ଭାରତ ଓ ବାଂଲା ଟିମକୁ ଧନ୍ୟବାଦ ଜଣାଇଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଭୟଙ୍କର ପ୍ରଦୂଷଣ ସ୍ଥିତି ସତ୍ତ୍ୱେ ଦିଲ୍ଲୀରେ ବାଂଲାଦେଶ ଓ ଭାରତ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ୭ ୱିକେଟରେ ପରାସ୍ତ ହୋଇଛି । ତେବେ ଯେଭଳି କଠିନ ପରିସ୍ଥିତିରେ ଦୁଇ ଦଳ ଖେଳିପାରିଲେ, ତାହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ଉଭୟ ଦଳକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଭାରତର ବର୍ତ୍ତମାନର ଜଳବାୟୁ ସ୍ଥିତିରେ ଭ୍ରମଣକାରୀ ବାଂଲା ଦଳ ଖାପ ଖୁଆଇ ଖେଳିପାରିବା ଖୁସିର ବିଷୟ । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ।

କିନ୍ତୁ ଏଠାକାର ପରିବେଶ ଖେଳାଳି ଓ ଦର୍ଶକଙ୍କ ସ୍ୱାସ୍ଥ୍ୟ ପକ୍ଷେ ଅହିତକର ବୋଲି ଦର୍ଶାଇ ପରିବେଶବିତ୍‌ମାନେ ଏହି ମ୍ୟାଚ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସକାଶେ ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରି ପତ୍ର ଲେଖିଥିଲେ । ବର୍ତ୍ତମାନ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଭୟଙ୍କର ସ୍ଥିତିରେ ପହଞ୍ଚିଛି । ବାଂଲା ଖେଳାଳିମାନେ ମାସ୍କ୍ ଲଗାଇ ଅଭ୍ୟାସ କରିଥିଲେ । ଏଭଳି ସ୍ଥିତି ଯୋଗୁଁ ଦିଲ୍ଲୀରେ ଟି-୨୦ ମ୍ୟାଚ୍ ହୋଇପାରିବ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଉଭୟ ଦଳ ସମସ୍ତ ଆଶଙ୍କା ଓ ଦୁଃଶ୍ଚିନ୍ତାର ଅବସାନ ଘଟାଇ ମ୍ୟାଚ୍ ଖେଳିଲେ । ସେଥିପାଇଁ ବାଂଲା ଟିମ୍‌କୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍ ହେବ ବୋଲି ଗାଙ୍ଗୁଲି କହିଛନ୍ତି ।

Loading...
>