଟ୍ରଫି ଟିମ୍ କୋଚ୍ ସୀତାଂଶୁ କୋଟାକ୍ ଦୃଢ଼ ବିଶ୍ୱାସ ରଖିଛନ୍ତି । ସେ କହିଛନ୍ତି ଯେ, ଜାଡ଼େଜା ପ୍ରତିଯୋଗିତାରେ ମୁକାବିଲା ପାଇଁ ସକ୍ଷମ । ରଣଜୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରିଥିବାରୁ ଏଥିରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆମେ ଆଶା ରଖିଛୁ । ଅଷ୍ଟ୍ରେଲିଆ ଭଳି ଦଳ ବିପକ୍ଷରେ କିଭଳି ଖେଳିବାକୁ ପଡ଼ିବ ସେ ବିଷୟରେ ସେ ଭଲ ଭାବରେ ପରିଚିତ । ତାଙ୍କ୍ୁ ଅଧିକ ଅଭ୍ୟାସର ଆବଶ୍ୟକତା ନାହିଁ । ଏହାଛଡ଼ା ଆଡିଲେଡ୍ ଭଳି ପର୍ଥରେ ମଧ୍ୟ ଭାରତୀୟ ବୋଲରମାନେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ମାନଙ୍କ ଉପରେ ଚାପ ପକାଇବାରେ ନିଶ୍ଚୟ ସମର୍ଥ ହେବେ । ଆଡିଲେଡ୍ରେ ଭାରତର ବ୍ୟାଟଇଂ ସେତେଟା ସୁଦୃଢ଼ ଓ ପ୍ରଭାବଶାଳୀ ହୋଇପାରି ନଥିଲା । ତେଣୁ ପର୍ଥ ମ୍ୟାଚ୍ରେ ଏହି ଦିଗ ଉପରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଜାଡ଼େଜାଙ୍କ ସମ୍ପର୍କରେ କୋଟାକ୍ କହିଛନ୍ତି ଯେ, ଜାଡେଜା ଜଣେ ଶୃଙ୍ଖଳିତ ଓ ସଂକଳ୍ପବଦ୍ଧ ଖେଳାଳି । ଯେଉଁମାନେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି ସେମାନେ ସାଧାରଣତଃ ଘରୋଇ ମ୍ୟାଚ୍ଗୁଡ଼ିକୁ ଅତି ଗୁରୁତ୍ୱର ସହ ନେଇଥାନ୍ତି । ସେମାନଙ୍କ ମଧ୍ୟରୁ ଜାଡେଜା ଅନ୍ୟତମ । ରନ୍ କରିବାର କ୍ଷୁଧା ତାଙ୍କଠାରେ ରହିଛି । କେବଳ ଦୃଢ଼ ଆତ୍ମବିଶ୍ୱାସ ଆବଶ୍ୟକ ବୋଲି ସେ କହିଛନ୍ତି ।

Loading...
>