ଜନ୍ମ ଦିନରେ ନବୀନଙ୍କୁ ଶୁଭେଚ୍ଛାର ସୂଅ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଆଜି ୭୪ ବର୍ଷରେ ପଦାର୍ପଣ କରିଛନ୍ତି । ନବୀନ ପଟ୍ଟନାୟକ ଗତକାଲି ତାଙ୍କ ଜନ୍ମଦିନ ନ ପାଳିବା ପାଇଁ କହିଥିଲେ ମଧ୍ୟ ଆଜି ତାଙ୍କର ଅନୁଗତ ତଥା ଦଳୀୟ କର୍ମୀମାନେ ବିଭିନ୍ନ ଆଶ୍ରମ, ବୃଦ୍ଧାଶ୍ରମଗୁଡିକରେ ନବୀନଙ୍କ ଜନ୍ମଦିନରୁ ନିରାଡମ୍ବର ଭାବେ ପାଳନ କରିଛନ୍ତି । ସେହିପରି ନବୀନଙ୍କ ଜନ୍ମଦିନ ଅବସରରେ ବିଜେଡି ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଛି । ଜନ୍ମ ଦିନ ଅବସରରେ ତାଙ୍କୁ ଦଳ ତଥା ଅନ୍ୟ ଦଳର ବରିଷ୍ଠ ନେତାମାନେ ମଧ୍ୟ ଜନ୍ମଦିନ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର, ଦାମୋଦର ରାଉତ, ବିଜୟ ମହାପାତ୍ର, କନକବର୍ଦ୍ଧନ ସିଂଦେଓ ପ୍ରମୁଖ ରହିଛନ୍ତି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଆ ଓ ଇଂରାଜୀରେ ଟୁଇଟ୍‌ କରି ଲେଖିଛନ୍ତି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇ ଟୁଇଟ୍‌ କରିଛନ୍ତି: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ଦୀର୍ଘାୟୁ କରିବା ସହ ସୁସ୍ଥ ଓ ନିରାମୟ ଜୀବନ ଦିଅନ୍ତୁ। ପଡ଼ୋଶୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଂରାଜୀ ଓ ବଙ୍ଗଳାରେ ଲେଖି ଟୁଇଟ୍‌ କରିଛନ୍ତି: ନବୀନ ବାବୁଙ୍କ (ପଟ୍ଟନାୟକ) ଜନ୍ମଦିନରେ ଅନେକ ଶୁଭେଚ୍ଛା। ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରୁଛି।

Loading...
>