ସଚିନଙ୍କ ପରାମର୍ଶ କାମ ଦେଲା: କୋହଲି

କୋଲକାତା: ଐତିହାସିକ ଇଡେନ୍ ଦିବାରାତ୍ର ତଥା ପିଙ୍କ୍ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଅଧିନାୟକ ବିରାଟ କୋହଲିଙ୍କୁ କେତେକ ପରାମର୍ଶ ଦେଇଥିଲେ । ପିଙ୍କ୍ ଟେଷ୍ଟ ଭାରତ ପ୍ରଥମ କରି ଖେଳୁଥିବାରୁ ଏହା ସଂପୂର୍ଣ୍ଣ ଭାବେ ଦଳ ପାଇଁ ନୂଆ ଅନଭୂତି । ଏହାକୁ ସାମ୍ନା କରିବାକୁ ହେଲେ କି ପ୍ରକାର କୌଶଳ ଅବଲମ୍ବନ କରିବାକୁ ହେବ, ସେ ନେଇ ସଚିନ୍ କୋହଲିଙ୍କୁ କେତେକ ଟିପ୍ସ ଦେଇଥିଲେ । ଯାହା ଫଳପ୍ରସୂ ହୋଇଛି ବୋଲି କୋହଲି ସ୍ୱୀକାର କରିଛନ୍ତି । ଏହି ଐତିହାସିକ ମ୍ୟାଚ୍କୁ ଭାରତ ପ୍ରାଧାନ୍ୟର ସହ ଜିତିବା ପରେ କୋହଲି କହିଛନ୍ତି ଯେ, ଦିବାରାତ୍ର ଟେଷ୍ଟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିପରି ରହିବ ଏବଂ ବିଭିନ୍ନ ସମୟରେ କିଭଳି ବ୍ୟାଟିଂ ଓ ବୋଲିଂ କରିବାକୁ ପଡ଼ିବ, ସେ ନେଇ ସଚିନ୍ ବିସ୍ତୃତ ଭାବେ ବୁଝାଇ ଦେଇଥିଲେ । ସଚିନ୍ କହିଥିଲେ, ପିଙ୍କ୍ ବଲ୍ ପ୍ରତିଯୋଗିତାକୁ ଦିବା ଟେଷ୍ଟର ସକାଳ ଭାବେ ବିବେଚନା କରିବାକୁ ପଡ଼ିବ । ଯେତେବେଳେ ସମୟ ଅତିକ୍ରାନ୍ତ ହୋଇ ଅନ୍ଧାର ହେବ, ସେତେବେଳେ ବଲ୍ ସୁଇଂ କରିବା ଆରମ୍ଭ କରିବ । ପ୍ରଥମ ସେସନ୍ରେ ଲଞ୍ଚ୍ରୁ ଟି\’ ପର୍ଯ୍ୟନ୍ତ ସମୟ ବୋଲି ମନରେ ଧାରଣ କରି ଖେଳିବାକୁ ହେବ । ତାଙ୍କ ପରାମର୍ଶକୁ ଆମେ ସେହିଭଳି ଭାବେ ଅବଲମ୍ବନ କରିଥିଲୁ । ଦ୍ୱିତୀୟ ସେସନ୍ ସକାଳ ସେସନ୍ ଭଳି ଏବଂ ଶେଷ ସେସନ୍ ସନ୍ଧ୍ୟା ଭଳି ମନେ କରି ଖେଳିବା ଲାଗି ସେ ପରାମର୍ଶ ଦେଇଥିଲେ । ବ୍ୟାଟ୍ସମ୍ୟାନ୍ ଭାବେ ଜଣେ ଖେଳାଳିର ସେଟଅପ୍ ସାଧାରଣତଃ ବଦଳିଥାଏ । ଜଣେ ବ୍ୟାଟ୍ସମ୍ୟାନ୍ ଯେତେ ଫର୍ମରେ ଥାଆନ୍ତୁ ନା କାହିଁକି କିମ୍ବା ଯେତେ ଭଲ ବ୍ୟାଟିଂ କରନ୍ତୁ ନା କାହିଁକି ଅନ୍ଧାର ହେବା ଏବଂ ଆଲୋକ ଜଳିବା ପରେ ଖେଳିବା ସକାଳ ଅପେକ୍ଷା ଅଧିକ ସହଜ ହୋଇନଥାଏ । କିଛି ନା କିଛି ଅସୁବିଧା ଅନୁଭୂତ ହୋଇଥାଏ । ତେବେ ମୋ କ୍ଷେତ୍ରରେ ତାହା ଅବଶ୍ୟ ଘଟିନାହିଁ ବୋଲି କୋହଲି କହିଥିଲେ । ସଚିନ୍ଙ୍କ ପ୍ରତ୍ୟେକ ପରାମର୍ଶକୁ ଏକ ମନ୍ତ୍ର ଭାବରେ ବିବଚେନା କରି ମୁଁ ଖେଳିଥିଲି ବୋଲି କୋହଲି ସ୍ୱୀକାର କରିଛନ୍ତି ।

Loading...
>