କ୍ରିକେଟ ସହ ଏହି ଖେଳ ପ୍ରତି ରହିଛି ବିରାଟଙ୍କ ଦୁର୍ବଳତା, ନିଜେ କଲେ ଖୁଲାସା

ପାନାଜୀ: ଫୁଟବଲ୍ ଖେଳାଳିମାନଙ୍କଠାରେ ଯେଉଁ ଶୃଙ୍ଖଳାବୋଧ ଏବଂ ଫିଟନେସ୍ ରହିଛି ତାହା ଚମତ୍କାର । ସେମାନେ ଏହି ଦୁଇଟି ଦିଗ ପ୍ରତି ସବୁବେଳେ ସଚେତ ରହିଥାନ୍ତି । କିନ୍ତୁ ଅନ୍ୟ କ୍ରୀଡ଼ାଗୁଡ଼ିକରେ ତାହା ଦେଖିବାକୁ ମିଳେ ନାହିଁ । ବିଶେଷକରି କ୍ରିକେଟ୍ କ୍ରୀଡ଼ାରେ ଫିଟନେସ୍ ଓ ଶୃଙ୍ଖଳାବୋଧର ବହୁ ଅଭାବ ରହିଛି । କ୍ରିକେଟରମାନେ ଫୁଟବଲ୍ ଖେଳାଳିମାନଙ୍କର ଏହି ଦୁଇଟି ଗୁଣରୁ ବହୁତ କିଛି ଶିଖିବାର ଅଛି ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ମତ ଦେଇଛନ୍ତି । ଜଣେ ସମୀକ୍ଷକ କହିଛନ୍ତି ଯେ, କୋହଲି ଯଦି କ୍ରିିକେଟ୍କୁ କ୍ୟାରିୟର କରିନଥାନ୍ତେ, ତେବେ ସେ ଫୁଟବଲ୍କୁ ବିକଳ୍ପ କ୍ୟାରିୟର ଭାବରେ ଗ୍ରହଣ କରିଥାନ୍ତେ । କାରଣ ଫୁଟବଲ୍ ପ୍ରତି ମୂଳରୁ ତାଙ୍କର ଅସମ୍ଭବ ଦୁର୍ବଳତା ରହିଥିଲା । ଏହି କାରଣରରୁ ସେ କ୍ରିକେଟ୍ ଖେଳୁଥିଲେ ମଧ୍ୟ ଫୁଟବଲ୍ ଖେଳ ଦେଖିବାକୁ କେବେବି ଭୁଲନ୍ତି ନାହିଁ । ବୁଧବାର ଇଣ୍ଡିଆନ୍ ସୁପରଲିଗ୍ (ଆଇଏସ୍ଏଲ୍) କ୍ଲବ ଏଫ୍ସି ଗୋଆର ନୂଆ ଜର୍ସି ଉଦ୍ଘାଟନ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବାର୍ତ୍ତାଳାପ ବେଳେ କୋହଲି ଏଭଳି ମତ ଦେଇଛନ୍ତି । ସେ କହିଛନ୍ତି ଯେ, କ୍ରୀଡ଼ାରେ ଶୃଙ୍ଖଳାବୋଧ ରହିବା ନିହାତି ଜରୁରୀ । କାରଣ ଶୃଙ୍ଖଳା ନରହିଲେ ଜଣେ କ୍ରିକେଟର ସଫଳତାର ଚରମସୀମାରେ ପହଞ୍ଚିବା ସମ୍ଭବ ହୋଇନଥାଏ । ଜଣେ ଖେଳାଳି ଯେତେ ଭଲ ଖେଳିଲେ ମଧ୍ୟ ଶୃଙ୍ଖଳା ଜ୍ଞାନ ନରହିଲେ ତାଙ୍କୁ ବାରମ୍ବାର ଲଜ୍ଜିତ ଓ ଦଣ୍ଡିତ ହେବାକୁ ପଡ଼ିଥାଏ । ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଫୁଟବଲ୍ ପ୍ରତି ମୋର ବିଶେଷ ଆକର୍ଷଣ ରହିଛି । ଏଫ୍ସି ଗୋଆ କ୍ଲବ ପାଇଁ ଆମେ ଭଲ ଭଲ ପିଲାଙ୍କୁ ବିକଶିତ କରୁଛୁ । ଏଥିପାଇଁ ତୃଣମୂଳ ସ୍ତରରେ ଆମେ କାର୍ଯ୍ୟ କରୁଛୁ । ଏହି କ୍ଲବ କିପରି ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବ ସେଥିଲାଗି ସବୁ ପ୍ରକାର ଉଦ୍ୟମ ମଧ୍ୟ କରାଯାଉଛି । ଅବସର ପରେ ଭାରତରେ ଫୁଟବଲ୍ର ବିକାଶ ଏବଂ ଫୁଟବଲ୍ ଖେଳାଳିଙ୍କ ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି ସେ କହିଥିଲେ । ମୁଁ ଏଭଳି କିଛି କରିବାକୁ ଚାହୁଁଛି, ଯାହାଦ୍ୱାରା ଏହି କ୍ରୀଡ଼ା ଉପକୃତ ହୋଇପାରିବେ । ଫୁଟବଲ୍ ଖେଳାଳିମାନଙ୍କ ଠାରୁ କ୍ରିକେଟରମାନେ କିଛି ଶିଖିବାର ଆବଶ୍ୟକତା ରହିଛି ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ନିଶ୍ଚିତ ଭାବରେ । ଫୁଟବଲ୍ ଖେଳାଳିମାନଙ୍କ ଠାରେ ଯେଉଁ ଶୃଙ୍ଖଳାବୋଧ ରହିଛି ତାହାକୁ କ୍ରିକେଟରମାନେ ଅନୁଧ୍ୟାନ କରିବା ଉଚିତ୍ । ସେମାନେ ଫିଟ୍ନେସ୍ ରଖିବା ପାଇଁ ଯଥେଷ୍ଟ ସଚେତନ; କିନ୍ତୁ ତାହା କ୍ରିକେଟରେ ଦେଖିବାକୁ ମିଳିନଥାଏ ବୋଲି କୋହଲି ସ୍ୱୀକାର କରିଛନ୍ତି ।

Loading...
>