ନୂଆ ଭୁବନେଶ୍ୱର ରେଳ ଷ୍ଟେସନ ଲୋକାର୍ପଣ

ଭୁବନେଶ୍ୱର :ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ପୂର୍ବରୁ ରେଳବିଭାଗ ଓ ଭାରତ ସରକାରଙ୍କ ପକ୍ଷରୁ ୫ଟି କଲ୍ୟାଣକାରୀ ରେଳ ପ୍ରକଳ୍ପର ଲୋକାର୍ପଣ କରି ଏହା ରଥଯାତ୍ରା ଓ ଓଡିଶାର ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ଆହୁରି ସହଜ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଉପକଣ୍ଠରେ ଆଉ ଏକ ରେଳ ଷ୍ଟେସନର ଶୁଭ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଉଦଘାଟନ ପରେ ନୂଆ ଭୁବନେଶ୍ୱରରୁ ମୂଳ ଭୁବନେଶ୍ୱର ଷ୍ଟସନକୁ ଟ୍ରେନ ଯୋଗେ ଆସିବା ପରେ ଭୁବନେଶ୍ୱର ରେଳ ଷ୍ଟେସନରେ ୬ ମିଟର ଚଉଡା ଫୁଟ ଓଭର ବ୍ରିଜର ଶୁଭ ଉଦଘାଟନ କରିଛନ୍ତି ।
ଏହାସହ ଭିଡିଓ କନଫରେନଂସି ଯୋଗେ ଖୋର୍ଦ୍ଦାରୋଡ ଷ୍ଟେସନ ଠାରେ ନୂତନ ମେମୁ ସେଡ ଓ ପୁରୀର ବଗଳା ଧର୍ମଶାଳା ଠାରେ ନୂତନ ଟିକେଟ କାଉଟଂରର ଶୁଭ ଉଦଘାଟନ ସହ ଏକ ସ୍ୱତନ୍ତ୍ର ଆପର ଲୋକାର୍ପଣ କରିଛନ୍ତି ଶ୍ରୀ ପ୍ରଧାନ ।
ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଏହି ସବୁ ଉପହାର ଓଡିଶାକୁ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁସ ଗୋଏଲଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରିଛନ୍ତି ଶ୍ରୀ ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଏ ପଯ୍ୟନ୍ତ ରେଳ ବିଭାଗ କେବଳ ରେଳଭଡା ଓ ମାଲଭଡା ନେଉଥିଲା । ଅତୀତରେ ରେଳ ବିଭାଗ ଓଡିଶାକୁ ଅଣଦେଖା କରି ଆସୁଥିଲା । ୨୦୦୯ ରୁ ୨୦୧୪ ଆର୍ଥିକ ବର୍ଷରେ ଓଡିଶାକୁ ୪୧୯୦ କୋଟି ମିଳିଥିବା ବେଳେ ଗତ ୪ ବର୍ଷରେ ଓଡିଶାକୁ ୨୦,୨୧୩ କୋଟି ଟଙ୍କା ମିଳିଛି । ଗତଦିନ
ମାନଙ୍କରେ ଓଡିଶାକୁ ଯେଉଁ ଅଣଦେଖା କରାଯାଇଥିଲା ଏହାକୁ ସୁଧାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ପୀୟୁସ ଗୋଏଲ ଦାୟିତ୍ୱ ନେଇଛନ୍ତି । ରାଜ୍ୟ ସରକାର ଜମିଜମି ସାହାଯ୍ୟ ପାଇଁ ହାତ ବଢାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଭୁବନେଶ୍ୱର ସହର ବଢୁଥିବା ବେଳେ ଏଠାରେ ଆଉ ଏକ ଷ୍ଟେସନ ଅପେକ୍ଷାରେ ଲୋକମାନେ ରହିଥିଲେ । ଏହି ଷ୍ଟେସନ ଫଳରେ ବାରଙ୍ଗ-ଚନ୍ଦ୍ରଶେଖରପୁର ସହ ଆଖପାଖ ଅଂଚଳର ଲୋକଙ୍କୁ ଆଉ ମୂଳ ଷ୍ଟେସନକୁ ଯିବାକୁ ପଡିବ ନାହିଁ । ଦକ୍ଷିଣକୁ ଯାଉଥିବା ଟ୍ରେନ ଗୁଡିକ ଏହିଠାରୁ ଯାତାୟତ ଆରମ୍ଭ କରିବ । ଏହି ଷ୍ଟେସନ ଫଳରେ ଏଠି ଚା ବିକି ମଧ୍ୟ କିଏ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବ । ଏଠାରେ ବିକାଶ ଓ ସୌଭାଗ୍ୟ ଆଣିଦେବ । ଏଠାରେ ବେପାର ବଣିଜ ବଢିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ବାରଙ୍ଗ, ଭୁବନେଶ୍ୱର, ମଂଚେଶ୍ୱର, ବାଣୀବିହାର , ନୂଆ ଭୁବନେଶ୍ୱର, କଟକରୁ ପୁରୀ, କଟକରୁ ଖୋର୍ଦ୍ଦା ମଧ୍ୟରେ ଅଧିକ ଟ୍ରେନ ଚଳାଚଳ କରିବ ଓ ଯାତାୟତ କରିବ । ସେହିପରି ମୂଳ ଷ୍ଟେସନରେ ଅଧିକ ସୁବିଧା ଦିଆଗଲେ ଭଲ ହେବ । ମେମୁ ଟ୍ରେନ ଚଳାଚଳ ଫଳରେ ତାଳଚେର, ଅନୁଗୋଳ, ପୁରୀ ଓ କଟକ ମଧ୍ୟରେ ସମସ୍ତ ସୁବିଧା ହୋଇପାରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୁରୀକୁ ଦେଶବିଦେଶରୁ ଯାତ୍ରୀ ଆସୁଥିବା ହେତୁ ବଡଦାଣ୍ଡ ନିକଟରେ ଏକ କାଉଂଟର ଖୋଲିବା ପାଇଁ ଦାବି ହେଉଥିବା ବେଳେ ତାହା ଆଜି ପୂରଣ ହୋଇଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ, ନୂଆ ଷ୍ଟେସନ ବାରଙ୍ଗ ଦେଇ ଆସିବା ପାଇଁ ଅଧିକ ଅଢେଇ କିଲୋମିଟର ବୁଲିବାକୁ ପଡୁଛି । ନନ୍ଦନକାନନ ଗେଟରୁ ସିଧାସିଧା ନୂଆ ଷ୍ଟେସନକୁ ରାସ୍ତା ପାଇଁ ଜମି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହି ଜମି ମିଳିଲେ ରେଳ ବିଭାଗ ତାର ଦାୟିତ୍ୱ ତୁଲାଇବ । ରାଜ୍ୟ ସରକାର ସହଯୋଗ ହାତ ବଢାଇଲେ ଅନକେ ଗୁଡାଏ ଜନକଲ୍ୟାଣ କାମ ରାଜ୍ୟରେ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗତବର୍ଷ ରଥଯାତ୍ରାରେ ୧୮୦ଟି ସ୍ପେଶାଲ ଟ୍ରେନ ଚଳାଚଳ କରିଥିବା ବେଳେ ଏବର୍ଷ ଏହା ୧୮୪ କରାଯାଇଛି । ତେବେ ଆଉ ଦୁଇ ତିନୋଟି ଟ୍ରେନ ଚଳାଚଳ କଲେ ସୁବିଧା ହେବ ବୋଲି ରେଳବିଭାଗକୁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ । ସେହିପରି ଓଡିଶା ପ୍ରଥମ ଭାଷା ଭିତିକ ରାଜ୍ୟ ହୋଇଥିବା ହେତୁ ନିଉ ବଦଳରେ ଏହାକୁ ତୁରନ୍ତ ନୂଆ ଭୁବନେଶ୍ୱର ଷ୍ଟେସନ ନାମରେ ନାମିତ କରିବାକୁ ସେ ରେଳବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଥିଲେ ।

Loading...
>