ସୁଯୋଗ ପାଇବି ବୋଲି ବିଶ୍ୱାସ ନଥିଲା: ସୈନୀ

ଫ୍ଲୋରିଡ଼ା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ନବଦୀପ୍ ସୈନୀଙ୍କ ବୋଲିଂ ମ୍ୟାନେଜମେଣ୍ଟକୁ ଗଭୀର ଭାବେ ପ୍ରଭାବିତ କରିଛି । ଏପରିକି ସୈନୀ ନିଜେ ମଧ୍ୟ ନିଜର ପ୍ରଦର୍ଶନ ନେଇ ବିସ୍ମିତ । ମ୍ୟାଚ୍ ପରେ ସୈନୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପ୍ରଥମ ଟି-୨୦ ମ୍ୟାଚ୍ରେ ଖେଳିବାର ସୁଯୋଗ ପାଇବି ବୋଲି କେବେବି ବିଶ୍ୱାସ କରିପାରି ନଥିଲି । ଏହାଥିଲା ମୋର ପଦାର୍ପଣ ମ୍ୟାଚ୍ । ଯେତେବେଳେ ମୋତେ ବୋଲିଂ ପାଇଁ ପଠାଗଲା ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ପଦାର୍ପଣ ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ମୁଁ ନିଜକୁ ସୌଭାଗ୍ୟ ମନେ କରୁଛି ବୋଲି ସେ କହିଛନ୍ତି । ୨୬-ବର୍ଷୀୟ ହରିୟାଣାର ଏହି ଯୁବ ବୋଲର ୧୭ ରନ୍ ବିନିମୟରେ ତିନୋଟି ୱିକେଟ୍ ନେଇଥିଲେ । ପ୍ରଭାବୀ ବୋଲିଂ ଯୋଗୁଁ ୱେଷ୍ଟଇଣ୍ଡିଜ୍ର ସ୍କୋରକୁ ରୋକିବାରେ ଭାରତ ସକ୍ଷମ ହୋଇଥିଲା । ଇଣ୍ଡିଜ୍ ଦଳ ୯ ୱିକେଟ୍ ବିନିମୟରେ ୯୫ ରନ୍ କରିଥିଲେ । ସୈନୀଙ୍କୁ ଚମତ୍କାର ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ କରାଯାଇଥିଲା । ସୈନୀ କହିଥିଲେ ଯେ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍କୁ ନେଇ ମୁଁ ପୂର୍ବ ରାତିସାରା ଉତ୍କଣ୍ଠିତ ଥିଲି । ଖେଳିବାକୁ ସୁଯୋଗ ମିଳିବ ବୋଲି ଚିନ୍ତା କରିନଥିଲି । କିନ୍ତୁ ଶନିବାର ସକାଳେ ଯେତେବେଳେ ମୋତେ ଖେଳିବା ପାଇଁ କୁହାଗଲା, ସେତେବେଳେ ମୁଁ ନିଜକୁ ମଧ୍ୟ ବିଶ୍ୱାସ କରିପାରି ନଥିଲି । ଏହି ଦିନଟି ମୋ ପାଇଁ ସବୁବେଳେ ଏକ ସ୍ମରଣୀୟ ଦିନ ହୋଇ ରହିବ । ସୂଚନାଯୋଗ୍ୟ, ଗତକାଲିର ମ୍ୟାଚ୍ରେ ଭାରତ ପକ୍ଷରୁ ଦ୍ରୁତ ବୋଲର ନବଦୀପ ସୈନୀ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ସେ ଇନିଂସ୍ର ପଞ୍ଚମ ଓଭର ବୋଲିଂ କରିଥିଲେ । କ୍ୟାରିୟରର ପ୍ରଥମ ମ୍ୟାଚ୍ରେ ସେ ବୋଲିଂ କରିଥିବା ପ୍ରଥମ ଓଭର ମେଡେନ୍ ନେବା ସହ ଦୁଇଟି ୱିକେଟ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ । ଏହି ଓଭରରେ ସେ ଇଣ୍ଡିଜ ୱିକେଟ୍ କିପର ନିକୋଲାସ୍ ପୁରନ୍ ଓ ଶିମ୍ରନ୍ ହେଟମୟେରଙ୍କୁ ଆଉଟ୍ କରିଥିଲେ । ପ୍ରଥମ ଓଭରରେ ସେ ଦୁଇଟି ୱିକେଟ୍ ନେଇ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କ ସହ ସମକକ୍ଷ ହୋଇଛନ୍ତି । ପ୍ରଜ୍ଞାନ ୨୦୦୯ରେ ଟ୍ରେଣ୍ଟବ୍ରିଜ୍ଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଟି-୨୦ ମ୍ୟାଚର ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେଇଥିଲେ । ସୈନି ୧୦ ବର୍ଷପରେ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ସୈନି ଏହି ମ୍ୟାଚ୍ରେ ୪ ଓଭର ବୋଲିଂ କରି ଗୋଟିଏ ଓଭର ମେଡେନ୍ ସହ ୧୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ ।

Loading...
>