ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟ୍‍ : ବିଜୟ ଦ୍ୱାରରେ ଭାରତ

ନଟିଂହାମ୍‌: ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟ୍‍ରେ ଭାରତର ବିଜୟ ବାଟରେ ଢ଼େର ସମୟ ଛିଡ଼ା ହେଲେ ଜୋସ୍‌ ବଟଲର୍‌ ଏବଂ ବେନ୍‌ ଷ୍ଟୋକ୍‌ସ। ଏପିରିକି ମ୍ୟାଚ୍‌ ଛଡ଼ାଇନେବାକୁ ଧମକାଇଥିଲେ। ଉଭୟଙ୍କ ଶତକୀୟ ଭାଗୀଦାରି ବଳରେ ଇଂଲଣ୍ଡ ମଧ୍ୟ ମ୍ୟାଚ୍‌ରେ ବଞ୍ଚି ରହିଥିଲା। ଭାରତ ହାତରେ କିନ୍ତୁ ଏତେ ରନ୍‌ ଓ ସମୟ ଥିଲା ଘରୋଇ ଦଳ କିଂ କର୍ତବ୍ୟ ବିମୁଢ଼ ହୋଇଯାଇଥିଲା। ଦ୍ୱିତୀୟ ନୂଆ ବଲ୍‌ ଆସିବା ପରେ ଯଶପ୍ରୀତ୍‌ ବୁମରାଙ୍କ ବିସ୍ଫୋରଣ ସବୁ ଓଲଟ ପାଲଟ୍‌ କରି ଦେଇଥିଲା। ତଥାପି ମ୍ୟାଚ୍‌ ପଞ୍ଚମ ଦିନକୁ ଯାଇଛି। ୫୨୧ ରନ୍‌ର କଷ୍ଟକର ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୯ ଓ୍ଵିକେଟ୍‌ ହରାଇ ୩୧୧ ରନ୍‌ କରିଛି। ଭାରତ ବିଜୟ ଦ୍ୱାରରେ ଛିଡ଼ା ହୋଇଛି।
ମଙ୍ଗଳବାର ଚତୁର୍ଥ ଦିନ ସକାଳେ ଇଂଲଣ୍ଡ ସଅଳ ୪ ଓ୍ଵିକେଟ୍‌ ହରାଇଥିଲା। ପ୍ରଥମ ଓଭରରେ ହିଁ କିଟନ୍‌ ଜେନିଙ୍ଗସଙ୍କୁ ଈଶାନ୍ତ ଶର୍ମା ଓ୍ଵିକେଟ୍‌ ପଛପଟେ କ୍ୟାଚ୍‌ କରାଇ ନେଇଥିଲେ। ନିଜର ପରବର୍ତୀ ଓଭରରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଆଲେଷ୍ଟର୍‌ କୁକ୍‌ଙ୍କୁ ସ୍ଲିପ୍‌ରେ ରାହୁଲଙ୍କ ହାତରେ କ୍ୟାଚ୍‌ କରାଇ ଈଶାନ୍ତ ମଧ୍ୟ ଭାରତ ବୋଲିଂର ନେତୃତ୍ୱ ନେବାର ଯଥାର୍ଥତା ସାବ୍ୟସ୍ତ କରିଥିଲେ। ଅଧିନାୟକ ଜୋ ରୁଟ୍‌ ଏବଂ ଉଦୀୟମାନ ୨୦ ବର୍ଷୀୟ ଓଲି ପୋପ୍‌ ପାଳି ସଜାଡ଼ିବାକୁ ପ୍ରୟାସ କରିଥିଲେ ମଧ୍ୟ ବୁମରା ଓ ସାମି କରାଇ ଦେଇନଥିଲେ। ରୁଟ୍‌ଙ୍କ ପୁରସ୍କୃତ ଓ୍ଵିକେଟ୍‌ ନେଇଥିଲେ ବୁମରା। ପୋପ୍‌ଙ୍କୁ କୋହଲିଙ୍କ ହାତରେ କ୍ୟାଚ୍‌ କରାଇ ସାମି ଇଂଲଣ୍ଡକୁ ୬୨/୪ରେ ସଂଘର୍ଷ କରାଇଥିଲେ। ଏହି ସମୟରେ ଏକତ୍ରିତ ହୋଇଥିବା ବେନ୍‌ ଷ୍ଟୋକ୍‌ସ ଏବଂ ଜୋସ୍‌ ବଟଲର୍‌ କିନ୍ତୁ ଧୈର୍ଯ୍ୟ ଜରିଆରେ ଧମାକା କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରଠାରୁ ଚା’ପାନ ବିରତି ପର୍ଯ୍ୟନ୍ତ ଭାରତୀୟ ବୋଲର୍‌ଙ୍କୁ ଓ୍ଵିକେଟଶୂନ୍ୟ ରଖିଥିଲେ। ବଟଲର୍‌ ନିଜର ୨୩ତମ ଟେଷ୍ଟରେ ପ୍ରଥମ ଶତକ ପୂର୍ଣ୍ଣ କରି ନେଇଥିଲେ। ବେନ୍‌ ଷ୍ଟୋକ୍ସ ମଧ୍ୟ ନିଜ ଅର୍ଧଶତକ ଜମାଇଥିଲେ। ଷ୍ଟୋକ୍‌ସ-ବଟଲର୍‌ ପଞ୍ଚମ ଓ୍ଵିକେଟ୍‌ ପାଇଁ ୧୬୯ ରନ୍‌ ଯୋଡ଼ିଥିଲେ। ନୂଆ ବଲ୍‌ ଆସିବା ପରେ ବୁମରା ଲଗାତାର ବଲ୍‌ରେ ବଟଲର୍‌ ଓ ବେୟାରଷ୍ଟୋଙ୍କୁ ବିଦା କରି ଭାରତକୁ ମ୍ୟାଚ୍‌କୁ ଫେରାଇଥିଲେ। ପରବର୍ତୀ ଓଭରରେ ବୁମରା ମଧ୍ୟ କ୍ରିସ୍‌ ଓ୍ଵକ୍‌ସଙ୍କୁ ନିଜର ଚତୁର୍ଥ ଶିକାର କରି ଭାରତକୁ ବିଜୟ ମୁହାଁ କରି ଦେଇଥିଲେ। ବେନ୍‌ ଷ୍ଟୋକ୍‌ସଙ୍କୁ ଆଉଟ୍‌ କରି ହାର୍ଦିକ ପାଣ୍ଡ୍ୟା ମଧ୍ୟ ନିଜ ଯୋଗଦାନ ଜାରି ରଖିଥିଲେ। ବ୍ରଡ୍‌ ଏବଂ ରସିଦ୍‌ ନବମ ଓ୍ଵିକେଟ୍‌ ପାଇଁ ୫୦ ରନ୍‌ ଯୋଡ଼ି ଫଳାଫଳକୁ ବିଳମ୍ବିତ କରିଥିଲେ। ବ୍ରଡଙ୍କୁ ବୁମରା କିନ୍ତୁ ପଞ୍ଚମ ଶିକାର କରିଥିଲେ। ଏଥି ସହିତ ଜାନୁଆରିରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଜୋହାନେସ୍‌ବର୍ଗରେ ୫ ଓ୍ଵିକେଟ୍‌ ନେଇ ଭାରତକୁ ଜିତାଇଥିବା ବୁମରା ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି କରିଛନ୍ତି। ବ୍ରଡ୍‌ ନିଜର ୨୦ ରନ୍‌ ଅବସରରେ ୩୦୦୦ ଟେଷ୍ଟ୍‍ ରନ୍‌ ପୂର୍ଣ୍ଣ କରିଥିଲେ। ୪୦୦ ଓ୍ଵିକେଟ୍‌ ଏବଂ ୩,୦୦୦ ଟେଷ୍ଟ୍‍ ରନ୍‌ ପୂର୍ଣ୍ଣ କରିବାରେ ସେ କପିଳ ଦେବ, ରିଚାର୍ଡ ହାଡଲି, ସେନ୍‌ ଓ୍ଵର୍ନ ଏବଂ ସନ୍‌ ପୋଲକଙ୍କ ପରେ ବିଶ୍ୱର ପଞ୍ଚମ ଖେଳାଳି ହୋଇଥିଲେ।

Loading...
>