ଭିନ୍ନ ଭୂମିକାରେ ନଜର ଆସିବେ ଧୋନି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଖୁବ୍ ଅଳ୍ପଦିନ ଭିତରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ । ଏହାକୁ ଏକ ଅପ୍ରତ୍ୟାଶିତ ଭୂମିକା ମଧ୍ୟ କୁହାଯାଇପାରେ । ଇଡେନ୍‌ଗାର୍ଡ଼େନ୍‌ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏଥିରେ ଧୋନି ଜଣେ ଅତିଥି ଭାଷ୍ୟକାର ଭାବେ କାର୍ଯ୍ୟ କରିବେ । ବିରାଟ କୋହଲି ବାହିନୀ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ । କେତେକ ଦୃଷ୍ଟିରୁ ଏହି ଟେଷ୍ଟ ମ୍ୟାଚ୍ ସ୍ମରଣୀୟ ରହିବ । ପ୍ରସାରଣ ଅଧିକାର ପାଇଥିବା ଷ୍ଟାର୍ ଚ୍ୟାନେଲ୍ ଧୋନିଙ୍କୁ ଜଣେ ଅତିଥି ଭାଷ୍ୟକାର ଭାବେ ଆଣିବା ଲାଗି ଯୋଜନା କରିଛି । ତେବେ ଏ ସଂପର୍କରେ ଧୋନିଙ୍କୁ କୌଣସି ଆଗୁଆ ସୂଚନା ଦିଆଯାଇ ନାହିଁ । ତାଙ୍କୁ ସପ୍ରାଇଜ୍ ଦେବା ଲାଗି ଷ୍ଟାର୍ ଚ୍ୟାନେଲ୍ ମନସ୍ତ କରିଛି । ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଯାଇଥିବାରୁ ଏହା ଆଉ ଗୁପ୍ତ ହୋଇ ରହିନାହିଁ । ତେବେ ଏ ସଂପର୍କରେ ଧୋନିଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହି ଟେଷ୍ଟ ମ୍ୟାଚରେ ଭାରତର ସବୁ ପୂର୍ବତନ ଅଧିନାୟକଙ୍କୁ ଡକାଯିବ । ସେମାନେ ମ୍ୟାଚ୍ ବେଳେ ପରସ୍ପର ମଧ୍ୟରେ ଭାରତୀୟ ଟେଷ୍ଟ ଇତିହାସ ସଂପର୍କରେ ଆଲୋଚନା କରିବେ । ତା’ସହିତ ଖେଳର ବିବରଣୀ ମଧ୍ୟ ପ୍ରଦାନ କରିବେ । ଏହା ହେଉଛି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କର ଯୋଜନା । ଗାଙ୍ଗୁଲି ଏହି ପ୍ରସ୍ତାବ ଷ୍ଟାର୍ ଚ୍ୟାନେଲକୁ ଦେଇଥିଲେ । ପିଙ୍କ୍ ବଲ ବ୍ୟବହାର କରାଯିବା ମଧ୍ୟ ଗାଙ୍ଗୁଲିଙ୍କ ଯୋଜନା । ଗାଙ୍ଗୁଲିଙ୍କ ପ୍ରସ୍ତାବରେ କୁହାଯାଇଛି ଯେ, ଦୁଇଟି ଟେଷ୍ଟ ମ୍ୟାଚକୁ ଭାରତର ସବୁ ପୂର୍ବତନ ଅଧିନାୟକଙ୍କୁ ଡକାଯାଉ । ଜାତୀୟ ସଂଗୀତ ଗାନ ବେଳେ ପଡ଼ିଆରେ ବର୍ତ୍ତମାନର ଅଧିନାୟକ ଓ ସମସ୍ତ ପୂର୍ବତନ ଅଧିନାୟକମାନେ ଉପସ୍ଥିତ ରହିବେ । ତା’ସହିତ ବିସିସିଆଇର ପଦାଧିକାରୀମାନେ ମଧ୍ୟ ରହିବେ । ସେହିପରି, ଅଧିନାୟକମାନେ କମେଣ୍ଟାରୀ ବକ୍ସରେ ରହି ବିବରଣୀ ଦେବା ସହ ଭାରତୀୟ ଟେଷ୍ଟ ଇତିହାସ ସଂପର୍କରେ ପରସ୍ପର ମଧ୍ୟରେ ଆଲୋଚନା କରିବେ । ଅତୀତରେ ଯେଷ୍ଟରେ ଭାରତର କିଭଳି ସ୍ଥିତି ଥିଲା, ଖେଳାଳିମାନେ କିଭଳି ଅବଦାନ ରଖିଥିଲେ, ଭାରତୀୟ ଦଳ କାହାକୁ କିଭଳି ଭାବରେ ପରାସ୍ତ କରିଥିଲେ । ଏହିସବୁ ବିଷୟ ଉପରେ ଆଲୋଚନା କରିବେ ବୋଲି ପ୍ରସ୍ତାବରେ କୁହାଯାଇଛି । ଏହି ପ୍ରସ୍ତାବକୁ ଷ୍ଟାର୍ ଚ୍ୟାନେଲ୍ ଗ୍ରହଣ କରିଛି । ତେଣୁ ଭାରତୀୟ ଟେଷ୍ଟ ଇତିହାସରେ ଏହା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଭାବେ ଯୋଡ଼ି ହେବ ବୋଲି କୁହାଯାଉଛି ।

Loading...
>