ପୁଣି ସ୍କୁଲରେ ଲାଗୁହେବ ପାସ୍ ଫେଲ୍ ବ୍ୟବସ୍ଥା

ଭୁବନେଶ୍ୱର୍: ଶିକ୍ଷା ଅଧିକାର ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ୨୦୧୦ମସିହାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହୋଇଥିଲା । ପିଲାଙ୍କ ଉପରେ ଚାପ ନପକାଇବା ଲାଗି ଏପରି ବ୍ୟବସ୍ଥା ହୋଇଥିଲେ ହେଁ ଗତ ୪ ବର୍ଷ ହେବ ରାଜ୍ୟରେ ମାଟ୍ରିକ ପାସ୍ ହାର ହ୍ରାସ ପାଇବାରେ ଲାଗିଛି । ତେବେ ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଉଚ୍ଛେଦ ହେବା ସହ ପୁଣି ଥରେ ପାସ୍ ଫେଲ ବ୍ୟବସ୍ଥା ପ୍ରଚଳନ କରାଯିବ ବୋଲି ଜଣାପଡ଼ିଛି । କେନ୍ଦ୍ରରେ ଏହାକୁ ନେଇ ସମୀକ୍ଷା ହୋଇଥିବା ବେଳେ ରାଜ୍ୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା ଅନୁଯାୟୀ, ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ପିଲାଙ୍କ ସଂଖ୍ୟା ୫୯ଲକ୍ଷ ୭୨ହଜାର ୮୭୦ ଥିବା ବେଳେ ଏଥିରୁ ଛାତ୍ରଙ୍କ ସଂଖ୍ୟା ୩୦ ଲକ୍ଷ ୮୩ ହଜାର ୩୩ ଏବଂ ଛାତ୍ରୀଙ୍କ ସଂଖ୍ୟା ୨୮ଲକ୍ଷ ୮୯ହଜାର ୮୩୭ ରହିଛି । ତେବେ ଅଷ୍ଟମ ପାସ୍ କରିଥିବା ପିଲାଙ୍କ ମଧ୍ୟରୁ ୭୪ ପ୍ରତିଶତ ପିଲା ନବମରେ ୬୦ପ୍ରତିଶତରୁ କମ୍ ଏବଂ ୪୦ପ୍ରତିଶତ ପିଲା ୩୦ପ୍ରତିଶତରୁ କମ୍ ମାର୍କ ରଖୁଛନ୍ତି । ସେହିପରି ୧୦ମରେ ଗ୍ରେଡେସନ୍ ବ୍ୟବସ୍ଥା ଲାଗୁ ହୋଇଥିବାରୁ ଗତ କିଛି ବର୍ଷ ହେବ ରାଜ୍ୟରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ପିଲାଙ୍କ ସଂଖ୍ୟା ହାତଗଣତି ୨/୪ରେ ସୀମିତ ରହିଛି । ତେଣୁ ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଉଚ୍ଛେଦ କରାଯାଇ ପୁଣି ପୂର୍ବପରି ପାସ୍-ଫେଲ୍ ବ୍ୟବସ୍ଥା ପ୍ରଚଳନ ହେବ । ତେବେ ପିଲାଙ୍କ ଲାଗି କିଛି ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ପ୍ରତିବର୍ଷ ୪ଟି ପରୀକ୍ଷା ହେବ । ପାଠପଢ଼ା ଆରମ୍ଭ ହେବାର ୩ମାସ ପରେ ଏଫ୍ଏ-୧ ପରୀକ୍ଷା ହେବ । ଏହି ପରୀକ୍ଷାରେ ୩ମାସ ପରେ ଏସ୍ଏ-୧, ପୁଣି ୩ ମାସ ପରେ ଏଫ୍ଏ-୨ ଏବଂ ବର୍ଷ ଶେଷକୁ ଏସ୍ଏ-୨ ପରୀକ୍ଷା ହେବ । ପ୍ରତିବର୍ଷ ଏଫ୍ଏ -୧ ଏବଂ ଏଫ୍-୨ର ମାର୍କକୁ ନଜର ଦେଇ ବାର୍ଷିକ ପରୀକ୍ଷାର ୨ ମାସ ପୂର୍ବରୁ ପଢ଼ାରେ ଦୁର୍ବଳ ପିଲାଙ୍କ ଲାଗି ସ୍ୱତନ୍ତ୍ର କ୍ଲାସ୍ ହେବ । ବିଶେଷକରି ୪୦ ପ୍ରତିଶତରୁ କମ୍ ମାର୍କ ରଖିୁଥିବା ପିଲାଙ୍କୁ ସ୍କୁଲରେ ଦୈନିକ ୨ଘଣ୍ଟା ଅତିରିକ୍ତ ଶିକ୍ଷାଦାନ ଲାଗି ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ୩ୟ ଶ୍ରେଣୀରୁ ପିଲାଙ୍କ ଲାଗି ଗଣିତ, ଓଡ଼ିଆ ଓ ଇଂରାଜୀ ବିଷୟକୁ ଗୁରୁତ୍ୱ ଦିଆଯିବ । ଅନେକ ପିଲା ୩ୟ ପାସ୍ କରି ମଧ୍ୟ ଦସ୍ତଖତ କରିପାରୁନଥିବା ଅଭିଯୋଗ ହୋଇଛି । ଏପରି ସମସ୍ୟାକୁ ଗୁରୁତ୍ୱ ଦେଇ ୪ର୍ଥ ଶ୍ରେଣୀ ପରୀକ୍ଷାରେ ପିଲାମାନେ କିପରି ନାମ ଓ ଅଭିଭାବକଙ୍କ ନାମ ସ୍ପଷ୍ଟ ଭାବେ ଉଭୟ ଓଡ଼ିଆ ଓ ଇଂରାଜୀରେ ପରୀକ୍ଷା ଖାତାରେ ଲେଖିବେ ସେଥିପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ।

Loading...
>