ଜମ୍ମୁ-କଶ୍ମୀରରେ ମ୍ୟୁନିସପାଲିଟି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ
ଶ୍ରୀନଗର, ୮।୧୦: କଡ଼ା ସୁରକ୍ଷା ମଧ୍ୟରେ ସୋମବାର ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଛି ମ୍ୟୁନିସପାଲିଟି ନିର୍ବାଚନ ପାଇଁ ଭୋଟିଂ। ଭୋଟ ବର୍ଜନ ଲାଗି ଆତଙ୍କବାଦୀଙ୍କ ତାଗିଦ୍ ସତ୍ତ୍ୱେ ଲୋକମାନେ ଧାଡ଼ି ବାନ୍ଧି ବହୁସଂଖ୍ୟାରେ ମତଦାନ କେନ୍ଦ୍ରରେ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ୪୨୨ଟି ଓ୍ବାର୍ଡ ପାଇଁ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଛି। ଶ୍ରୀନଗରର ଆଚାବଲ, ବନ୍ଦିପୋରା, ବାରମୂଳା, ବଡ଼ାଗାମ୍, ଚାଦୁର, ଦେବସାର, ହାଣ୍ଡଓ୍ବାରା,ଖାନସାହିବ୍, କୋକେରାଙ୍ଗ୍, କୁପଓ୍ବାରା, କୁଲଗାମ୍ରେ ମତଦାନ ହେଉଥିବାବେଳେ କଶ୍ମୀରର କ୍ୱାଜିଗୁଣ୍ଡ, ଲେହ ଏବଂ ଲଦାଖ୍ର କାରଗୀଲ୍ରେ ଲୋକମାନେ ବହୁସଂଖ୍ୟାରେ ଭୋଟ ଦେବାକୁ ଆସିଥିବା ଦେଖିବାକୁ ମିଳିଛି। ସେହିପରି ଜମ୍ମୁରେ ଆଖନୁର୍, ଆର୍ନିଆ, ବିଶନାହ, ଜୁରିଆନ୍, କାଲାକୋଟେ, ଖୋର୍, ନୌଶେରା, ପୁଞ୍ଚ୍, ଆରଏସ୍ ପୁରା, ରାଜୌରୀ, ସୁନ୍ଦରବାଣୀ, ସୁରାନକୋଟ ଥାନାମଣ୍ଡିରେ ଭୋଟ ଗ୍ରହଣ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ଦକ୍ଷିଣ କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି।