ଖୁବଶୀଘ୍ର ଧୋନିଙ୍କ ରେକର୍ଡ଼ ଭାଙ୍ଗିବେ ବିରାଟ କୋହଲି

ନୂଆଦିଲ୍ଲୀ: ଆସନ୍ତାକାଲି ହାମିଲଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଭାରତ ତୃତୀୟ ଟି-୨୦ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍ ବିରାଟ କୋହଲିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍‌ରେ ସେ ରେକର୍ଡ଼ ସ୍ଥାପନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଟି-୨୦ ଫର୍ମାଟରେ ଅଧିନାୟକ ଭାବେ ସର୍ବାଧିକ ରନ୍ ସଂଗ୍ରହ କ୍ଷେତ୍ରରେ ସେ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ଼ ଭାଙ୍ଗିବା ଲାଗି ଆଉ ୨୫ ରନ୍ ଆବଶ୍ୟକ କରୁଛନ୍ତି । ଏ କ୍ଷେତ୍ରରେ ଧୋନିଙ୍କ ତଳକୁ ସେ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ପର୍ମାଟରେ କ୍ୟାପଟେନ୍ ଭାବେ ଧୋନି ୧,୧୧୨ ରନ୍ ସଂଗ୍ରହ କରିସାରିଛନ୍ତି । ନ୍ୟୁଜିଲ୍ୟାଣ୍ଡର ସ୍କିପର କେନ୍ ୱିଲିୟମସନ୍ ୧୧୪୮ ରନ୍ କରିଥିଲା ବେଳେ ଦକ୍ଷିଣ ଆଫ୍ରିକା ଅଧିନାୟକ ଏଫ୍‌ଡି ପ୍ଲେସିସ୍ ୧୨୭୩ ରନ୍ ସଂଗ୍ରହ କରିଛନ୍ତି । ଅଧିନାୟକ ଭାବେ ଟି-୨୦ ପର୍ମାଟରେ ସର୍ବାଧିକ ସ୍କୋର କରିବାରେ ପ୍ଲେସିସ୍‌ଙ୍କ ନାମ ରହିଛି । କୋହଲି ଆସନ୍ତାକାଲିର ମ୍ୟାଚ୍‌ରେ ୨୫ ରନ୍ କଲେ ଧୋନିଙ୍‌କୁ ଅତିକ୍ରମ କରିବେ । ସେହିପରି, କ୍ୟାପଟେନ୍ ଭାବେ ଟି-୨୦ ଫର୍ମାଟରେ ଅର୍ଦ୍ଧଶତକ ହାସଲ କରିବାରେ ମଧ୍ୟ ସେ ଏକ ମାଇଲ୍‌ଖୁଣ୍ଟ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଅଛନ୍ତି । ଏ କ୍ଷେତ୍ରରେ ସେ ଏବେ ୱିଲିୟମସନ୍ ଓ ପ୍ଲେସିସ୍‌ଙ୍କ ସହ ସମାନ ସ୍ଥିତିରେ ଅଛନ୍ତି । ପ୍ରକାଶଥାଉକି, ରବିବାର ଅକ୍‌ଲ୍ୟାଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭାରତ ୭ ୱିକେଟରେ ପରାସ୍ତ କରିଥିଲା । ଏଥିସହ ଭାରତ ଏହି ସିରିଜ୍‌ରେ ୨-୦ରେ ଆଗୁଆ ରହିଛି । ବୁଧବାର ମ୍ୟାଚ୍ ପାଇଁ ଟିମ୍ ଇଣ୍‌ହିଆ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କଥା କୋହଲି କହିଛନ୍ତି । ସେ କହିଛନ୍ତି ଯେ, ବିଦେଶ ମାଟିରେ ତିନୋଟିଯାକ ମ୍ୟାଚ୍ ଜିତିବା ପାଇଁ ଦଳ ଲକ୍ଷ୍ୟ ରଖିଛି । ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲର ଭଲ ଫର୍ମରେ ଥିବାରୁ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିବାରେ ଦଳ ସକ୍ଷମ ହେବ ବୋଲି ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ।

Loading...
>