Home Sports ଦ୍ୱିତୀୟ ଦିନିକିଆ ଆଜି:ଭାରତୀୟ ପାଇଁ କର ବା ମର ପରିସ୍ଥିତି

ଦ୍ୱିତୀୟ ଦିନିକିଆ ଆଜି:ଭାରତୀୟ ପାଇଁ କର ବା ମର ପରିସ୍ଥିତି

ରାଜକୋଟ: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ। ମୁମ୍ବାଇରେ ପ୍ରଥମ ଦିନିକିଆରେ ୧୦ ଉଇକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିବା ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ପଛରେ ପଡିଛି। ଫଳରେ ଭାରତ ବିଜୟୀ ହେବା ଅପରିହାର୍ଯ୍ୟ ହୋଇପଡିଛି। ଅଧିନାୟକ ବିରାଟ କୋହଲି ପୂର୍ବପରି ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିବେ। ପ୍ରଥମ ମ୍ୟାଚ୍‌ରେ ସେ ନିଜର ବ୍ୟାଟିଂ କ୍ରମ ବଦଳାଇଥିଲେ। ତେବେ ଏହା ମହଙ୍ଗା ସାବ୍ୟସ୍ତ ହୋଇଥିଲା ଓ ଭାରତର ବ୍ୟାଟିଂ ଫେଲ୍‌ ମାରିଥିଲା। ଦୁଇ ଅଷ୍ଟ୍ରେଲିଆ ଓପନର ଡେଭିଡ ଓ୍ବାର୍ନର ଓ ଆରୋନ ଫିଞ୍ଚ୍‌ ଘରୋଇ ବୋଲରଙ୍କ ଉଚିତ୍‌ ମୁକାବିଲା କରିବା ସହ ଅପରାଜିତ ଶତକ ହାସଲ କରି ଦଳକୁ ଜିତାଇଥିଲେ।
୩ଜଣ ଇନ୍‌ଫର୍ମ ଖେଳାଳି ରୋହିତ ଶର୍ମା, ଶିଖର ଧାଓ୍ବନ ଓ ଲୋକେଶ ରାହୁଲଙ୍କୁ ଖେଳାଯିବକୁ ଯାଇ କୋହଲି ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ କରିବାକୁ ଆସିଥିଲେ ଓ ଏହା କାମ ଦେଇ ନ ଥିଲା। ଭଲ ଆରମ୍ଭ କରିଥିଲେ ମଧ୍ୟ ଏହି ଖେଳାଳିମାନେ ଏହାକୁ ବଡ଼ ସ୍କୋରରେ ପରିଣତ କରିବାରେ ବିଫଳ ହୋଇଥିଲେ। ଯଦି ଆବଶ୍ୟକ ପଡେ ଅଭିଜ୍ଞ ଓପନର ଧାଓ୍ବନ ପରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। କିନ୍ତୁ କୋହଲି ୩ ନମ୍ବରରେ ବେଶ୍‌ ସଫଳତା ପାଇଛନ୍ତି ଓ ସେ ମିଡଲ ଅର୍ଡରରେ ସ୍ଥିରତା ଆଣିଥାନ୍ତି। ପ୍ରଥମ ଦିନିକିଆ ହେଲ୍‌ମେଟ୍‌ରେ ବଲ୍‌ ବାଜିବା କାରଣରୁ ରିଷଭ ପନ୍ତ ଆହତ ହୋଇ ଏହି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତେଣୁ ରିଷଭଙ୍କ ବଦଳରେ ରାହୁଲ ଉଇକେଟ କିପିଂ ଦାୟିତ୍ୱରେ ରହିବା ଏକ ପ୍ରକାର ନିଶ୍ଚିତ।
ପ୍ରଥମ ମ୍ୟାଚ୍‌ରେ ରୋହିତ ଓ ଧାଓ୍ବନ ୯୧ ବଲରୁ ୭୪ ରନ କରି ଭଲ ଆରମ୍ଭ କରିଥିଲେ। ଫଳରେ ଏହି ଦୁଇ ଖେଳାଳି ଇନିଂସ ଓପନ କରିବେ ଓ ୪ ନମ୍ବରରେ ଶ୍ରେୟାସ ଆୟାର କିମ୍ବା ରାହୁଲଙ୍କ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। ଅବଶ୍ୟ ଆୟାର ପ୍ରଥମ ମ୍ୟାଚ୍‌ରେ ଫେଲ୍‌ ମାରିଥିଲେ। ପନ୍ତଙ୍କ ଅନୁପସ୍ଥିତି କର୍ନାଟକ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ପୁଣେରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ପନ୍ତଙ୍କ ଅନୁପସ୍ଥିତିରେ ସେ ଭଲ ପ୍ରଦର୍ଶନ କରିଥିଲେ। ତେବେ ଅଭିଜ୍ଞ ଶିବମ ଦୁବେ ଓ କେଦାର ଯାଦବଙ୍କ ମଧ୍ୟରୁ କାହାକୁ ଖେଳାଯିବ ତାହା ଅବଶ୍ୟ ପରେ ଜଣା ପଡିବ। ୨୦୧୯ରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିବା ରୋହିତ କିନ୍ତୁ ପ୍ରଥମ ମ୍ୟାଚ୍‌ରେ ବିଫଳ ହୋଇଥିଲେ। ଜବରଦସ୍ତ ଫର୍ମରେ ଥିବାରୁ ସେ ଏହି ମ୍ୟାଚ୍‌ରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଅନ୍ୟପଟେ କୋହଲି ଆଉ ଗୋଟିଏ ଶତକ ହାସଲ କଲେ ଘରୋଇ ମାଟିରେ ଭାରତ ପାଇଁ ସର୍ବାଧିକ ଶତକ ହାସଲ ରେକର୍ଡର ସମକକ୍ଷ ହେବେ। ତେଣୁ ସେ ଦ୍ୱିତୀୟ ମ୍ୟାଚ୍‌ରେ ଏହି ସଫଳତା ପାଇବା ଆଶା କରାଯାଉଛି।

ଯଶପ୍ରୀତ ବୁମ୍‌ରାଙ୍କ ନେତୃତ୍ୱରେ ଭାରତ ଓ୍ବାଙ୍ଖଡେରେ ମାମୁଲି ପ୍ରଦର୍ଶନ କରିଥିଲା ଓ ଗୋଟିଏ ହେଲେ ବି ଉଇକେଟ ହାସଲ କରିପାରି ନ ଥିଲା। ଫଳରେ ଭାରତୀୟ ବୋଲିଂ ୟୁନିଟ୍‌ ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି। ଆଘାତ ସମସ୍ୟାରୁ ଫେରିବା ପରେ ବୁମ୍‌ରା ପୂର୍ବଭଳି ସେତେଟା ପ୍ରଭାବୀ ସାବ୍ୟସ୍ତ ହୋଇପାରି ନାହାନ୍ତି। ପୂର୍ବ ଚମକ ଦେଖାଇବାକୁ ସେ ପ୍ରୟାସ କରିବେ ବୋଲି ଆଶା କରାଯାଉଛି। ଦିଲ୍ଲୀ ଦ୍ରୁତ ବୋଲର ନବଦୀପ ସଇନି ଓ ଶାର୍ଦ୍ଦୂଳ ଠାକୁରଙ୍କ ମଧ୍ୟରୁ ଜଣକୁ ଖେଳାଯିବ। ଠାକୁର ମୁମ୍ବାଇରେ ୫ ଓଭରରେ ବୋଲିଂ କରି ୪୩ ରନ ଦେବା ସହ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସ୍ପିନ୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବା ନିଶ୍ଚିତ ମନେ ହେଉଛି। ଚାଇନାମ୍ୟାନ କୁଲଦୀପ ଯାଦବ ଓ ରିଷ୍ଟ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ। କୁଲଦୀପ ୧୦ ଓଭର ବୋଲିଂ କରି ପ୍ରଥମ ମ୍ୟାଚ୍‌ରେ ୫୫ ରନ ବ୍ୟୟ କରିଥିଲେ।
ଅପରପକ୍ଷରେ ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ହାସଲ କରି ଅଷ୍ଟ୍ରେଲିଆ ତା’ର ମନୋବଳ ବେଶ୍‌ ଉଚ୍ଚ କରିଛି। ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଭାରତ ମାଟିରେ କ୍ରମାଗତ ଦୁଇଟି ସିରିଜ ବିଜୟ ହାସଲ ଲକ୍ଷ୍ୟରେ ରହିଛି। ଏହା ହୋଇପାରିଲେ ଅଷ୍ଟ୍ରେଲିଆ ପାଇଁ ଏକ ବିରଳ ସଫଳତା ସାବ୍ୟସ୍ତ ହେବ। ଫିଞ୍ଚ୍‌- ଓ୍ବାର୍ନର ଯୋଡି ମୁମେଣ୍ଟମ ଆଗକୁ ବଢ଼ାଇବାକୁ ପ୍ରୟାସ କରିବେ। ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌, ଇନ୍‌ଫର୍ମ ମାର୍ନସ ଲାବୁସେନ, ଆଷ୍ଟନ ଟର୍ନର ଓ ଆଲେକ୍ସ କ୍ୟାରୀଙ୍କୁ ନେଇ ଅଷ୍ଟ୍ରେଲିଆ ମିଡଲଅର୍ଡର ବେଶ୍‌ ଦୃଢ଼ ମନେ ହେଉଛି। ଓପନରଙ୍କ ସମେତ ଯଦି ମିଡଲଅର୍ଡର ଭଲ ଖେଳେ ତେବେ ଭାରତୀୟ ବୋଲରଙ୍କ ପାଇଁ ପରୀକ୍ଷା ସୃଷ୍ଟି ହେବ। ତେବେ ଏହି ଗ୍ରାଉଣ୍ଡରେ ଅଷ୍ଟ୍ରେଲୀୟ ମିଡଲଅର୍ଡର ପରୀକ୍ଷାର ସମ୍ମୁଖୀନ ହେବ। ପ୍ରଥମ ମ୍ୟାଚ୍‌ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲୀୟ ପୁଣିଥରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି। ଦୁଇ ସ୍ପିନର ଆଡାମ ଜାମ୍ପା ଓ ଆଷ୍ଟନ ଅଗର ରନକୁ ରୋକିବା ସହ ନିୟମିତ ଅନ୍ତରରେ ବ୍ରେକ୍‌ ଥ୍ରୁ ଦେଇ ଘରୋଇ ଦଳକୁ ଝଟ୍‌କା ଦେବାରେ ସଫଳ ହୋଇଥିଲେ। ମିଡଲ ଓଭରରେ ଏହି ଦୁଇ ବୋଲର ପୁଣି ପ୍ରଭାବୀ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି। ୨୦୧୭ରେ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୧ରେ ସିରିଜ ବିଜୟୀ ହୋଇଥିଲା। ସେତେବେଳେ ମଧ୍ୟ ଭାରତ ମୁମ୍ବାଇରେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>