ଦକ୍ଷିଣ ଭାରତ ଉପରେ ବିଜେପିର ଆଖି, ଟାର୍ଗେଟରେ ତେଲେଙ୍ଗାନା

ହାଇଦ୍ରାବାଦ : ଲୋକସଭା ନିର୍ବାଚନରେ ଅଦ୍ଭୁତପୂର୍ବ ସଫଳତା ପାଇବା ପରେ ଏବେ ବିଜେପି କେତେକ ରାଜ୍ୟରେ ଆଗକୁ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଗୁରୁତ୍ୱ ଦେଉଛି । ବିଶେଷ କରି ଦକ୍ଷିଣ ଭାରତରେ ନିଜର ପତିଆରା ଜାହିର କରିବା ଲାଗି ଦଳ ଉଦ୍ୟମ ଆରମ୍ଭ କରିଦେଇଛି । ଏହି କ୍ରମରେ ଦଳ ତେଲେଙ୍ଗାନାକୁ ଫୋକସ୍ରେ ରଖିଛି । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ବ୍ୟାପକ ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରିଦିଆଯାଇଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ ତେଲେଙ୍ଗାନା ଗସ୍ତରେ ଆସି କର୍ମୀମାନଙ୍କୁ ଏ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଛନ୍ତି । ମିଶନ ୨୦୨୩ ବର୍ତ୍ତମାନ ବିଜେପିର ଏକ ପ୍ରମୁଖ ଏଜେଣ୍ଡା । ଏହି ମିଶନର ଅଂଶ ଭାବେ ତେଲେଙ୍ଗାନାରେ ସଦସ୍ୟତା ସଂଖ୍ୟା ବଢାଇବା ଲାଗି ଜୋରଦାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । କର୍ମୀମାନଙ୍କୁ ଶାହ ଉଦ୍ବୋଧନ ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ଏହି ରାଜ୍ୟରେ ବିଜେପି ଯେପରି ସିଂହାସନରେ ବସିବ ତାହା ମୁଁ ଦେଖିବାକୁ ଚାହେଁ । ଏଥିଲାଗି ସମସ୍ତେ ଏବେଠାରୁ ଲାଗିପଡିବା ଉଚିତ୍ । ଦକ୍ଷିଣ ଭାରତରେ ବିଜେପିର ଭଲ ସଂଗଠନ ଥିଲେ ମଧ୍ୟ ତାହାକୁ ଅଧିକ ଶକ୍ତିଶାଳୀ କରାଯିବାର ଆବଶ୍ୟକତା ରହିଛି । ତେଲେଙ୍ଗାନାରେ ଗତ ୬ମାସ ଭିତରେ ଉଚ୍ଚ ଜାତିଗୁଡିକ ମଧ୍ୟରେ ବିଜେପିର ଭୋଟ୍ ଅଂଶ ତିନିଗୁଣ ବଢିଛି । ଏହା ୧୩ ପ୍ରତିଶତରୁ ୪୧ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ହାରାହରି ପ୍ରତିଶ୍ରୁତି ୭.୫ରୁ ୨୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ପାଇଁ ନିଶ୍ଚିତ ଭାବରେ ଖୁସିର ବିଷୟ । ଏହି ଅଭିବୃଦ୍ଧିକୁ ଆଗାମୀ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଭୋଟରେ ପରିଣତ କରିବାକୁ ହେବ । ପ୍ରତି ବ୍ଲକକୁ ଯାଇ ଲୋକଙ୍କ ସହିତ ମିଶିବା ଲାଗି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଅମିତ ଶାହଙ୍କ ଏହି ଗସ୍ତ ଓ କର୍ମୀମାନଙ୍କ ସହ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଅନ୍ୟ ଦଳଗୁଡିକ ମଧ୍ୟ ଶାହଙ୍କ ଗସ୍ତକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଦଳ ଚାରୋଟି ଲୋକସଭା ଆସନ ପାଇଛି । ଏହା ଆମ ପାଇଁ କିଛି କମ୍ କଥା ନୁହେଁ । ବିଧାନସଭା ନିର୍ବାଚନରେ ସଫଳତା ପାଇଁ ଏହାକୁ ଏକ ଆଧାର ଭୂମି ବୋଲି କୁହାଯାଇପାରେ । କୌଣସି ଦିଗକୁ ହାଲକା ଭାବରେ ଗ୍ରହଣ ନ କରି ଏକ ଚ୍ୟାଲେଞ୍ଜ ଭାବେ ବିଚାର କରିବାକୁ ସେ ପରାମର୍ଶ ଦେଇଥିଲେ ।

Loading...
>