ଗାଈକୁ ରାଷ୍ଟ୍ରମାତା ଘୋଷଣା ପାଇଁ ଉତ୍ତରାଖଣ୍ଡ ବିଧାନସଭାରେ ସଂକଳ୍ପ ପାରିତ

ଡେରାଡୁନ୍‍ : ଉତ୍ତରାଖଣ୍ଡ ବିଧାନସଭାରେ ବୁଧବାର ଗାଈକୁ ରାଷ୍ଟ୍ରମାତା (ଜାତୀୟ ମାତା) ଘୋଷିତ କରିବାକୁ ଏକ ସଂକଳ୍ପ ପାରିତ ହୋଇଛି। ଏହି ସଂକଳ୍ପକୁ ଏବେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦିଆଯାଇଛି। ଉତ୍ତରାଖଣ୍ଡ ବିଜେପି ପକ୍ଷରୁ ଯୁକ୍ତି କରାଯାଇଛି ଯେ ଗାଈକୁ ରାଷ୍ଟ୍ରମାତା ଘୋଷିତ କରାଯିବା ପରେ ଗୋବଂଶର ସଂରକ୍ଷଣ ବହୁ ଭଲ ଭାବେ ହୋଇପାରିବ। ବିଧାନସଭାରେ କଂଗ୍ରେସ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଦେଇଥିଲା। ପଶୁପାଳନ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ) ରେଖା ଆର୍ଯ୍ୟ ବିଧାନସଭାରେ ଏହି ସଂକଳ୍ପ ଉପସ୍ଥାପନ କରିଥିଲେ। ଏହା ପରେ ଏହା ଉପରେ ଆଲୋଚନା ହୋଇଥିଲେ। ଗାଈକୁ ରାଷ୍ଟ୍ରମାତା ଘୋଷଣା କରିବା ପଛରେ ସରକାରଙ୍କ ଉଦେଶ୍ୟ କ’ଣ ରହିଛି ବୋଲି ବିରୋଧୀ ବିଧାୟକମାନେ ପ୍ରଶ୍ନ କରିଥିଲେ। ଉତ୍ତରାଖଣ୍ଡ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ପ୍ରୀତମ ସିଂହ ପ୍ରଶ୍ନ କରିଥିଲେ ଯେ ରାଜ୍ୟ ସରକାର ଗୋସୁରକ୍ଷା ପାଇଁ ଥିବା ଆଇନର କାହିଁକି ପାଳନ କରୁନାହିଁ। ପ୍ରଥମେ ସରକାର ଗୋସୁରକ୍ଷାକୁ ଗୁରୁତର ସହ ନିଅନ୍ତୁ ଓ ଏହାପରେ ଗାଈକୁ ରାଷ୍ଟ୍ରମାତା ଘୋଷଣା କରାଯାଉ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାପରେ ବି କଂଗ୍ରେସ ଏହି ସଂକଳ୍ପକୁ ସମର୍ଥନ ଜଣାଇଥିଲା। ଫଳରେ ବିଧାନସଭାରେ ଏହି ପ୍ରସ୍ତାବ ସର୍ବସମତିକ୍ରମେ ପାରିତ ହୋଇଥିଲା।

Loading...
>