ସଫଳ ମୁକାବିଲା ପାଇଁ ମାନସିକ ସୁସ୍ଥତା ଜରୁରୀ: ଦ୍ରାବିଡ଼

ନୂଆଦିଲ୍ଲୀ: କ୍ରିକେଟ୍ ଭଳି କଠିନ ଓ ଚ୍ୟାଲେଞ୍ଜ୍ପୂର୍ଣ୍ଣ ଇଭେଣ୍ଟର ସଫଳ ମୁକାବିଲା ପାଇଁ ଖେଳାଳିମାନଙ୍କୁ କେବଳ ଶାରିରୀକ ନୁହେଁ, ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବା ଆବଶ୍ୟକ । ଏକାଧିକ ଟୁର୍ଣ୍ଣାମେଣ୍ଟ ଖେଳାଯାଉଥିବାରୁ ଖେଳାଳିମାନଙ୍କ ଶରୀର ସହ ମସ୍ତିଷ୍କ ଉପରେ ମଧ୍ୟ ଚାପ ପଡ଼ିଥାଏ । ବ୍ୟସ୍ତବହୁଳ କ୍ରୀଡାସୂଚୀ ଯୋଗୁଁ ଖେଳାଳିମାନେ ଉପଯୁକ୍ତ ଭାବରେ ବିଶ୍ରାମ ପାଇପାରି ନଥାନ୍ତି । ଯାହାଫଳରେ ଅନେକ ସମୟରେ ବିପର୍ଯ୍ୟୟ ଘଟିଥାଏ । ମାନସିକ ସୁସ୍ଥତା କ୍ରିକେଟ୍ ଭଳି କ୍ରୀଡ଼ା ପାଇଁ ନିହାତି ଜରୁରୀ । ବର୍ତ୍ତମାନ ସମୟରେ ଏହା ଏକ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଥିବାରୁ ପୂର୍ବତନ ଅଧିନାୟକ ରାହୁଲ୍ ଦ୍ରାବିଡ଼ କହିଛନ୍ତି । ଇସ୍ପିଏନ୍ ସହ ସାକ୍ଷାତକାର ଅବସରରେ ଦ୍ରାବିଡ଼ କହିଲେ ଯେ, ମାନସିକ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । କିନ୍ତୁ ଅଧିକାଂଶ ସମୟରେ ମ୍ୟାନେଜମେଣ୍ଟ ଏହାକୁ ଗୁରୁତ୍ୱର ସହ ନେଇନଥାନ୍ତି, କିମ୍ବା ଏଭଳି ଏକ ଦିଗ ଅଛି ବୋଲି ସେମାନେ ଚିନ୍ତା ବି କରିନଥାନ୍ତି । ଯାହାଫଳରେ ବହୁ ଖେଳାଳି ଅସୁବିଧାରେ ପଡ଼ିଥାନ୍ତି । ଅଷ୍ଟ୍ରେଲିଆର ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ୱିଲ୍ ପୁକୋସ୍କିଙ୍କ ଭଳି ଖେଳାଳି ଏହି କାରଣରୁ ଅସୁବିଧାରେ ପଡ଼ିଥିବାର ଉଦାହରଣ ରହିଛି । ମ୍ୟାକ୍ସୱେଲ୍ ସବୁବେଳେ ମାନସିକ ସୁସ୍ଥତା ଉପରେ ଧ୍ୟାନ ଦେଉଥିଲେ । କିନ୍ତୁ ଭାରତରେ ତାହା ଦେଖିବାକୁ ମିଳୁନାହିଁ । ଗୋଟିଏ ବର୍ଷରେ ଏକାଧିକ କ୍ରିକେଟ୍ ଇଭେଣ୍ଟ ଅନୁଷ୍ଠିତ ହେଛଛି । ଅଳ୍ପ ସମୟର ବ୍ୟବଧାନରେ ଖେଳଗୁଡ଼ିକ ହେଉଥିବାରୁ ଖେଳାଳିମାନେ ବିଶ୍ରାମ ପାଇନଥାନ୍ତି । ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ସେ ବିଷୟରେ କେହି ଚିନ୍ତା କରୁନାହାଁନ୍ତି । ମାନସିକ ସ୍ୱାସ୍ଥ୍ୟ ଏବଂ ଶରୀର ମଧ୍ୟରେ ଏକ ଉପଯୁକ୍ତ ସମନ୍ୱୟ ବା ଭାରସାମ୍ୟ ରହିବା ଉଚିତ୍ । ଅନେକ ସମୟରେ ଲଗାତାର ଭାବେ ମ୍ୟାଚ୍ ଖେଳିବା ଦ୍ୱାରା ଖେଳାଳିମାନେ ମାନସିକ ଯନ୍ତ୍ରଣାର ଶିକାର ହୋଇଥାନ୍ତି । ଯାହାଫଳରେ ପଡ଼ିଆରେ ଆବଶ୍ୟକ ଭାରସାମ୍ୟ ମଧ୍ୟ ରହିନଥାଏ ବୋଲି ଦ୍ରାବିଡ଼ କହିଛନ୍ତି ।

Loading...
>