ରେକର୍ଡ ନୁହେଁ, ଟ୍ରଫି ଜିତିବାକୁ ଆସିଛି : ରୋହିତ

ଲଣ୍ଡନ: ପାଞ୍ଚୋଟି ଶତକ ହାସଲ କରିବା ବ୍ୟକ୍ତିଗତ ଗୌରବର ବିଷୟ ହୋଇପାରେ; କିନ୍ତୁ ଆମେ ଯଦି ବିଶ୍ୱକପ୍ ଜିତି ନପାରିଲୁ, ତା’ହେଲେ ସେସବୁ ଶତକର କୌଣସି ମୂଲ୍ୟ ରହିବ ନାହିଁ । ଖେଳରେ ବ୍ୟକ୍ତିଗତ ରେକର୍ଡ଼ ଅପେକ୍ଷା ଟୁର୍ଣ୍ଣାମେଣ୍ଟ ବିଜୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଭଳି ମନ୍ତବ୍ୟ ଦେଇଛନ୍ତି, ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା । ସେ କହିଛନ୍ତି ଯେ, ପ୍ରତ୍ୟେକ ମ୍ୟାଚ୍କୁ ସେ ତାଙ୍କର ପ୍ରଥମ ମ୍ୟାଚ୍ ଭାବେ ବିବେଚନା କରନ୍ତି । କାରଣ ପ୍ରତ୍ୟେକ ମ୍ୟାଚ୍ରେ ଭିନ୍ନତା ରହିଥାଏ । ମୁଁ କେତୋଟି ଦିନିକିଆ ଖେଳିଛି ବା ଖେଳି ସାରିଲିଣି ସେ ସବୁ ଚିନ୍ତା କରିବାକୁ ଚାହେଁ ନାହିଁ । ସେହିପରି କେତେ ରନ୍ କଲିଣି କିମ୍ବା କେତୋଟି ଶତକ ହାସଲ କରିଛି, ତାହାକୁ ମଧ୍ୟ ମୁଁ ଗୁରୁତ୍ୱ ଦିଏ ନାହିଁ । ମୋର ଲକ୍ଷ୍ୟ ହେଉଛି ଭାରତ କିପରି ବିଶ୍ୱକପ୍ ଜିତିବ । ଯଦି ଭାରତ ବିଶ୍ୱକପ୍ ଜିତିପାରିଲା, ତା’ହେଲେ ମୋର ପରିଶ୍ରମର ମୂଲ୍ୟ ରହିବ ବୋଲି ରୋହିତ କହିଛନ୍ତି । ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ, ଏବେ ଆମ ଦଳରେ ଦକ୍ଷ ଯୁବ ଖେଳାଳି ଅଛନ୍ତି । ସେମାନେ ବଡ଼ ବଡ଼ ବିପର୍ଯ୍ୟୟ ଘଟାଇବାର ସାମର୍ଥ୍ୟ ମଧ୍ୟ ରଖିଛନ୍ତି । ଚଳିତ ବିଶ୍ୱକପ୍ରେ ସୌଭାଗ୍ୟକ୍ରମେ ମୁଁ ଭଲ ପ୍ରଦର୍ଶନ କରିପାରିଛି । ମୋର ବ୍ୟକ୍ତିଗତ ସ୍କୋର ଦଳ ପାଇଁ ସହାୟକ ହୋଇଛି । ତେବେ ଏହାକୁ ନେଇ ମୁଁ ସେତେଟା ଗର୍ବିତ ନୁହେଁ । ମୋ ଆଗରେ ବ୍ୟକ୍ତିଗତ ସ୍କୋର ଅପେକ୍ଷା ଦଳର ବିଜୟ ସବୁଠୁ ମହତ୍ୱପୂର୍ଣ୍ଣ । ଏଥର ଯଦି ଭାରତ ବିଶ୍ୱକପ୍ ଟ୍ରଫି ହାସଲ କରିପାରିଲା, ତା’ହେଲେ ମୋର ଶତକର ମୂଲ୍ୟ ରହିବ । ଏହି ଟୁର୍ଣ୍ଣାମେଣ୍ଟରେ କେବଳ ମୁଁ ଏକୁଟିଆ ନୁହେଁ, ଅନ୍ୟମାନେ ମଧ୍ୟ ଦଳକୁ ଜିତାଇବା ଲାଗି ପ୍ରାଣପଣେ ଚେଷ୍ଟା କରୁଛନ୍ତି । ଦଳ କିପରି ଆଗକୁ ବଢ଼ିବ ଏବଂ ଫାଇନାଲ୍ ଜିତିବ ତାହା ମୋର ଏକମାତ୍ର ଚିନ୍ତା । କାହା ସହିତ ମୁଁ ସମକକ୍ଷ ହେଲେ କିମ୍ବା କାହାର ରେକର୍ଡ଼ ଭାଙ୍ଗିଲି ସେସବୁ ଚିନ୍ତା କରିବାର ସମୟ ନୁହେଁ । ପ୍ରତ୍ୟେକ ମ୍ୟାଚ୍କୁ ଏକ ଯୁଦ୍ଧ ଭାବରେ ବିଚାର କରି ଖେଳିବାକୁ ପଡ଼ିବ ବୋଲି ରୋହିତ କହିଛନ୍ତି । ଚଳିତ ବିଶ୍ୱକପ୍ରେ ଟପ୍ ଫର୍ମରେ ଥିବା ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବିଶ୍ୱ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହି ଡାହାଣହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶନିବାର ମଧ୍ୟ ତାଙ୍କର ଜବରଦସ୍ତ ଫର୍ମ ଜାରି ରଖି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ଦମ୍ଦାର ଶତକ ଅର୍ଜନ କରି ବିଶ୍ୱକପ୍ରେ ପ୍ରଥମ ଖେଳାଳି ଭାବେ ୫ଟି ଶତକ ହାସଲ କରିଛନ୍ତି । ଗତ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ସେ ଶତକ ପୂରଣ କରିବା ସହ ଗୋଟିଏ ସଂସ୍କରଣରେ ୪ଟି ଶତକୀୟ ଇନିଂସ ଖେଳି ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ସମକକ୍ଷ ହୋଇଥିଲେ । ଏଥିସହ ବିଶ୍ୱକପ୍ ଇତିହାସରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟ୍ସମ୍ୟାନ୍ ସୂଚୀରେ ରୋହିତ ସାମିଲ୍ ହୋଇଛନ୍ତି । ସେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ସଚିନ୍ଙ୍କ ନାମରେ ୬ଟି ବିଶ୍ୱକପ୍ ଶତକ ରହିଥିବା ବେଳେ ରୋହିତ ମଧ୍ୟ ସମାନ ସଫଳତା ପାଇଛନ୍ତି । ରୋହିତ ଗତ ସଂସ୍କରଣରେ ବାଂଲାଦେଶ ବିପକ୍ଷରେ ଗୋଟିଏ ଶତକ ହାସଲ କରିଥିବା ବେଳେ ଚଳିତ ସଂସ୍କରଣରେ ଦକ୍ଷିଣ ଆଫ୍ରିକା, ପାକିସ୍ତାନ, ଇଂଲଣ୍ଡ, ବାଂଲାଦେଶ ଓ ଶ୍ରୀଲଙ୍କା ବିପକ୍ଷରେ ୩ ଅଙ୍କବିଶିଷ୍ଟ ସ୍କୋର୍ କରିଛନ୍ତି । ରୋହିତ ଶନିବାର ମ୍ୟାଚ୍ରେ ଶତକ କରିବା ସହ ଭାରତ ପାଇଁ ବିଶ୍ୱକପ୍ରେ ଲୋକେଶ ରାହୁଲ୍ଙ୍କ ସହ ପ୍ରଥମ ୱିକେଟ୍ରେ ରେକର୍ଡ ପାର୍ଟନର୍ଶିପ୍ ମଧ୍ୟ କରିଛନ୍ତି ।

Loading...
>