Home Sports କାମ ଦେଲାନି ଶ୍ରେୟସ ପ୍ରଥମ ଶତକ, ଭାରତ ହାତରୁ ମ୍ୟାଚ୍ ଛଡାଇନେଲେ ଟେଲର

କାମ ଦେଲାନି ଶ୍ରେୟସ ପ୍ରଥମ ଶତକ, ଭାରତ ହାତରୁ ମ୍ୟାଚ୍ ଛଡାଇନେଲେ ଟେଲର

ହାମିଲଟନ: ଭାରତ ଦେଇଥିବା ବିଶାଳ ୩୪୮ ରନ୍‌ ଟାର୍ଗେଟକୁ ବେଶ ସହଜରେ ହାସଲ କରିନେଇଛି ଘରୋଇ ନ୍ୟୁଜିଲ୍ୟାଣ୍ଡ। ଅଭିଜ୍ଞ ରସ ଟେଲରଙ୍କ ଶତକ ସହ ଓପନର ହେନେରି ନିକୋଲସ ଓ ଅଧିନାୟକ ଟମ ଲାଥମଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦିନିକିଆରେ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ୩ଟିକିଆ ଦିନିକିଆ ସିରିଜ୍‌ରେ ଘରୋଇ ଟିମ ୧-୦ରେ ଆଗୁଆ ହୋଇଯାଇଛି।

ଟେଲର ୮୪ ବଲରେ ଅପରାଜିତ ୧୦୯ ରନର ଇନିଂସ୍‌ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ନକୋଲସ ୭୮ ଓ ଲାଥମ ୬୯ ରନ୍‌ କରିଛନ୍ତି। ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଶ୍ରେୟସ ଆୟରଙ୍କ ଶତକ ଓ କେଏଲ ରାହୁଲଙ୍କ ବିସ୍ଫୋରକ ୮୮ ରନ ବଳରେ ୪ ୱିକେଟ ହରାଇ ୩୪୭ ରନ୍‌ କରିଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ୪୮.୧ ଓଭରରେ ୬ ୱିକେଟ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଛି। ଦିନିକିଆରେ ପ୍ରଥମଥର ପାଇଁ ଶତକ ହାସଲ କରିଥିବା ଶ୍ରେୟସଙ୍କ ସବୁ ପରିଶ୍ରମ ଆଜି ବେକାର ହୋଇଯାଇଛି।

ଭାରତ ଦେଇଥିବା ୩୪୮ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ନ୍ୟୁଜିଲ୍ୟାଣ୍ଡ ଆରମ୍ଭରୁ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲା। ଦୁଇ ଓପନର ମାର୍ଟି ଗପ୍ଟିଲ ଓ ନିକୋଲସ ଭାରତୀୟ ବୋଲରଙ୍କୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଦୁଇ ବ୍ୟାଟସମ୍ୟାନ ସେଟ ହେଇଯିବା ପରେ ବଡ଼ ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ୧୫.୪ ଓଭରରେ ଦଳୀୟ ସ୍କୋର ୮୫ରେ ଥିବା ବେଳେ ଗପ୍ଟିଲ ଛକା ମାରିବା ଲୋଭରେ ୩୨ ରନ୍‌ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟମ ବ୍ଲୁଣ୍ଡେଲ ମାତ୍ର ୯ ରନ୍‌ କରି କୁଲଦୀପ ଯାଦବଙ୍କ ବଲରେ ଷ୍ଟମ୍ପିଂ ହୋଇଯାଇଥିଲେ। ୧୦୯ ରନ୍‌ରେ ଦୁଇ ୱିକେଟ ହରାଇଥିବା ନ୍ୟୁଜିଲ୍ୟାଣ୍ଡ ଉପରେ ଭାରତ ଚାପ ପକାଇବାକୁ ଚେଷ୍ଟା କରିଥିଲା। ହେଲେ ନିକୋଲସ ଓ ଅଭିଜ୍ଞ ଟେଲର କାଉଣ୍ଟର ଆଟାକ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୬୨ ରନ୍‌ର ଭାଗିଦାରୀ କରିଥିଲେ। ନିକୋଲସ ୭୮ ରନ କରିଥିବା ବେଳେ ବିରାଟ କୋହଲିଙ୍କ ଚମତ୍କାର ଫିଲ୍ଡିଂ ବଳରେ ରନ ଆଉଟ ହୋଇଥିଲେ।
୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଟମ ଲାଥମ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଏଥିସହ ଟେଲର ଓ ଲାଥମ ୪ର୍ଥ ୱିକେଟ ପାଇଁ ୧୩୮ ରନ୍‌ର ଭାଗିଦାରୀ କରି ଭାରତ ମୁଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ।

ଦଳୀୟ ସ୍କୋର ୩୦୯ ଥିବା ବେଳେ ବ୍ୟକ୍ତିଗତ ୬୨ ରନ୍‌ କରି ଲାଥମ ଚାଇନା ମ୍ୟାଚ୍‌ କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ। ଅଲରାଉଣ୍ଡର ଜମ୍ମି ନୀଶମ ଓ କଲିନ ଡି ଗ୍ରାଣ୍ଡହୋମ ଯଥାକ୍ରମେ ୯ ଏବଂ ୧ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଲଗାତର ୨ଟି ୱିକେଟ ହରାଇ ନ୍ୟୁଜିଲ୍ୟାଣ୍ଡ ସାମାନ୍ୟ ବିଚଳିତ ହୋଇପଡ଼ିଥିଲା। ତେବେ ଅପରପାର୍ଶ୍ୱରେ ଥିବା ଅଭିଜ୍ଞ ଟେଲର ନିଜ ଦିନିକିଆ କ୍ୟାରିୟରର ୨୧ତମ ଶତକ ହାସଲ କରିବା ସହ ନ୍ୟୁଜିଲ୍ୟାଣ୍ଡକୁ ୧୧ଟି ବଲ ପୂର୍ବରୁ ବିଜୟୀ କରାଇଥିଲେ। ସେ ମାତ୍ର ୭୩ଟି ବଲରେ ଏଭଳି ମ୍ୟାଚ ବିଜୟୀ ଶତକ ହାସଲ କରିଛନ୍ତି।

ଏହା ପୂର୍ବରୁ ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲ୍ୟାଣ୍ଡ। ଆହତ କାରଣରୁ ରୋହିତ ଶର୍ମା, ଶିଖର ଧୱନ ଟିମ୍‌ରେ ନଥିବାରୁ ପୃଥ୍ୱୀ ଶ’ ଓ ମୟଙ୍କ ଅଗ୍ରୱାଲ୍ ଡେବ୍ୟୁ ମ୍ୟାଚ୍‌ରେ ଓପନିଂ କରିଥିଲେ। ପୃଥ୍ୱୀ ଶ’ ୨୧ ବଲ୍ ଖେଳି ୨୦ ରନ୍‌ କରି ଆଉଟ୍ ହୋଇଥିବା ବେଳେ ମୟଙ୍କ ୩୧ଟି ବଲ୍‌ରେ ୬ଟି ଚୌକା ସହ ୩୨ ରନ୍ କରି ଆଉଟ୍ ହୋଇଥିଲେ।

ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ୬୩ଟି ବଲ୍‌ରୁ ୬ଟି ଚୌକା ସହାୟତାରେ ୫୧ ରନ୍ କରିଥିଲେ। ସେ ଇଶ ଶୋଢ଼ୀଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟସ ଆୟର ୧୦୭ଟି ବଲ୍‌ରୁ ୧୧ଟି ଚୌକା ଓ ଗୋଟିଏ ଛକା ସହାୟତରେ ୧୦୩ ରନ୍ କରିଥିଲେ। ୪୫.୩ ଓଭରରେ ସେ ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ୨୯୨ରେ ପହଞ୍ଚି ସାରିଥିଲା।

ସେତେବେଳକୁ ୱିକେଟ୍‌ କିପର୍‌ କେ.ଏଲ୍ ରାହୁଲ ବି କ୍ରିଜ୍‌ରେ ଜମି ସାରିଥିଲେ। କେଦାର ଯାଦବ ଆସିବା ପରେ ଦୁହେଁ ମିଶି ଦଳୀୟ ସ୍କୋରକୁ ୩୪୭ରେ ପହଞ୍ଚାଇ ଦେଇଥିଲେ। କେ.ଏଲ୍ ରାହୁଲ ଓ କେଦାର ଯାଦବ ଅପରାଜିତ ରହିଥିଲେ। ସେମାନେ ଯଥାକ୍ରମେ ୮୮ ଓ ୨୬ ରନ୍ କରିଥିଲେ। ରାହୁଲ ୬୪ଟି ବଲ୍‌ରୁ ୮୮ ରନ୍ କରିଥିବା ବେଳେ ତା’ ମଧ୍ୟରେ ୬ଟି ଛକା ଓ ୩ଟି ଚୌକା ରହିଛି। ସେହିପରି କେଦାର ୧୫ଟି ବଲ୍‌ରୁ ୨୬ ରନ୍ କରିଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>