ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତ ପରାସ୍ତ

ବ୍ରିସ୍ବେନ୍: ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଆଜି ତା’ର ଟି-୨୦ ସିରିଜ୍ ଆରମ୍ଭ କରି ଘରୋଇ ଦଳ ଠାରୁ ୪ ରନ୍ରେ ପରାଜୟ ବରଣ କରିଛି । ବର୍ଷାବାଧକ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୧୭ ଓଭରରେ ୧୫୮ ରନ୍ କରିଥିବା ବେଳେ ଭାରତକୁ ସେହି ୧୭ ଓଭରରେ ୧୭୪ ରନ୍ର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆରନ୍ ଫିଞ୍ଚ୍ (୨୭), କ୍ରିସ୍ ଲିୟନ୍ (୩୭), ଗ୍ଲେନ୍ ମ୍ୟାକ୍ସୱେଲ୍ ୪୬ ଓ ମାର୍କସ୍ ଷ୍ଟୋନିସ୍ (୩୩) ରନ୍ ବଳରେ ୧୫୮/୪ ରନ୍ କରିଥିଲା । ଜବାବରେ ଭାରତୀୟ ଓପନ୍ର ଶିଖର ଧାୱନଙ୍କ ସଂଘର୍ଷପୂର୍ଣ୍ଣ ବ୍ୟାଟିଂ ସତ୍ତେ୍ୱ ଅଷ୍ଟ୍ରେଲିଆକୁ ହରାଇବା ଭାରତ ପକ୍ଷେ କଷ୍ଟକର ହୋଇପଡ଼ିଥିଲା । ଭାରତୀୟ ଅନ୍ୟତମ ଓପନର ରୋହିତ ଶର୍ମା ମାତ୍ର ୭ ରନ୍ରେ ଆଉଟ୍ ହୋଇଯାଇଥିଲେ ମଧ୍ୟ ଶିଖର ଅନ୍ୟ ସାଥୀ ଖେଳାଳିଙ୍କ ସହଯୋଗରେ ଦଳୀୟ ସ୍କୋରକୁ ଆଗେଇ ନେଇ ଚାଲିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତଳକ୍ରମ ବ୍ୟାଟ୍ସମ୍ୟାନ୍ଙ୍କ ଧୈର୍ଯ୍ୟହରା ବ୍ୟାଟିଂ ଦଳକୁ ହାର୍ ମାନିବାକୁ ପଡ଼ିଥିଲା । ରୋହିତ ଶର୍ମାଙ୍କ ୱିକେଟ୍ ପତନ ପରେ ଲୋକେ ରାହୁଲ ଓ ଅଧିନାୟକ ବିରାଟ କୋହଲି କ୍ରିଜ୍କୁ ଆସିଥିଲେ ମଧ୍ୟ ସେମାନେ ସେଭଳି ଧାୱନଙ୍କୁ କୌଣସି ସହଯୋଗ କରିପାରି ନଥିଲେ । ଯାହାଫଳରେ ତଳସ୍ତର ବ୍ୟାଟ୍ସମ୍ୟାନ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଥିଲା । ରିଷଭ ପନ୍ଥ ୧୫ଟି ବଲରୁ ଗୋଟିଏ ଛକ୍କା ଓ ଗୋଟିଏ ଚୌକା ବଳରେ ୨୦ ରନ୍ କରିଥିବା ବେଳେ ଦୀନେଶ କାର୍ତ୍ତକ ମାତ୍ର ୧୩ଟି ବଲରୁ ୪ଟି ଚୌକା ଓ ଗୋଟିଏ ଛକ୍କା ବଳରେ ୩୦ ରନ୍ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକେଟ୍ ନେଇଥିଲା ବେଳେ ବୁମ୍ରା ଓ ଖଲିଲ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Loading...
>