ବଲାଙ୍ଗୀରର ରାନୁ ମଣ୍ଡଳ “ରୋହିଣୀ’

ବଲାଙ୍ଗିର୍: ନାଁ ତାଙ୍କର ରୋହିଣୀ ଛୁରା । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ର ଅତ୍ୟନ୍ତ ଗରିବ ପରିବାରରେ ତାଙ୍କର ଜନ୍ମ । ଜନ୍ମରୁ ସେ ଦୃଷ୍ଟି ଶକ୍ତି ହରାଇଥିଲେ ମଧ୍ୟ ପାଠପଢ଼ାକୁ କେବେ ଅବହେଳା କରିନାହାନ୍ତି ରୋହିଣୀ । ଏବେ ସେ ମୁରିବାହାଲ ବ୍ଲକ୍ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷର ଛାତ୍ରୀ । ତେବେ ତାଙ୍କ କଣ୍ଠସ୍ୱର ପାଇଁ ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ କେବଳ ସୁନ୍ଦର ଭାବେ ଗାଉ ନାହାନ୍ତି ବରଂ ଏକା ସାଙ୍ଗରେ ବାଦ୍ୟଯନ୍ତ୍ର ମଧ୍ୟ ବଜାଉଛନ୍ତି । ନିଜେ ଗୀତ ଗାଇ ରୋହିଣୀ ଏକ ଢୋଲକ ବଜାଉଛନ୍ତି । କଣ୍ଠ ତାଙ୍କର ଅତ୍ୟନ୍ତ ମଧୁର ଥିବାବେଳେ ସମ୍ପୂର୍ଣ୍ଣ ତାଳ ଓ ଲୟରେ ସେ ଗୀତ ବୋଲୁଛନ୍ତି । ବିଶେଷ କରି ରୋହିଣୀ ଗାଉଥିବା ଭଜନ ଶୁଣି ଲୋକେ ଭାବ ବିହ୍ୱଳ ହୋଇ ଯାଉଛନ୍ତି । ତେବେ ରୋହିଣୀଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ପ୍ରତ୍ୟେହ ହଜାର ହାଜର ସଂଖ୍ୟାରେ ଲୋକ ତାଙ୍କ ଗୀତ ଶୁଣିବା ସହିତ କମେଣ୍ଟ କରୁଛନ୍ତି ଓ ଭୁରିଭୁରି ପ୍ରଶଂସା କରୁଛନ୍ତି । ରୋହିଣୀ ଅତ୍ୟନ୍ତ ଗରିବ ହୋଇଥିବାରୁ ସରକାରୀ ଭାବେ ତାଙ୍କୁ ଆର୍ଥିକ ସହାୟତା ଦିଆଯାଉ ଓ ସଙ୍ଗୀତ ଶିଖିବାକୁ ତାଙ୍କ ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହେଉଛି । କେତେକ ରୋହିଣୀଙ୍କୁ ବଲାଙ୍ଗିରର ରାନୁ ମଣ୍ଡଳ ଭାବେ ମଧ୍ୟ ଆଖ୍ୟା ଦେଉଛନ୍ତି । ହୁଏତ ରାନୁଙ୍କ ପରି ରୋହିଣୀଙ୍କ ଭାଗ୍ୟ ବଦଳି ଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । ବିଦ୍ୟାଳୟସ୍ତରରେ ହେଉଥିବା ସୁରଭି କାର୍ଯ୍ୟକ୍ରମରେ ଗୀତ ଗାଇ ରୋହିଣୀ ସବୁବେଳେ ପ୍ରଥମ ହେଉଥିଲେ ବୋଲି ତାଙ୍କୁ ଜାଣିଥିବା ଶିକ୍ଷକମାନେ କହୁଛନ୍ତି ।

Loading...
>