ପିଙ୍କ୍ ଟେଷ୍ଟରେ ଭାରତର “ଗୋଲାପୀ’ ବିଜୟ

କୋଲକାତା,୨୪/୧୧: ଇଡେନ୍ ଗାର୍ଡ଼େନ୍ରେ ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍କୁ ନେଇ ଆରମ୍ଭରୁ ଆଶା, ଆଶଙ୍କା, ଦ୍ୱନ୍ଦ୍ୱ ଓ ଉତ୍କଣ୍ଠା ଲାଗି ରହିଥିଲା । ଦୁଇ ଦେଶ ଭାରତ ଓ ବାଂଲାଦେଶ ପିଙ୍କ୍ ବଲକୁ ସାମ୍ନା କରିବାରେ କେତେଦୂର ସଫଳ ହେବେ ତାହାକୁ ନେଇ ଚିନ୍ତା ରହିଥିଲା । ତେବେ ଭାରତ ଏହି ବଲରେ ସଂପୂର୍ଣ୍ଣ ସଫଳ ହୋଇଥିବା ବେଳେ ବାଂଲାଦେଶକୁ ବିପର୍ଯ୍ୟୟର ମୁହଁ ଦେଖିବାକୁ ମିଳିଛି । ପିଙ୍କ୍ ବଲ୍ ସହ ଉଭୟ ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ୍ମାନେ ଠିକ୍ ଭାବେ ଖେଳିବାରେ ସକ୍ଷମ ହୋଇଛନ୍ତି । ଫଳତଃ ଭାରତ ଏହି ମ୍ୟାଚ୍ରେ ଏକ ଇଂନିସ୍ ଓ ୪୬ ରନ୍ରେ ବିଜୟୀ ହୋଇଛି । ୨୨ ତାରିଖରେ ବାଂଲା ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା । ତେବେ ପିଙ୍କ୍ ବଲ୍କୁ ସାମ୍ନା କରିବାରେ ବ୍ୟାଟ୍ସମ୍ୟାନ୍ମାନେ ଅସଫଳ ହୋଇଥିଲେ ଏବଂ ପ୍ରଥମ ଇଂନିସରେ ୧୦୬ରେ ଦଳ ଅଲ୍ଆଉଟ୍ ହୋଇଯାଇଥିଲା । ଭାରତ ପ୍ରଥମ ଇଂନିସରେ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରି ୩୪୭/୯ରେ ଗତକାଲି ପାଳି ସମାପ୍ତି ଘୋଷଣା କରିଥିଲା । ଏହାପରେ ବାଂଲା ଦଳ ଦ୍ୱିତୀୟ ଇଂନିସ୍ ଆରମ୍ଭ କରି ଏଥିରେ ମଧ୍ୟ ବିପର୍ଯ୍ୟସ୍ତ ହୋଇଥିଲା । ଭାରତୀୟ ବୋଲରମାନଙ୍କର ଘାତକ ଷ୍ଟ୍ରୋକ୍ରେ ବାଂଲା ଦଳ ୧୯୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏଥିସହ ଭାରତ ଅନ୍ତିମ ଟେଷ୍ଟ ମ୍ୟାଚ୍କୁ ଜିତିବା ସହ ସିରିଜ୍ ପୋଛି ନେଇଛି । ଶେଷ ମ୍ୟାଚ୍ରେ ଉମେଶ ଯାଦବ ୮ଟି ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ମୋଟ ୯ଟି ୱିକେଟ୍ ନେଇ ଭାରତର ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି । ବ୍ୟାଟିଂରେ ଅଧିନାୟକ ବିରାଟ କୋହଲି ପ୍ରଥମ ପିଙ୍କ୍ ଶତକ କରିଥିବା ବେଳେ ଆଜିଙ୍କ୍ୟା ରାହାଣେ ଓ ଚେତେଶ୍ୱର ପୂଜାରା ଅର୍ଦ୍ଧଶତକ କରିଛନ୍ତି । ଅଧିନାୟକ ବିରାଟ କୋହଲିଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ଏବଂ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ବଳରେ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ପିଙ୍କ୍ବଲ ଟେଷ୍ଟ ଭାରତ କବ୍ଜାରେ ରହିଛି । ଏହି ମ୍ୟାଚ୍ରେ କୋହଲି ୧୩୬ ରନ୍ କରିବା ଫଳରେ ଭାରତ ୯ ୱିକେଟରେ ୩୪୭ ରନ୍ କରି ପ୍ରଥମ ଇନିଂସ ସମାପ୍ତି ଘୋଷଣା କରିଥିଲା । ଏହାପରେ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ପୁଣିଥରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦ୍ୱିତୀୟ ଦିନ ଖେଳ ବନ୍ଦ ରହିଲା ବେଳକୁ ବାଂଲାଦେଶ ଦ୍ୱିତୀୟ ଇନିଂସରେ ୬ ୱିକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଏହି ଜିତିବା ସହ ଭାରତ ଲଗାତାର ଘରୋଇ ମାଟିରେ ୧୨ତମ ବିଜୟ ହାସଲ କରିଛି ।

Loading...
>