ଗୋଦାବରୀ ଦୁର୍ଘଟଣା: ବଢିପାରେ ମୃତ୍ୟୁସଂଖ୍ୟା

ଅମରାବତୀ: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ରବିବାର ଡଙ୍ଗା ବୁଡ଼ିଯିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି । ମୌସୁମୀ ଋତୁରେ ହସଖୁସି ପାଇଁ ଡଙ୍ଗାରେ ୭୨ ଜଣ ଯାଉଥିବା ଲୋକେ ବିଶ୍ୱାସ କରିପାରି ନଥିବେ ଯେ, ଏତେ ବଡ଼ ଭୟଙ୍କର ବିପତ୍ତି ତାଙ୍କର ଆଗରେ ଛିଡ଼ା ହୋଇଛି । ରବିବାର ସୁଦ୍ଧା ଯଦିଓ ୧୨ ଜଣଙ୍କର ମୃତ୍ୟୁ ଘଟିଛି ତଥାପି ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଭୟ ସୃଷ୍ଟି ହୋଇଛି । କାରଣ ରିପୋର୍ଟ ଲେଖାଯିବା ବେଳକୁ ଆହୁରି ଅନେକ ଲୋକ ନିଖୋଜ ଅଛନ୍ତି । ଏହି ଦୁର୍ଘଟଣା ୧୯୬୪ ପରେ ସବୁଠାରୁ ବଡ଼ ଦୁର୍ଘଟଣା, ଯେଉଁଥିରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିଲା ।ଏହି ଦୁର୍ଘଟଣା ପୂର୍ବ ଗୋଦାବରୀ ଜିଲ୍ଲାର କଛୁଲୁରରେ ହୋଇଛି । ଘଟଣା ସମୟରେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିଲା । ରୟାଲ ବଶିଷ୍ଠ ନାମରେ ଡଙ୍ଗାରେ ମୋଟ ୭୨ ଲୋକ ବସିଥିଲେ, ଯେଉଁଥିରେ ଚାଳକ ଟିମର ୯ ଜଣ ସଦସ୍ୟ ସାମିଲ ଥିଲେ । ଡଙ୍ଗାକୁ ଏକ ଘରୋଇ ସଂସ୍ଥା ପରିଚାଳନା କରୁଥିଲା । ଡଙ୍ଗାରେ ଯାତ୍ରୀମାନେ ପାକିକୋଣ୍ଡଲା ଯାଉଥିଲେ । ୨୬ ଜଣ ଯାତ୍ରୀଙ୍କୁ କୌଣସି ପ୍ରକାରରେ ଗାଁ ଲୋକେ ବଞ୍ଚାଇ ପାରିଥିଲେ । ଆହୁରି ୩୪ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ପୂର୍ବାନୁମାନ କରାଯାଉଛି । ଯଦି ଏହି ଲୋକମାନେ ଜୀବିତ ନଥିବେ, ତା’ ହେଲେ ମୃତ୍ୟୁ ସଂଖ୍ୟା ୪୬ ହୋଇଯିବ । ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । କାରଣ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଥିଲେ । ପୁଣି ସେମାନେ ସୁରକ୍ଷା ସଂପର୍କିତ ଜ୍ୟାକେଟ ପିନ୍ଧି ନଥିଲେ । ଯେଉଁମାନେ ବଂଚିଯାଇଛନ୍ତି, ସେମାନେ ସୁରକ୍ଷା ଜ୍ୟାକେଟ ପିନ୍ଧିଥିଲେ । ସେମାନେ କହିଛନ୍ତି, ଗରମ ଯୋଗୁଁ କିଛି ଯାତ୍ରୀ ସୁରକ୍ଷା ଜ୍ୟାକେଟ ଖୋଲି ଦେଇଥିଲେ । ଦୁର୍ଘଟଣାରୁ ବଂଚିଥିବା ଜଣେ ବ୍ୟକ୍ତି ସୁରେଶ କହିଛନ୍ତି, ଡଙ୍ଗାରେ ପାଣି ଭର୍ତ୍ତି ହୋଇଯିବା ବେଳେ ଲାଇଫ ଜ୍ୟାକେଟ ଦିଆଯାଇଥିଲା । ଯେଉଁ ଲୋକମାନଙ୍କ ପାଖରେ ଲାଇଫ ଜ୍ୟାକେଟ ଥିଲା, ସେମାନେ କୂଳକୁ ପହଂଚି ବଂଚିଯାଇଥିଲେ । ଏନଡିଆରଏଫ ଓ ଏସଡିଆରଏଫର ପାଖାପାଖି ୧୦୦ କର୍ମଚାରୀ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି ।

Loading...
>