ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ : ଇଡେନ୍ ବେଲ୍ ବଜାଇଲେ ହାସିନା ଓ ମମତା ବାନାର୍ଜୀ

କୋଲକାତା: ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ର ମୁକସାଖୀ କୋଲକାତାର ମର୍ଯାଦାଜନକ ଇଡେନ୍ ଗାର୍ଡ଼େନ୍ ଷ୍ଟାଡ଼ିୟମରେ ଆଜିଠୁ ଆରମ୍ଭ ହୋଇଛି ଐତିହାସିକ ଦିବାରାତ୍ର ଟେଷ୍ଟ । ବିଶେଷ ଅତିଥି ଭାବରେ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମିଳିତ ଭାବେ ପାରମ୍ପରିକ ଇଡେନ୍ ବେଲ୍ ବଜାଇ ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ୍ର ଶୁଭାରମ୍ଭ କରିଥିଲେ । ଏହା ପୂର୍ବରୁ ଦୁଇ ନେତ୍ରୀ ପରସ୍ପରକୁ ଭେଟି କିଛି ସମୟ ପାଇଁ ଆଲୋଚନା କରିଥିଲେ । ମ୍ୟାଚ୍ର ଉଦ୍ଘାଟନ ପାଇଁ ବିଶେଷ ଆୟୋଜନ କରାଯାଇଥିଲା । ଏହାର ସମଗ୍ର ଦାୟିତ୍ୱ ତୁଲାଇଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଇଡେନ୍ ବେଲ୍ ବଜାଇବା ସମୟରେ କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର, ବାଂଲାଦେଶ କ୍ରିକେଟ୍ ବୋର୍ଡ଼ ମୁଖ୍ୟ ନଜମୁଲ୍ ହାସନ୍ ପାପନ୍ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଭାରତୀୟ ସେନାର ସୈନିକମାନେ ହେଲିକପ୍ଟରରେ ଆସି ପାରାଚ୍ୟୁଟରେ ତଳକୁ ଓହ୍ଲାଇ ଦୁଇ ଦେଶର ଅଧିନାୟକଙ୍କୁ ପିଙ୍କ୍ ବଲ୍ ହସ୍ତାନ୍ତର କରିବେ ବୋଲି ପ୍ରଥମରୁ ସ୍ଥିର ହୋଇଥିଲା । ତେବେ ନିରାପତ୍ତା କାରଣରୁ ଏହି ମନଲୋଭା ଓ ଅବିସ୍ମରଣୀୟ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ୍ କରାଯାଇଥିଲା । ସେହିପରି, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର ଥିଲା । କିନ୍ତୁ ସେ ମଧ୍ୟ କୌଣସି କାରଣରୁ ଆସିପାରି ନଥିଲେ । ଜାତୀୟ ସଂଗୀତ ଗାନ ପୂର୍ବରୁ ଭାରତୀୟ ଅଧିନାୟକ ବିରାଟ କୋହଲି ବାଂଲା ପ୍ରଧାନମନ୍ତ୍ରୀ ହାସିନ୍ାଙ୍କ ସହ ଖେଳାଳିମାନˆୁ ପରିଚିତ କରାଇଥିଲେ । ହାସିନା ଉଭୟ ଦଳର ସବୁ ଖେଳାଳିଙ୍କୁ ଭେଟିଥିଲେ । କୋହଲି ଓ ହାସିନା ସ୍ୱତନ୍ତ୍ର ଭାବେ ପରସ୍ପରକୁ ଭେଟିଥିଲେ । ଯେଉଁ ସଭା ମଞ୍ଚରେ ଇଡେନ୍ ବେଲ୍ ରଖାଯାଇଥିଲା, ତାହା ମଧ୍ୟ ଆକର୍ଷଣୀୟ ଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଖେଳାଳି ଏସ୍ ରମେଶ, ସବା କରିମ୍, ସୁନୀଲ୍ ଯୋଶୀ, ଅଜିତ୍ ଅଗରକର, ଭେଙ୍କଟେସ୍ ପ୍ରସାଦ, କପିଲ ଦେବ, ଦିଲ୍ଲୀପ ଭେଙ୍ଗସରକାର, ମହମ୍ମଦ ଆଝାରୁଦ୍ଦିନ୍, କେ ଶ୍ରୀକାନ୍ତ ଓ ଚନ୍ଦୁ ବୋର୍ଡ଼େ ପ୍ରମୁଖ ଉପସ୍ଥିତ ଥିଲେ । ମ୍ୟାଚ୍ ପାଇଁ ଇଡେନ୍ ଗାର୍ଡ଼େନ୍ ଭିତରେ ଓ ବାହାରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପ୍ରବେଶ ଫାଟକରେ କଡ଼ା ଯାଞ୍ଚ୍ ବ୍ୟବସ୍ଥା ହୋଇଛି ଖେଳ ସମୟରେ ଯେପରି କୌଣସି ପ୍ରକାର ବାଧାବିଘ୍ନ ନଘଟେ ସେଥିପ୍ରତି ପୁଲିସ୍ ସର୍ବାଧିକ ନଜର ରଖିଛି । ଏହା ଏକ ଐତିହାସିକ ଘଟଣା ହୋଇଥିବାରୁ ଏହି ମ୍ୟାଚ୍କୁ ବିଶ୍ୱର ବହୁ କିମ୍ବଦନ୍ତୀ କ୍ରିକେଟର ମଧ୍ୟ ପରୋକ୍ଷରେ ଉପଭୋଗ କରୁଛନ୍ତି ।

Loading...
>