୮୦ରନର ଧୂଆଁଧାର ପାଳି ଖେଳିଲେ ଯୁବରାଜ

ମୁମ୍ଵାଇ:ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ବ୍ୟାଟସମ୍ୟାନ ଯୁବରାଜ ସିଂହଙ୍କ ବୋଧହୁଏ ଆଗାମୀ ବିଶ୍ଵ କପ ଖେଳିବା ସ୍ଵପ୍ନ ଭାଙ୍ଗିନାହିଁ। ସେ ଏବେ ଫର୍ମକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି।  ବିଳମ୍ବରେ ହେଲେ ମଧ୍ୟ ଯୁବରାଜ ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି। ସେ ମୁମ୍ବାଇରେ ଖେଳାଯାଉଥିବା ଡିଓ୍ଵାଇ ପାଟିଲ ଟି ୨୦ କପ ଟୂର୍ଣ୍ଣାମେଣ୍ଟରେ ଏୟାର ଇଣ୍ଡିଆ ପକ୍ଷରୁ ଖେଳି ଧୂଆଁଧାର ବ୍ୟାଟିଂ କରି ୫୭ ବଲରୁ ୮୦ ରନ କରିଛନ୍ତି। ଯୁବରାଜଙ୍କ ଏହି ବ୍ୟାଟିଂ ପରେ  ଚଳିତ ବର୍ଷ ଆଇପିଏଲରେ ତାଙ୍କୁ କିଣିଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ବିଶ୍ଵାସ ନିଶ୍ଚୟ ବଢିଥିବ।  ଏହି ମ୍ୟାଚରେ ଯୁବରାଜ ପଲ ବାଲଥାଟିଙ୍କ ସହିତ ୫୧ ରନ ଏବଂ ସୁଜିତ ନାୟକଙ୍କ ସହିତ ୮୮ ରନ ଯୋଡ଼ିଥିଲେ। ଯୁବରାଜଙ୍କ ୮୦ ରନର ଦମଦାର ପାଳି ବଳରେ  ଏୟାର ଇଣ୍ଡିଆ ମୁମ୍ଵାଇ କଷ୍ଟମ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚରେ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ମାତ୍ର ଏୟାର ଇଣ୍ଡିଆ ଏହି ମ୍ୟାଚରେ ୧ ଓ୍ଵିକେଟରେ ପରାଜିତ ହୋଇଛି। ଏହା ପରେ ଯୁବରାଜ ସିଂହ ସୈୟଦ ମୁସ୍ତାକ ଟି ୨୦ରେ ପଞ୍ଜାବ ପକ୍ଷରୁ ଖେଳିବେ। ଏହା ପରେ ମାର୍ଚ୍ଚ ୨୩ରୁ ଆରମ୍ଭ  ହେବାକୁ ଥିବା ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସଙ୍କ ପକ୍ଷରୁ ଖେଳିବେ।  ଯୁବରାଜ ଦୀର୍ଘ ଦିନ ପରେ ୮୦ ରନର ଦମଦାର ପାଳି ଖେଳିଥିଲେ। ଶେଷ ଥର ସେ ବିଜୟ ହଜାରେ ଟ୍ରଫିରେ ରେଲଓ୍ଵେ ବିପକ୍ଷରେ ୯୬ ରନ କରିଥିଲେ। ଯୁବରାଜଙ୍କୁ ଏଥର ମୁମ୍ଵାଇ ଇଣ୍ଡିଆନ୍ସ ତାଙ୍କର ବେସ୍ ପ୍ରାଇସ୍ ଏକ କୋଟି ଟଙ୍କାରେ କିଣିଛି।
Loading...
>