ଏସ୍‌ସିବି ପୁନର୍ବିନ୍ୟାସ ଓ ଥଇଥାନ ସହାୟତା ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକ୍ସନ ମୋଡରେ ଆଜି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଓ ହସ୍ପିଟାଲ ପୁନର୍ବିନ୍ୟାସ ଓ କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ସହାୟତା ପ୍ୟାକେଜକୁ ମଞ୍ଜୁରି ଦେଇଛନ୍ତି । ରାଜ୍ୟର ପ୍ରମୁଖ ଚିକିତ୍ସା ସେବା ପ୍ରତିଷ୍ଠାନ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏହି ପ୍ୟାକେଜ୍ ଫଳରେ ବିଶ୍ୱସ୍ତରୀୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି । ନିଷ୍ପତ୍ତି ଅନୁଯାୟୀ ଏସ୍‌ସିବିର ସଂପ୍ରସାରଣ ପରେ ଏଠାରେ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସହିତ ୩ହଜାର ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଗଢି ତୋଳିଉଠିବ । ଯାହା ଆମ ରାଜ୍ୟ ପାଇଁ ଗୌରବର ବିଷୟ ହେବ । ତେବେ ଏହି ଯୋଜନାରେ କ୍ଷତିଗ୍ରସ୍ତ ହେଉଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଖୁସି କରିବା ଭଳି ସହାୟତା ପ୍ୟାକେଜ୍ ମଧ୍ୟ ଦେଇଛନ୍ତି । ପ୍ୟାକେଜରେ ସ୍ଥାୟୀ ବାସଗୃହ, ଅନଅଧିକୃତ ଭାବେ ନିର୍ମିତ ବାସଗୃହ, ମାର୍କେଟ କଂପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଦୋକାନ ଘର, ଉଠା ଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ ହାଉସ,ଏପିରିକି ଗୁହାଳକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରଭାବିତ ଲୋକଙ୍କ ଥଇଥାନ ଓ କ୍ଷତିପୂରଣ ବାବଦରେ ପ୍ରତିପରିବାରକୁ ପରିବହନ ଖର୍ଚ୍ଚ, ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଦୁଇ କିସ୍ତିରେ ୧ଲକ୍ଷ ଟଙ୍କା, ଅନଧିକୃତ ଗୃହ ପାଇଁ ଏକକାଳୀନ ୩୦ହଜାର ଟଙ୍କା, ଉଠା ଦୋକାନୀଙ୍କ ପାଇଁ ଏକକାଳୀନ ୨୦ହଜାର ଟଙ୍କା, ଧାର୍ମିକ ଅନୁଷ୍ଠାନ ଓ କ୍ଲବ ହାଉସ ପାଇଁ ଏକଲକ୍ଷ ଟଙ୍କା, ଗାଈ ଗୁହାଳ ସ୍ଥାନାନ୍ତରଣ ପାଇଁ ଏକକାଳୀନ ୨୦ହଜାର ଟଙ୍କା ପ୍ୟାକେଜରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ଯେଉଁ ସରକାର କର୍ମଚାରୀମାନଙ୍କୁ ପୁନଃନିର୍ମାଣ ପାଇଁ ସରକାରୀ କ୍ୱାଟର୍ସ ଦଖଲ ଛାଡିବାକୁ ପଡୁଛି ସେମାନଙ୍କ ପାଇଁ ମଧ୍ୟ ସହାୟତା ଦିଆଯାଇଛି । ଏଥିରେ କ୍ୱାଟର ପାଇବା ଯାଏଁ କିମ୍ବା ବର୍ଷେ ଯାଏଁ ସହାୟତା ଦିଆଯିବ । ୨୦୧୩ର ବ୍ୟବସ୍ଥା ଅନୁଯାୟୀ ସରକାରୀ ଅନୁମୋଦିତ ଆଇନ ଅନୁଯାୟୀ କଟକ ଜିଲ୍ଲାପାଳ ଏହାକୁ କାର୍ଯ୍ୟକାରୀ କରିବେ । ଏଥିରେ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କ ପାଇଁ ମାସିକ ୧୨୫୦୦, ଦ୍ୱିତୀୟ ଶ୍ରେଣୀ ପାଇଁ ୧୦ହଜାର, ତୃତୀୟ ଶ୍ରେଣୀ ପାଇଁ ୭ହଜାର୫୦୦ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ୫ହଜାର ଟଙ୍କା ମାସିକ ମିଳିବ । ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ଏହି ରାଶିକୁ ବୃଦ୍ଧି କରିପାରିବେ ପ୍ୟାକେଜରେ ବ୍ୟବସ୍ଥା ରଖାଯାଇଛି ।

Loading...
>