ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ୭ବର୍ଷର ବାଳକ

ମେଲବୋର୍ଣ୍ଣ : ୭ ବର୍ଷର ବାଳକ ଆର୍ଚି ସିଲରଙ୍କ ଲାଗି ଚଳିତବର୍ଷର କ୍ରିସ୍ମାସ ଆଗୁଆ ଆସିଯାଇଛି । ଭାରତ ବିପକ୍ଷ ମେଲବୋର୍ଣ୍ଣ ଟେଷ୍ଟରେ ତାଙ୍କୁ ଦଳରେ ସାମିଲ କରି ଅଷ୍ଟ୍ରେଲିଆ ଏପରି ଏକ ମହନୀୟ କାମ କରିଛି । ଡିସେମ୍ବର ୨୬ରେ ଏହି ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଲାଗି କେବଳ ତାଙ୍କୁ ଦଳରେ ନିଆଯାଇନାହିଁ, ସେ ମଧ୍ୟ ଟିମ୍ ପେନଙ୍କ ସହ ଦଳର ନେତୃତ୍ୱ ନେବେ । ଦଳରେ ସାମିଲ ହେବା ସମ୍ପର୍କରେ ଏକମାସେ ତଳେ ଏକଥା ଘୋଷଣା କରାଯାଇଥିଲା । ଅଷ୍ଟ୍ରେଲିଆର ମେକ୍-ଏ-ୱିଶ୍ ଫାଉଣ୍ଡେସନ ପକ୍ଷରୁ ଏହା କାର୍ଯ୍ୟକାରୀ କରାଯିବାକୁ ଜାତୀୟ କ୍ରିକେଟ ଦଳକୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ରକ୍ଷା କରି କୋଚ୍ ଜଷ୍ଟିନ ଲାଙ୍ଗର ଏବଂ ଅନ୍ୟମାନେ ଆର୍ଚିଙ୍କୁ ଦଳରେ ସାମିଲ କରିବାକୁ ଏବଂ ତାଙ୍କ ଇଚ୍ଛା ପୂରଣ କରିବାକୁ ରାଜି ହୋଇଥିଲେ । ଏ ସମ୍ପର୍କରେ ଲାଙ୍ଗର ଟେଲିଫୋନ ଜରିଆରେ ଆର୍ଚିଙ୍କୁ ଜଣାଇଥିଲେ । ସୂଚନାଯୋଗ୍ୟ, ଆର୍ଚି ଜନ୍ମ ହେବାର ୩ମାସ ପରେ ଜଣାଗଲା ଯେ ତାଙ୍କ ହାର୍ଟ ଭାଲଭରେ ଅସୁବିଧା ଅଛି । ଏଥିଲାଗି ଏକାଧିକଥର ଅପରେସନ ହୋଇସାରିଲାଣି । କିନ୍ତୁ ସେ ସୁସ୍ଥ ହୋଇ ପାରି ନାହାନ୍ତି । ଏପରି ଅବସ୍ଥାରେ ତାଙ୍କୁ ସାଙ୍ଗମାନଙ୍କ ସହ ଖେଳିବାକୁ ଅନୁମତି ଦିଆଯାଏ ନାହିଁ । କିନ୍ତୁ ସମୟ ପାଇବା ମାତ୍ରରେ ସେ କ୍ରିକେଟ ଖେଳିଥାନ୍ତି ଓ ଅଷ୍ଟ୍ରେଲିଆ ଟିମ୍ର ଜଣେ ବଡ ଫ୍ୟାନ୍ । ଥରେ ତାଙ୍କ ପିତା ଆର୍ଚିଙ୍କୁ ପଚାରିଥିଲେ, ବଡ ହେଲେ କ’ଣ କରିବ? ଏହାର ଉତ୍ତରରେ ଆର୍ଚି ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ହେବେ ବୋଲି କହିଥିଲେ । ଏହି କଥା ଜଣାପଡ଼ିବା ପରେ ମେକ୍-ଏ-ଓ୍ିଶ୍ ଫାଉଣ୍ଡେସନ ପକ୍ଷରୁ ଆର୍ଚିଙ୍କ ଲକ୍ଷ୍ୟ ପୂରଣ କରିବାକୁ କ୍ରିକେଟ ଦଳକୁ ଅନୁରୋଧ କରାଯାଇଥିଲା । ଅଷ୍ଟ୍ରେଲିଆ ଦଳ ଏଥିରେ ସହମତି ପ୍ରକାଶ କରିବା ସହ ଆର୍ଚିଙ୍କୁ ଦଳରେ ସାମିଲ କରିବାକୁ ରାଜି ହୋଇଥିଲା । ‘ଆର୍ଚି ଦୀର୍ଘଦିନ ଧରି ହସ୍ପିଟାଲରେ କଟାଇଛନ୍ତି । ଦଳରେ ସାମିଲ କରି ତାଙ୍କ ଇଚ୍ଛା ପୂରଣ କରିବା ଆମର ଏକ କର୍ତ୍ତବ୍ୟ ଓ ଛୋଟିଆ ସାହାଯ୍ୟ’ ବୋଲି ଅଷ୍ଟ୍ରେଲିଆ କ୍ରିକେଟ ଦଳର କୋଚ୍ ଜଷ୍ଟିନ ଲାଙ୍ଗର କହିଛନ୍ତି ।

Loading...
>